ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲମ୍ବା ସମୟ ଧରି ଅଙ୍କ କଷି ବିଜେପିର ହାତ ଧରିଥିବା ବୈଜୟନ୍ତଙ୍କ ରାଜନୀତିକ ଭାଗ୍ୟ ଏବର୍ଷ କ’ଣ ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରେ।

ଉଣେଇଶର ଚର୍ଚ୍ଚିତ ନେତାଙ୍କ ନାଁ ଉଠିଲେ ବୈଜୟନ୍ତ ପଣ୍ଡାଙ୍କ ମୁହଁ ଲୋକଙ୍କ ସାମ୍ନାକୁ ଚାଲି ଆସେ। କାରଣ ବୈଜୟନ୍ତଙ୍କୁ ନେଇ କେବଳ ୨୦୧୯ରେ ଯେତିକି ଚର୍ଚ୍ଚା ହୋଇଛି ତାହା ପୂର୍ବରୁ କେବେ ହୋଇଥିଲା ନା ଆଗକୁ କେବେ ହେବ? ମୋଟାମୋଟି ଭାବେ କହିବାକୁ ଗଲେ ବୈଜୟନ୍ତ ୨୦୧୯ରେ ଯେଉଁ ଅଙ୍କ କଷିଥିଲେ ତାହା ଭୁଲ୍‌ ହୋଇଗଲା।

ଉଣେଇଶରେ ନୂଆ ପ୍ଲାଟଫର୍ମ

୨୦୧୮ରେ ବିଜେଡିରୁ ଇସ୍ତଫା ଦେଇ ବୈଜୟନ୍ତ ପଣ୍ଡା ରାଜନୀତିରେ ନୂଆ ପ୍ଲାଟଫର୍ମ ଖୋଜୁଥିଲେ। କେତେବେଳେ ସେ ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଲା ତ ଆଉ କେତେବେଳେ ବିଜେପି ଆସିବେ ବୋଲି କୁହାଗଲା। କିନ୍ତୁ ୨୦୧୮ ଶେଷ ହୋଇଗଲା ପଛେ ବୈଜୟନ୍ତ କୌଣସି ପ୍ଲାଟଫର୍ମ ପାଇଲେ ନାହିଁ।

ବହୁ ମାପି ଚୁପି ସେ ପଦକ୍ଷେପ ନେଲେ। ନିଜ ବନ୍ଧୁ ଓ ଶୁଭେଚ୍ଛୁମାନଙ୍କଠାରୁ ପରାମର୍ଶ ନେଲେ। ଲୋକ ସମ୍ପର୍କ ବଢ଼ାଇବା ଲକ୍ଷ୍ୟରେ ୨୦୧୮ ଶେଷ ଭାଗରେ ବୈଜୟନ୍ତ ‘ହେଇଯାଉ’ ନାଁରେ ଚା ଖଟି ଆୟୋଜନ କରିଥିଲେ। ୨୦୧୯ରେ ଆରମ୍ଭ ହୋଇଥିବା ‘ହେଇଯାଉ’ ୨୦୧୯ରେ ବି ଦେଖିବାକୁ ମିଳିଲା। ଗୋଟିଏପଟେ ‘ହେଇଯାଉ’ ଚାଲିଲା ଅନ୍ୟପଟେ ବୈଜୟନ୍ତ ପ୍ଲାଟଫର୍ମ ବି ଖୋଜି ଚାଲିଲେ।

ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୨୦୧୯ ମାର୍ଚ୍ଚ ୪ରେ ବୈଜୟନ୍ତ ନୂଆଦିଲ୍ଲୀରେ ପଦ୍ମ ଧରିଲେ। ଅମିତ ଶାହଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ହୋଇଥିଲା। ନୂଆଦିଲ୍ଲୀରେ ପଦ୍ମ ଧରିଥିବା ବୈଜୟନ୍ତଙ୍କୁ ନେଇ ଓଡ଼ିଶା ରାଜନୀତି ପାଣିପାଗ ବି ସରଗରମ ହୋଇଥିଲା। ବୈଜୟନ୍ତ ପଦ୍ମ ଧରି ଓଡ଼ିଶା ଆସିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେପି କର୍ମୀ।

ପଦ୍ମ ଧରୁ ଧରୁ ରାଷ୍ଟ୍ରୀୟ ଉପସଭାପତି

ବିଜେଡି ଛାଡ଼ି ବିଜେପି ଶିବିରକୁ ଆସିଥିବା ବୈଜୟନ୍ତଙ୍କର ଭୂମିକା କ’ଣ ରହିବ? ବିଜେପି ବୈଜୟନ୍ତଙ୍କୁ ଉଚିତ୍ ସମ୍ମାନ ଦେବ ତ? ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥଇବା ବେଳେ ହଠାତ ବିଜେପି ଶିବିରରୁ ଖବର ଆସିଲା ଯେ ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ପଦରେ ନିଯୁକ୍ତି ଦିଆଯାଇଛି। ଏହି ଖବର ଉଭୟ ବିଜେପି ଏବଂ ବିଜେଡି ଶିବିରରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ବୈଜୟନ୍ତ ବିଜେଡି ଛାଡ଼ି ବିଜେପି ଆସିବା ଏବଂ ରାଷ୍ଟ୍ରୀୟ ଉପସଭାପତି ହେବାକୁ ନେଇ ବିଜେଡି ଶିବିରରେ ଭାଳେଣି ପଡ଼ିଥିଲା। କାରଣ ସେହି ବର୍ଷ ନିର୍ବାଚନ ବର୍ଷ ଥିବାରୁ ବୈଜୟନ୍ତଙ୍କୁ ନେଇ ବିଜେଡି ଚିନ୍ତାରେ ପଡ଼ିଥିବା କୁହାଗଲା।

ଏପଟେ ପଦ୍ମ ଧରୁ ଧରୁ ବୈଜୟନ୍ତଙ୍କ ଗୁରୁତ୍ୱ ଦଳରେ ବଢ଼ି ଯିବାରୁ ବିଜେପିର ଗୋଟିଏ ଗୋଷ୍ଠୀ ଅଡୁଆରେ ପଡ଼ିଥିଲେ। ବୈଜୟନ୍ତଙ୍କ ପଲ୍ଲା ଭାରି ରହିବ ବୋଲି ଚର୍ଚ୍ଚା ହେଲା। କେହି କେହି ବୈଜୟନ୍ତଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି କହିବାକୁ ପଛାଇଲେ ନାହିଁ। ବୈଜୟନ୍ତଙ୍କ ପାଖରେ ମନି, ମିଡିଆ ଏବଂ ମ୍ୟାନ ପାୱାର ଥିବାରୁ ବୈଜୟନ୍ତଙ୍କ ଗୁରୁତ୍ୱ ବିଜେପିରେ ବଢ଼ିବ ବୋଲି କୁହାଗଲା।

ନିର୍ବାଚନ ଆସିଲା, କେନ୍ଦ୍ରାପଡ଼ାରୁ ଟିକେଟ ନେଲେ ବୈଜୟନ୍ତ

ବିଜୁ ପରିବାର ସହ ବୈଜୟନ୍ତଙ୍କ ସମ୍ପର୍କ ପୁରୁଣା। ଏହାସହ ବିଜେଡି ପ୍ରତିଷ୍ଠା ଦିନରୁ ବୈଜୟନ୍ତ ଦଳରେ ରହିଥିଲେ। ଯେଉଁ ବୈଜୟନ୍ତ ବିଜେଡି ଟିକେଟରେ ଦୁଇ ଥର ରାଜ୍ୟସଭା ଏବଂ ଦୁଇ ଥର ଲୋକସଭା ଯାଇଥିଲେ ତାଙ୍କୁ ୨୦୧୯ରେ କିନ୍ତୁ ଅଲଗା ଦଳରୁ ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା। ନିର୍ବାଚନମଣ୍ଡଳୀ ସମାନ ରହିଲା, ହେଲେ ଟିକେଟ ବଦଳିଗଲା।

ବୈଜୟନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ଏବଂ ବିଜେଡିରୁ ଅପମାନିତ ହୋଇ ଆସିଥିବାରୁ କେନ୍ଦ୍ରାପଡ଼ାରୁ ଅନୁକମ୍ପା ଭୋଟ ପାଇବା ପାଇଁ ଆଶା ରଖିଥିଲେ। ଖାଲି ସେତିକି ନୁହେଁ, କେନ୍ଦ୍ରାପଡ଼ା ଭୋଟରଙ୍କ ପାଖରେ ବୈଜୟନ୍ତ ସବୁବେଳେ ରହିଥିବାରୁ ଭୋଟ ପାଇବେ ବୋଲି ତାଙ୍କ ସମର୍ଥକ ଗଣିତ କଷିଥିଲେ। ହେଲେ ସବୁ ଗଣିତ ଭୁଲ୍‌ ହୋଇ ଯାଇଥିଲା।

ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ବିଜେଡି ଫିଲ୍ମ ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ଥିବା ବେଳେ ଲୋକଙ୍କ ନଜର କିନ୍ତୁ ବୈଜୟନ୍ତ-ଅନୁଭବଙ୍କ ଉପରେ ରହିଥିଲା।

କେନ୍ଦ୍ରାପଡ଼ାରେ ବୈଜୟନ୍ତ ଜିତିବେ ବୋଲି ଚାରିଆଡ଼େ ଚର୍ଚ୍ଚା ହେଲା। ହେଲେ ବୈଜୟନ୍ତ ଅନୁଭବଙ୍କଠାରୁ ଲକ୍ଷାଧିକ ଭୋଟରେ ପରାଜିତ ହୋଇଥିଲେ। ବୋଧହୁଏ ବୈଜୟନ୍ତ ୨୦୧୯ରେ ନିର୍ବାଚନ ଲଢ଼େଇରେ ପ୍ରଥମ ପରାଜୟ ଦେଖିଲେ।

ବୈଜୟନ୍ତଙ୍କ ପାଇଁ ଆସିଲେ ମୋଦୀ

ନିର୍ବାଚନ ପ୍ରଚାରକୁ ନେଇ ଉଠୁଥିଲା ପଡୁଥିଲା ଓଡ଼ିଶା। ହେଲେ ବୈଜୟନ୍ତଙ୍କ ପାଇଁ ପ୍ରଚାର କରିବାକୁ କେନ୍ଦ୍ରାପଡ଼ା ଆସିଥିଲେ ନରେନ୍ଦ୍ର ମୋଦୀ। ବିଜେଡି ଏଠି ‘ସ୍ୱାଭିମାନ ବନାମ ବେଇମାନ’ର ନାରା ଦେଇ ନିର୍ବାଚନ ଲଢ଼ୁଥିରୁ ମୋଦୀଙ୍କ ପ୍ରଚାର ଏସବୁରେ ପାଣି ପକାଇଦେବ ବୋଲି କୁହାଗଲା। କିନ୍ତୁ ମୋଦୀ ହାୱା କେନ୍ଦ୍ରାପଡ଼ା ଭୋଟରଙ୍କ ଉପରେ ପ୍ରଭାବ ପକାଇ ପାରିଲାନି।

ବୈଜୟନ୍ତଙ୍କୁ ନେଇ ଏବେ ବି ଚର୍ଚ୍ଚା

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଯେଉଁ କିଛି ଆଗଧାଡ଼ିର ନେତା ବିଜେପି ଆସିଥିଲେ ସେମାନଙ୍କ ଭିତରୁ ଦାମ ରାଉତ ଏବଂ ବୈଜୟନ୍ତ ପଣ୍ଡା ହେଉଛନ୍ତି ପ୍ରମୁଖ। ହେଲେ ଦାମ ଦଳରୁ ଇସ୍ତଫା ଦେଇ ସାରିଲେଣି। ଏବେ ବୈଜୟନ୍ତ କେବଳ ଅଛନ୍ତି। ବୈଜୟନ୍ତ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଛନ୍ତି। ଏଣୁ ବୈଜୟନ୍ତଙ୍କୁ କିଛି ଲୋକ ବିଜେପିର ଭବିଷ୍ୟତ ବୋଲି କହୁଛନ୍ତି।

ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ବିଜେପି ନୂଆ ସଭାପତି ପାଇବ। ଏହି ସଭାପତି ଚୌକିରେ କିଏ ବସିବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବୈଜୟନ୍ତଙ୍କ ନାଁ ଉଠୁଛି। ବୈଜୟନ୍ତ ଏବେ ରାଷ୍ଟ୍ରୀୟ ଉପସଭାପତି ଥିବାରୁ ଏବଂ କେନ୍ଦ୍ର ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ସେ ସଭାପତି ହୋଇପାରନ୍ତି ବୋଲି ବିଜେପି ଶିବିରରେ ଆଲୋଚନା ଚାଲିଛି। ତେବେ ବୈଜୟନ୍ତଙ୍କୁ ଏହି ପଦବୀ ମିଳୁଛି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବୈଜୟନ୍ତ ପଣ୍ଡାଙ୍କ ପାଇଁ ୨୦୧୯ ପରୀକ୍ଷାର ବର୍ଷ ଥିଲା ବୋଲି କୁହାଯାଉଛି। ବହୁ ଭାବିଚିନ୍ତି ଏବଂ ହିସାବ ନିକାଶ କରି ବିଜେପି ଆସିବା, କେନ୍ଦ୍ରାପଡ଼ା ଆସନରେ ଲଢ଼େଇ କରିବା ଥିଲା ବୈଜୟନ୍ତଙ୍କ ରାଜନୀତି କ୍ୟାରିଅରରେ ବଡ଼ ପରୀକ୍ଷା। ନିର୍ବାଚନ ପରୀକ୍ଷାରେ ତ ବୈଜୟନ୍ତ ଫେଲ୍‌ ହୋଇଛନ୍ତି ଏକଥା ମାନିବାକୁ ପଡ଼ିବ। ହେଲେ ବିଜେପି ଆସି ସେ କ’ଣ ପାଇଛନ୍ତି ଏବଂ କ’ଣ ହରାଇଛନ୍ତି ତାକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି। ୨୦୨୦ର ନୂଆ ସକାଳ ବୈଜୟନ୍ତଙ୍କ ପାଇଁ କ’ଣ ଆଣୁଛି ତାହା ଅପେକ୍ଷା କରି ଦେଖିବାର କଥା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment