ଓଡ଼ିଶାଲାଇଭ୍ ବ୍ୟୁରୋ

mo bus fleet CRUT

ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ହେବ ମହାମୁକାବିଲା। ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। କ୍ରିକେଟ୍‌ପ୍ରେମୀଙ୍କ ସୁବିଧାକୁ ଆଖି ଆଗରେ ରଖି କ୍ରୁଟ୍‌ ପକ୍ଷରୁ ମୋ’ବସ୍‌ ସେବା ଯୋଗାଇ ଦିଆଯିବ। ମୋ’ ବସ୍‌ ଭୁବନେଶ୍ୱରରୁ ସିଧାସଳଖ ବାରବାଟୀ ଯିବ।

ଏହି ମୋ’ ବସ୍‌ ସେବା ମାଷ୍ଟରକ୍ୟାଣ୍ଟିନ୍‌ରୁ ବାରବାଟୀ ଯାଏଁ ଏବଂ ବରମୁଣ୍ଡାରୁ ବାରବାଟୀ ଯାଏଁ ଯାତାୟାତ କରିବ। ମାଷ୍ଟର କ୍ୟାଣ୍ଟିନରୁ ବାହାରିବାକୁ ଥିବା ବସ୍ ଜାତୀୟ ରାଜପଥ ଓ ବରମୁଣ୍ଡା ବସ୍ ଭାୟା ନନ୍ଦନକାନନ ହୋଇ କଟକ ବାରବାଟୀ ଷ୍ଟାଡିୟମର ପାର୍କିଂ ନିକଟରେ ପହଞ୍ଚିବ।

ଏହି ସ୍ଵତନ୍ତ୍ର ବସ୍ ସେବା ସକାଳ ୮ଟା ୩୦ରୁ ପୂର୍ବାହ୍ନ ୧୧ଟା ଏବଂ ପୁଣି ଥରେ ଫେରିବା ଯାତ୍ରୀଙ୍କ ପାଇଁ ରାତି ୧୦ଟାରୁ ମଧ୍ୟରାତ୍ରି ଯାଏ ଉପଲବ୍ଧ ହେବ। ଏହି ସେବା ପାଇଁ ଯାତ୍ରୀଙ୍କୁ ମୋଟ୍‌ ୩୦ଟଙ୍କା ଭଡ଼ା ଦେବାକୁ ପଡ଼ିବ।

ବରମୁଣ୍ତାରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଗଲା ବେଳେ ଏହି ବସ୍ ଜୟଦେବ ବିହାର, ନନ୍ଦନକାନନ ଓ ଜୁଡିସିଆଲ ଏକାଡେମି ପାଖରେ ରହିବ। ସେହିପରି ମାଷ୍ଟରକ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମ୍ ଯାଉଥିବା ବସ୍ ବାଣୀବିହାର ଛକ, ନଖରା ଛକ, ଲିଙ୍କ ରୋଡରେ ରହିବ। ଫେରିବା ସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ୍ ରୋକାଯିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି।

Comment