ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରଥମ ଥର ପାଇଁ ଓଡ଼ିଶାରେଓସା ମହୋତ୍ସବ
  • ଓଡ଼ିଆ ଭାଷା, ପାଠାଗାର ଏବଂ ସାମାଜିକ ଉଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ୱ
  • ଅପରାହ୍ଣରେ ସାଂସ୍କୃତିକ କାର୍ଯ୍ୟକ୍ରମ
  • ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାମ କରିବାକୁ ଓସା ପକ୍ଷରୁ ଆଗ୍ରହ ପ୍ରକାଶ

ଆମେରିକାରେ ରହୁଥିବା ଓଡ଼ିଆଙ୍କର ଓଡ଼ିଶା ଚିନ୍ତା। ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍‌ (ଓସା) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ‘ଓସା ମହୋତ୍ସବ’। ଡିସେମ୍ବର ୨୨, ରବିବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିଅମ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଶନିବାର ଦିନ ଓସାର ବରିଷ୍ଠ କର୍ମକର୍ତ୍ତାମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଓସାର ସଭାନେତ୍ରୀ କୁକୁ ଦାସ, ଉପସଭାପତି ଡକ୍ଟର ଅନିଲ୍ ପଟ୍ଟନାୟକ ଏବଂ ବରିଷ୍ଠ ସଦସ୍ୟ ନିଶିକାନ୍ତ ସାହୁ ଓ ଅଜୟ ମହାନ୍ତି ମିଡିଆକୁ ସମ୍ବୋଧନ କରିଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସଙ୍ଗୀତା ଗୋସାଇଁ ଏହି ଅବସରରେ ଯୋଗ ଦେଇଥିଲେ।

‘ଓସା ମହୋତ୍ସବ’ର ପୂରାଦିନ କାର୍ଯ୍ୟକ୍ରମ ଭିତରେ ରହିଛି ଉଦ୍‌ଘାଟନୀ ସମାରୋହ (ସକାଳ ୧୦ଟା), ପବ୍ଲିକ୍ ଲାଇବ୍ରେରି ଓପନ୍‌ ଫୋରମ୍‌ (୧୦ଟା ୩୦ରୁ ୧୨ଟା ୩୦), ସୋସିଆଲ୍‌ ଏଣ୍ଟରପ୍ରିନିୟରସିପ୍‌ (୧୨ଟା ୩୦ରୁ ୧ଟା ୩୦) ଏବଂ ‘ଆମରି ଭାଷା – ଆମ ସଂସ୍କୃତି ଓ ଜୀବନଧାରାର ମୂଳଭିତ୍ତି’ ଉପରେ ଆଲୋଚନାଚକ୍ର (୨ଟା ୩୦ରୁ ୩ଟା ୩୦)।

ସେହିପରି ଓସା ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ଓଡ଼ିଶାର ସଂସ୍କୃତି ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ଆମେରିକାରୁ ଆସିଥିବା ଓଡ଼ିଆ ଘରର ପ୍ରତିଭାମାନଙ୍କ ସହ ଓଡ଼ିଶାର କଳାକାରମାନେ ମିଶି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମ ଅପରାହ୍‌ଣ ୩ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଚାଲିବ।

ଓସା ମହୋତ୍ସବକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଉଦ୍‌ଘାଟନ କରିବେ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଗ୍ରୁପ୍‌ ପ୍ରେସିଡେଣ୍ଟ (ମାନବ ସମ୍ବଳ) ବିଜୟ ସାହୁ ଏବଂ ଓସାର ବରିଷ୍ଠ ସଦସ୍ୟ ଅଜୟ ମହାନ୍ତି ପ୍ରମୁଖ ପବ୍ଲିକ୍ ଲାଇବ୍ରେରି ଓପନ୍‌ ଫୋରମ୍‌ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିବେ ଓସା ପବ୍ଲିକ୍ ଲାଇବ୍ରେରି ଓପନ୍‌ ଫୋରମ୍‌ ଅଭିଯାନର ଅଧ୍ୟକ୍ଷ ନିଶିକାନ୍ତ ସାହୁ।

ଓସା ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ସୋସିଆଲ୍‌ ଏଣ୍ଟରପ୍ରିନିୟର୍‌ସିପ୍‌ ବା ସାମାଜିକ ଉଦ୍ୟୋଗ ସମ୍ପର୍କରେ ଆଲୋଚନା। ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିବେ ଓସାର ଉପାଧ୍ୟକ୍ଷ ଡକ୍ଟର ଅନିଲ ପଟ୍ଟନାୟକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓସାର ଯୁବ ଅଭିଯାନ (ସିଆଟଲ୍‌) ପକ୍ଷରୁ ଅଶ୍ଳେଷା ମିଶ୍ର, ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ, ମୋ ସ୍କୁଲ୍ ଅଭିଯାନର ସିଓଓ ଅମରଜିତ୍‌ ଜେନା ପ୍ରମୁଖ ଅଂଶଗ୍ରହଣ କରିବେ।

ସେହିପରି ‘ଆମରି ଭାଷା – ଆମ ସଂସ୍କୃତି ଓ ଜୀବନଧାରାର ମୂଳଭିତ୍ତି’ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବେ ଡକ୍ଟର ଇତି ସାମନ୍ତ, ଡକ୍ଟର ଗୌରହରି ଦାସ, ତରୁଣକାନ୍ତି ମିଶ୍ର ଏବଂ ଡକ୍ଟର ଭଗବାନ ପ୍ରକାଶ ପ୍ରମୁଖ। ଡକ୍ଟର କୃତିବାସ ନାୟକ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିବେ।

‘‘ଆମେରିକାରେ ଦୀର୍ଘ ବର୍ଷ ଧରି ରହୁଥିବା ଓଡ଼ିଆମାନେ ସବୁବେଳେ ଓଡ଼ିଶାର ବିକାଶ ପାଇଁ ଚିନ୍ତା କରିଆସୁଛନ୍ତି। ସେହିପରି ଓଡ଼ିଆ ଭାଷା, ଓଡ଼ିଶାର କଳା ଓ ସଂସ୍କୃତି ତଥା ଓଡ଼ିଶାର ପରିଚୟର ପ୍ରସାର ପାଇଁ ସେମାନେ ସଚେତନ ଭାବେ କାମ କରୁଛନ୍ତି। ଓଡ଼ିଆ ସୋସାଇଟି ଅଫ୍ ଆମେରିକାସ୍‌ (ଓସା) ମାଧ୍ୟମରେ ଆମେ ଆମ ମୂଳ ମାଟି ଓଡ଼ିଶା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ହେବାକୁ ଚାହୁଁଛୁ। ଏଥିପାଇଁ ଓସା ସରକାରଙ୍କର ବିଭିନ୍ନ ବିଭାଗ ଛଡ଼ା ବିଭିନ୍ନ ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ସହ କାମ କରିବାକୁ ଆଗେଇ ଆସିଛି’’, ଏହି ଅବସରରେ କହିଛନ୍ତି ଓସାର ଅଧ୍ୟକ୍ଷା କୁକୁ ଦାସ।

ଓସା ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ମହୋତ୍ସବର ପରିକଳ୍ପନା କରାଯାଇଛି। ସଂଗଠନର ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।

୨୦୧୯ରେ ଓସା ପାଳନ କରୁଛି ଏହାର ୫୦ ବର୍ଷ ପୂର୍ତ୍ତି। ଦିନେ ଯେଉଁ ସଂଗଠନ ଆମେରିକାରେ ଓଡ଼ିଆମାନଙ୍କୁ ଗୋଟିଏ ଡୋରରେ ବାନ୍ଧିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ଆଜି ତାହା ଅନେକ ପାଦ ଆଗେଇଯାଇପାରିଛି। ଆମେରିକାର ବିଭିନ୍ନ ରାଜ୍ୟରେ ଓସାର ଶାଖା ମାଧ୍ୟମରେ ଓଡ଼ିଆମାନେ ସକ୍ରିୟ ଭାବେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରୁଛନ୍ତି। ଓଡ଼ିଶାର ସୁଖଦୁଃଖରେ ଠିଆ ହେବା ସହ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଦୀର୍ଘସୂତ୍ରୀ ପ୍ରକଳ୍ପରେ ସାମିଲ୍ ହେବା ପାଇଁ ଓସା ପକ୍ଷରୁ କେତେକ କାର୍ଯ୍ୟକ୍ରମ ବର୍ତ୍ତମାନ ଜାରି ରହିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment