ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବାରବାଟୀରେ ହେବ ମହାମୁକାବିଲା। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯିବ ଶେଷ ଦିନିକିଆ। ଏହି ମ୍ୟାଚରେ କିଏ ହେବ ବାରବାଟୀ ବାଦଶାହ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ। ଯିଏ ଆଜିର ମ୍ୟାଚରେ ବିଜୟୀ ହେବ, ସେ ଏହି ସିରିଜ ଅକ୍ତିଆର କରିବ। ଦୁଇ ଦଳ ପାଇଁ ଆଜିର ମ୍ୟାଚ କର ବା ମର ପରିସ୍ଥିତିରେ ରହିଛି।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ପୂର୍ବରୁ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି। ଏହି ମ୍ୟାଚ ଜିତିବା ପାଇଁ ଦୁଇ ଦଳ ପ୍ରୟାସ ଜାରି ରଖିବେ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ବାରବାଟୀରେ ଭାରତର ପଲ୍ଲା ଭାରି ରହିଛି। ଭାରତ ଓ୍ଵେଷ୍ଟଇଣ୍ଡିଜ ସହ ୩ ଥର ବାରବାଟୀରେ ମୁହାଁମୁହିଁ ହୋଇଛି, ଯେଉଁଥିରେ ଭାରତ ବିଜୟୀ ହୋଇଛି।

ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ ବିଶେଷ ନଜର ରହିବ। ରୋହିତ ୨୦୧୧ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ସେହିପରି ଦଳ ବ୍ୟାଟିଂ ଭାର ମୁଖ୍ୟତଃ ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି, ଶ୍ରେୟାସ ଆୟର ଓ ରିଷବ ପନ୍ତଙ୍କ ଉପରେ ନିର୍ଭର କରିବ।

ବ୍ୟାଟିଂରେ କୌଣସି ପରିବର୍ତ୍ତନ ହେବ ଆଶଙ୍କା ନାହିଁ। ହେଲେ ବୋଲିଂ ବିଭାଗରେ ଆହତ ସମସ୍ୟା ଯୋଗୁଁ ଦିପକ ଚହର ଦଳରୁ ବାଦ୍‌ ପଡ଼ିଛନ୍ତି ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି, କୁଲଦିପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ସାର୍ଦୁଲ ଠାକୁର ବୋଲିଂ ଦାୟିତ୍ଵରେ ରହିବେ।

ଓ୍ଵେଷ୍ଟଇଣ୍ଡିଜ ଦଳରେ କୌଣସି ପରିବର୍ତ୍ତନ ହେବାର ଆଶଙ୍କା ନାହିଁ। ଦଳରେ କିରଣ ପୋଲାର୍ଡ, ସିମରନ ହାତମେୟାର, ବ୍ରାଣ୍ଡୋନ କିଙ୍ଗ କିମୋ ପାଉଲଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି। ପ୍ରଥମ ଦିନିକିଆରେ ଦଳ ଦମଦାର ବିଜୟ ହାସଲ କରିଥିଲେ। ସେହିପରି ଏହି ମ୍ୟାଚରେ ଦଳ ଆତ୍ମବିଶ୍ଵାସର ସହ ପଡ଼ିଆକୁ ଓହ୍ଲାଇବ।

ଅନ୍ୟପକ୍ଷରେ ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଷ୍ଟାଡିୟମକୁ ନୂଆ କରି ସଜା ଯାଇଛି। ଷ୍ଟାଡିୟମର ସୁରକ୍ଷା ପାଇଁ ୮୦ ପ୍ଲା଼ଟୁନ ପୋଲି ଫୋର୍ସ ମୁତୟନ କରାଯିବ। କମିସନରେଟ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇ ଦର୍ଶକମାନଙ୍କୁ ଭିତରକୁ ଛଡ଼ାଯିବ। ଖେଳାଳିମାନେ କିପରି ସୁରକ୍ଷିତ ଭାବେ ଷ୍ଟାଡିୟମକୁ ଆସିବେ ସେନେଇ ମଧ୍ୟ କମିସନରେଟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment