ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆର୍‌ସି) ଆନ୍ଧ୍ରପ୍ରଦେଶରେ ଲାଗୁ ହେବ ନାହିଁ। ଏନେଇ ସୋମବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନମୋହନ ରେଡ୍ଡୀ ଏକ ବଡ଼ ଘୋଷଣା କରିଛନ୍ତି।

ଜଗନମୋହନ କହିଛନ୍ତି, “ଆନ୍ଧ୍ରପ୍ରଦେଶରେ ଅଳ୍ପସଂଖ୍ୟକଙ୍କୁ ଡରିବାର କୌଣସି ଅବଶ୍ୟକତା ନାହିଁ। କେନ୍ଦ୍ର ସରକାରଙ୍କ ଏନ୍‌ଆର୍‌ସି ରାଜ୍ୟରେ ଲାଗୁ କରାଯିବ ନାହିଁ। ସେହିପରି ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ରାଜ୍ୟ ସରକାର ସାରା ଦେଶରେ ବିରୋଧ କରିବେ।”

ନିକଟରେ ଆନ୍ଧ୍ରପ୍ରଦେଶର ୩ଟି ରାଜଧାନୀ ହେବ ବୋଲି ଘୋଷଣା କରିଥିବା ଜଗନମୋହନ ସୋମବାର ଏନ୍‌ଆର୍‌ସି ଲାଗୁ ନହେବା ପାଇଁ ଘୋଷଣା କରିଛନ୍ତି।

ସୋମବାର ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଥିବା ହେମନ୍ତ ସୋରେନ୍‌ ଏନ୍‌ଆରସିକୁ ନେଇ ନିଜ ମତ ରଖିଛନ୍ତି। ବର୍ତ୍ତମାନ ଏନ୍‌ଆରସିକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କାନୁନ୍‌କୁ ସମ୍ପୂର୍ଣ୍ଣ ଭାବେ ପଢ଼ିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସୋରେନ୍‌ କହିଛନ୍ତି।

ଏହାପୂର୍ବରୁ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିଜ ରାଜ୍ୟରେ ଏନ୍‌ଆରସି ଲାଗୁ କରାଯିବ ନାହିଁ ବୋଲି ଶୁଣାଇ ଦେଇଥିଲେ। ସେହିପରି ଓଡ଼ିଶାରେ ଏନ୍‌ଆର୍‌ସି ଲାଗୁ ହେବ ନାହିଁ। ଅନ୍ୟପଟେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍‌ଆର୍‌ସି ଏବଂ ସିଏଏର ପୂର୍ଣ୍ଣ ବିରୋଧୀ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment