ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ସେ ମାତ୍ର ୨୦୦ଟଙ୍କା ପାଇଁ କ୍ରିକେଟ୍ ଖେଳୁଥିଲେ ହେଲେ ଏବେ ଭାରତୀୟ ଦଳର ସଦସ୍ୟ। ଆମେ କହୁଛୁ ଗତକାଲି ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚରେ ଡେବ୍ୟୁ କରିଥିବା ନବଦୀପ୍ ସୈନୀଙ୍କ କଥା।

ହରିଆଣାର କରନାଲ ଅଞ୍ଚଳରେ ବସବାସ କରୁଥିବା ନବଦୀପ ସୈନୀ ଦିନେ ମାତ୍ର ୨୦୦ ଟଙ୍କା ପାଇଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ଭାରତୀୟ ଦଳରେ ତାଙ୍କର ଆବିର୍ଭାବ ହେବା ପୂର୍ବରୁ ସେ କରନାଲ ଅଞ୍ଚଳରେ ଆୟୋଜିତ ହେଉଥିବା ବିଭିନ୍ନ ଟେନିସ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ଏଥିପାଇଁ ତାଙ୍କୁ ଦିନକୁ ମାତ୍ର ଦୁଇ ଶହ ଟଙ୍କା ମିଳୁଥିଲା।ସେହି ସମୟରେ ନବଦୀପଙ୍କ ବୋଲିଂକୁ ନଜର କରିଥିଲେ ଦିଲ୍ଲୀ ରଣଜୀ ଦଳର ପୂର୍ବତନ ବୋଲର ସୁମିତ ନରବାଲ। ଏହାପରେ ସେ ତାଙ୍କୁ ଦିଲ୍ଲୀ ଡାକିଥିଲେ। ସେଠାରେ ନବଦୀପ ଦିଲ୍ଲୀ ଦଳର ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ନେଟସରେ ବୋଲିଂ କରିଥିଲେ। ନବଦୀପଙ୍କ ବୋଲିଂ ଗମ୍ଭୀରଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ଏହାପରେ ଗୌତମ ଗମ୍ଭୀରଙ୍କ କହିବା ଅନୁସାରେ ତାଙ୍କୁ ୨୦୧୩-୧୪ ରଣଜୀ ସିଜିନ୍ ପାଇଁ ଦିଲ୍ଲୀ ରଣଜୀ ଦଳରେ ସାମିଲ କରାଯାଇଥିଲା। ଏହାପରେ ସେ ତାଙ୍କ କ୍ୟାରିଅରରେ ଆଉ ପଛକୁ ଦେଖିନାହାନ୍ତି।  ଲଗାତାର ଭାବେ ସେ ଦିଲ୍ଲୀ ପାଇଁ ଭଲ ପ୍ରଦର୍ଶନ କରିଚାଲିଥିଲେ। ୨୦୧୭-୧୮ରେ ତାଙ୍କ ବୋଲିଂ ବଳରେ ଦିଲ୍ଲୀ ରଣଜୀ ଫାଇନାଲରେ ପ୍ରବେଶ କରିଥିଲା। ଏହି ସିଜିନରେ ସେ ୮ଟି ମ୍ୟାଚରୁ ମୋଟ୍ ୩୪ଟି ୱିକେଟ୍ ନେଇଥିଲେ।

ଏହାପରେ ୨୦୧୮ ମସିହାରେ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଦଳରେ ସାମିଲ କରାଯାଇଥିଲା। ଏହାସହ ସେ ବର୍ତ୍ତମାନ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ପାଇଁ ଖେଳୁଛନ୍ତି। ଗତକାଲିର ମ୍ୟାଚରୁ ନବଦୀପ ତାଙ୍କର ଦିନିକିଆ କ୍ୟାରିଅର ଆରମ୍ଭ କରିଛନ୍ତି।

Comment