ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ
  • ମାର୍ଚ୍ଚ ମାସ ୨ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା
  • ପ୍ରଶ୍ନପତ୍ରକୁ ଜଗିବ ସ୍ୱତନ୍ତ୍ର ସିକ୍ୟୁରିଟି କୋର୍ଡ
  • ହଟିବ ଓଏମ୍ଆର୍ ସିଟ୍ ବ୍ୟବସ୍ଥା
  • ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍

ମାଟ୍ରିକ ପରୀକ୍ଷାର୍ଥୀଙ୍କ ହାତରେ ଏବେ ଦୁଇ ମାସରୁ କମ୍ ସମୟ। ଆସନ୍ତା ଫେବ୍ରୁଆରି ମାସ ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷା। ଏନେଇ ମଙ୍ଗଳବାର ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏହାସହ ଏଥର ମାଟ୍ରିକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ମଧ୍ୟ ବୋର୍ଡ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମଶିଷ ହାଜରା କହିଛନ୍ତି, “ଏବର୍ଷ ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଏହାସହ ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ ଏଥିରେ ସ୍ୱତନ୍ତ୍ର ସିକ୍ୟୁରିଟି କୋର୍ଡ ରହିବ। ଏହାଫଳରେ ଯେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ରର ଫଟୋ ଉଠାଯାଇ ଭାଇରାଲ କରାଯିବ, ସେହି ପରୀକ୍ଷା କେନ୍ଦ୍ରକୁ ଜାଣିହେବ।”

ଗତବର୍ଷ  ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ରର ଫଟୋ ଉଠାଇ ଭାଇରାଲ୍ କରାଯାଇଥିଲା। ଏପରିକି ଏଥିରେ ଖୋଦ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ଥିବାର ଦେଖିବାକୁ ମିଳିଥିଲା। ତେଣୁ ଏଥର ପ୍ରଶ୍ନପତ୍ରକୁ ସୁରକ୍ଷା ଦେବା ପାଇଁ ବୋର୍ଡ ତରଫରୁ ଯଥେଷ୍ଟ ପଦକ୍ଷେପ ନିଆଯାଉଛି ବୋଲି ବୋର୍ଡର ସଭାପତି ରାମଶିଷ ହାଜରା କହିଛନ୍ତି।ଏହାସହ ଏବର୍ଷ ମାଟ୍ରିକ ପରୀକ୍ଷାରେ ଓଏମ୍ଆର ବ୍ୟବସ୍ଥାକୁ ଉଠାଇଦିଆଯାଇଛି। ଏଥର ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ଲେଖିକି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ବୋର୍ଡର ଏହି ସଂସ୍କାର ଦ୍ୱାରା ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେନାହିଁ । କାରଣ ଏହା ପୂର୍ବରୁ ସମସ୍ତ କ୍ଲାସ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଏହିଭଳି ଭାବେ ପରୀକ୍ଷା ଦେଇଛନ୍ତି ବୋଲି କୁହାଯାଇଛି।

ଏବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨ତାରିଖ ପର୍ଯ୍ୟନ୍ତ ଚାଲିବ।

ମାଟ୍ରିକ ପରୀକ୍ଷା ସୂଚୀ

ଫେବ୍ରୁଆରି ୧୯ ତାରିଖ – ଓଡିଆ ଭାଷା (ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦)

ଫେବ୍ରୁଆରି ୨୨ ତାରିଖ – ଇଂରାଜୀ (ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦)

ଫେବ୍ରୁଆରି ୨୪ ତାରିଖ – ସଂସ୍କୁତ/ହିନ୍ଦୀ (ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦)

ଫେବ୍ରୁଆରି ୨୬ ତାରିଖ – ଗଣିତ (ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୪୫)

ଫେବ୍ରୁଆରି ୨୮ ତାରିଖ – ସାଧାରଣ ବିଜ୍ଞାନ (ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦)

ମାର୍ଚ୍ଚ ୨ ତାରିଖ – ସାମାଜିକ ବିଜ୍ଞାନ (ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦)

Comment