ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବେ ଲୋକେ। ନୂଆବର୍ଷରେ ନୂଆ ସ୍ୱପ୍ନ ଦେଖିବା ସହ ଏହାକୁ ପୂରଣ କରିବାକୁ ଲାଗିପଡ଼ିବେ ଲୋକେ। କେତେ ଲୋକ ଏହି ଚେଷ୍ଟାରେ ସଫଳ ହେବେ ତ ଆଉ କେତେକ ଏଥିରେ ବିଫଳ ମଧ୍ୟ ହୋଇପାରନ୍ତି।

୨୦୧୯ ମସିହାର କ୍ରିକେଟ୍ ଇତିହାସରେ ବିସିସିଆଇ ମଧ୍ୟ ଗୋଟିଏ ଚେଷ୍ଟାରେ ଫେଲ୍ ମାରିଛି। କ୍ରିକେଟରୁ ଅବସର ନେବା ପରେ ଧୋନୀଙ୍କ ପ୍ରକୃତ ଉତ୍ତରାଧିକାରୀ ଖୋଜିବା ଚେଷ୍ଟାରେ ଏପର୍ଯ୍ୟନ୍ତ ଫେଲ୍ ମାରିଛି। ବିସିସିଆଇ। ୱିକେଟ୍ କିପର ଭାବେ ଭାରତୀୟ ଟିମକୁ ଜଣେ ଭଲ ଖେଳାଳି ଦେବାକୁ ଫେଲମାରିଛି ବିସିସିଆଇ।

ବର୍ତ୍ତମାନ ମହେନ୍ଦ୍ର ସିଂହ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ତେବେ ଅଳ୍ପ କିଛି ଦିନ ମଧ୍ୟରେ ସେ ଦିନିକିଆ ଓ ଟି-୨୦ରୁ ମଧ୍ୟ ବିଶ୍ରାମ ନେବେ ବୋଲି କୁହାଯାଉଛି। ଧୋନୀ ଅବସର ନେବା ପରେ ୱିକେଟ୍ କିପର ଭାବେ ଭାରତୀୟ ଦଳରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେବ। ତେଣୁ ଏହି ସ୍ଥାନକୁ ଯଥାଶୀଘ୍ର ପୂରଣ କରିବାକୁ ବର୍ଷସାରା ଲାଗିପଡ଼ିଥିଲା ବିସିସିଆଇ। ବର୍ଷ ସରିବାକୁ ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଚେଷ୍ଟାରେ ବିସିସିଆଇ ସଫଳ ହୋଇପାରିନି।ଏହି ପଦ ପାଇଁ ବିସିସିଆଇ ବିଭିନ୍ନ ଖେଳାଳିମାନଙ୍କୁ ଦଳରେ ଖେଳାଇଥିଲା। କିନ୍ତୁ କୌଣସି ଖେଳାଳି ଏହି ପଦ ପାଇଁ ନିଜକୁ ଯୋଗ୍ୟ ବିବେଚିତ କରିପାରିନାହାନ୍ତି। ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଆସିବେ ଦିଲ୍ଲୀ ଖେଳାଳି ରିଷଭ ପନ୍ଥ। ଜଣେ ଦୁର୍ଦ୍ଧଷ ଖେଳାଳୀଭାବେ ନିଜକୁ ପରିଚିତ କରିଥିବା ଏହି ଖେଳାଳି ୱିକେଟ୍ କିପିଂର ମଧ୍ୟ ଟ୍ୟାଲେଣ୍ଟ ଅଛି। ତେଣୁ କେତେକ ତାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ବୋଲି କହୁଛନ୍ତି। ତେବେ ଲଗାତାର ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍ ହେବାରେ ଲାଗିଛନ୍ତି। ଘରୋଇ କ୍ରିକେଟରେ ଦମଦାର ବ୍ୟାଟିଂ କରୁଥିବା ରିଷଭ ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍ ମାରୁଛନ୍ତି। ତେଣୁ ରିଷଭଙ୍କ ଉପରେ ବିସିସିଆଇ ଆସ୍ଥା ପ୍ରକଟ କରିପାରୁନି।ସେହିପରି ଟେଷ୍ଟ କ୍ରିକେଟରେ ରିଦ୍ଧିମାନ ଶାହ ଧୋନୀଙ୍କ ସ୍ଥାନ ପୂରଣ କରିବାରେ କିଛିଟା ସଫଳ ହୋଇ ପାରିଛନ୍ତି। ରିଦ୍ଧିମାନ ଏବେ ଟେଷ୍ଟ ଟିମରେ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇପାରିଛନ୍ତି। କିନ୍ତୁ ବ୍ୟାଟିଂରେ ରିଦ୍ଧିମାନ ଧୋନିଙ୍କ ଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରୁନାହାନ୍ତି। ତାଙ୍କ ବ୍ୟାଟରୁ ଏବର୍ଷ ସେଭଳି କୌଣସି ବଡ଼ ଇଂନିସ ଦେଖିବାକୁ ମିଳିନଥିଲା। ଯାହା ବିସିସିଆଇ ପାଇଁ ଚିନ୍ତାରକାରଣ ପାଲଟିଛି। ରିଦ୍ଧିମାନ କେବଳ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ରହୁଥିବାବେଳେ ଦିନିକିଆ ଓ ଟି-୨୦ ଦଳରେ ନିଜ ସ୍ଥାନ ସୁରକ୍ଷିତ କରିପାରୁନାହାନ୍ତି। ଏପଟେ ବିସିସିଆଇ କିନ୍ତୁ ସମସ୍ତ ଫର୍ମାଟରେ ଜଣେ ନିୟମିତ ୱିକେଟ କିପର ରଖିବାକୁ ଚେଷ୍ଟାକରୁଛି, ଯେଉଁ ପରୀକ୍ଷାରେ ରିଦ୍ଧିମାନ ଫେଲ୍ ମାରୁଛନ୍ତି।ସେହିପରି ମୁମ୍ବାଇ ୱିକେଟ୍ କିପର ଇଷାନ୍ କିଷାନ୍ ମଧ୍ୟ ଏହି ଲିଷ୍ଟରେ ଆଗରେ ରହୁଛନ୍ତି। ମୁମ୍ବାଇ ପାଇଁ ଦମଦାର କ୍ରିକେଟ ଖେଳୁଥିବା ଏହି ଖେଳାଳି ୱିକେଟକିପିଂରେ ଭାରତୀୟ ଦଳର ଭବିଷ୍ୟତ ବୋଲି କୁହାଯାଉଛି। ସେ ଏହା ପୂର୍ବରୁ ଆଇପିଏଲ୍ ଓ ବିଭିନ୍ନ ଘରୋଇ ସିରିଜରେ ମଧ୍ୟ ନିଜ ବ୍ୟାଟିଂର ଜଲବା ଦେଖାଇସାରିଛନ୍ତି। ତେବେ ଏବର୍ଷ ତାଙ୍କ ଅଭିଜ୍ଞତା ନଥିବାରୁ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇନାହିଁ।

ଅନ୍ୟପଟେ କେରଳୀ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ସୀମିତ ଓଭର କ୍ରିକେଟରେ ଭାରତୀୟ ଦଳର ପ୍ରଥମ ପସନ୍ଦର ୱିକେଟ୍ କିପର ହୋଇପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି। କେରଳ ପାଇଁ ରଣଜୀ ସିଜିନରେ ଧୁଆଁଧାର ବ୍ୟାଟିଂ କରୁଥିବା ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ କିନ୍ତୁ ସେଭଳି କୌଣସି ବଡ଼ ସୁଯୋଗ ପାଇପାରିନାହାନ୍ତି। ତେଣୁ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଲେ ସେ ୱିକେଟକିପିଂରେ ଭାରତୀୟ ଦଳର ପ୍ରଥମ ପସନ୍ଦ ହୋଇପାରିବେ ବୋଲି କୁହାଯାଉଛି।ଧୋନିଙ୍କ କ୍ରିକେଟ କ୍ୟାରିଅର ଶେଷ ହେବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଅଛି। ଧୋନୀ ଅବସର ନେବା ସହ ଭାରତୀୟ କ୍ରିକେଟରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେବ ଯାହାକୁ କୌଣସି କ୍ରିକେଟର ପକ୍ଷେ ପୂରଣ କରିବା ନିହାତି ପକ୍ଷେ କଷ୍ଟକର ହେବ। ତେବେ ବିସିସିଆଇ ଏଥିପାଇଁ ଜଣେ ଯୋଗ୍ୟ କ୍ରିକେଟରର ସନ୍ଧାନରେ ରହିଛି।

Comment