ଓଡ଼ିଶାଲାଇଭ୍ ବ୍ୟୁରୋ

“ଯୀଶୁ ଆମକୁ ଶାନ୍ତିର ଶିକ୍ଷା ଦେଇଛନ୍ତି। ଆମ ଶତ୍ରୁକୁ ମଧ୍ୟ କିଭଳି ପ୍ରେମ କରାଯାଇପାରିବ ସେନେଇ ପ୍ରଭୁ ଆମକୁ ମାର୍ଗ ଦେଖାଇଛନ୍ତି। ତାଙ୍କର ଅନ୍ୟନାମ ହେଉଛି ପ୍ରେମ। ସେ ହିଁ ପ୍ରତ୍ୟେକ ପ୍ରାଣୀକୁ ପ୍ରେମ କରିବାର ଶିକ୍ଷା ଦେଇଛନ୍ତି।”

ଏହାଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଭଲ ପାଉଥିବା ମଣିଷର ଅନ୍ତରର କଥା। ବଡ଼ଦିନ ପାଇଁ ସାରା ରାଜଧାନୀ ଉତ୍ସବ ମୁଖର ରହିଥିବାବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମନାପକାଇଛନ୍ତି ତାଙ୍କୁ ଅନ୍ତରରୁ ଭଲ ପାଉଥିବା ମଣିଷମାନେ।ବୁଧବାର ବଡ଼ଦିନ ବା ଖ୍ରୀଷ୍ଟମାସ ସାରା ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିଲା। ମଧ୍ୟରାତ୍ରିରୁ ପ୍ରଭୁଙ୍କ ଜନ୍ମ ପାଳନ କରିବା ସହ ସାରା ଦିନ ଚର୍ଚ୍ଚରେ ସମୟ କାଟିଥିଲେ ରାଜଧାନୀବାସୀ। ଏଥିପାଇଁ ରାଜଧାନୀର ଚର୍ଚ୍ଚମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯିବା ସହ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୀବନୀକୁ ପ୍ରତିମୂର୍ତ୍ତି ଆକାରରେ ଲୋକମାନଙ୍କୁ ଜଣାଯାଇଥିଲା। କେବଳ ଖ୍ରୀଷ୍ଟଧର୍ମର ଲୋକନୁହେଁ ବୁଧବାର ରାଜଧାନୀର ଚର୍ଚ୍ଚମାନଙ୍କରେ ହିନ୍ଦୁ ଲୋକମାନଙ୍କର ବେଶ୍ ଗହଳି ଦେଖାଯାଇଥିଲା।“ବଡ଼ଦିନ କେବଳ ଖ୍ରୀଷ୍ଟଧର୍ମାବଲାମ୍ବୀମାନଙ୍କର ଉତ୍ସବ ନୁହେଁ। ଏହା ସାରା ବିଶ୍ୱର ଲୋକମାନଙ୍କ ପାଇଁ ଏକ ଉତ୍ସବ। ପ୍ରତ୍ୟେକ ଧର୍ମର ଲୋକ ପରସ୍ପରର ଉତ୍ସବକୁ ପାଳନ କରିବା ଉଚିତ୍”, କହିଥିଲେ ଯୀଶୁଙ୍କୁ ମନଦେଇ ଭଲପାଉଥିବା ରୂପଲିନ୍।

ଏହାସହ ଏହି ଦିନରେ ଚର୍ଚ୍ଚମାନଙ୍କରେ ବନ୍ଧୁମିଳନ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ଏହି ଉତ୍ସବର ଆଳରେ ଲୋକମାନେ ତାଙ୍କର ପୁରୁଣା ଦିନର ବନ୍ଧୁମାନଙ୍କୁ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥିଲା। କେବଳ ଯେ ରାଜଧାନୀବାସୀ ତାହା ନୁହେଁ ରାଜ୍ୟ ବାହାରର ଅନେକ ଲୋକ ମଧ୍ୟ ଆଜି ଚର୍ଚ୍ଚରେ ଗହଳି ଲଗାଇଥିବା ଦେଖିବାକୁ ମିଳିଥିଲା। ଛୋଟପିଲାଙ୍କଠାରୁ ଆରମ୍ଭ କରି ସବୁ ବୟସର ଲୋକଙ୍କ ଗହଳି ଲାଗିଯାଇଥିଲା ଚର୍ଚ୍ଚମାନଙ୍କରେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସାକ୍ଷାତ କରି ତାଙ୍କର ଟିକେ ଆଶୀର୍ବାଦ ପାଇବା ପାଇଁ।ବଡ଼ଦିନ ଅବସରରେ ରାଜଧାନୀର ସ୍କୁଲ, କଲେଜ ଛୁଟି ରହିଥିବାରୁ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କର ସାଙ୍ଗସାଥୀଙ୍କୁ ନେଇ ଚର୍ଚ୍ଚ ବୁଲିବାକୁ ଆସିଥିଲେ। ଚର୍ଚ୍ଚରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ସେମାନଙ୍କର ଆଶିଷ ଭିକ୍ଷା କରିଥିଲେ ଛାତ୍ରଛାତ୍ରୀମାନେ।ଆଜିକୁ ପ୍ରାୟ ୨୦୧୯ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ୱାସ ରହିଛି। ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା ମଧ୍ୟ ଶୁଣିବାକୁ ମିଳିଥାଏ। ଏହା ପରେ ନିଜର ଜୀବନ ଅତିବାହିତ କରିବା ପରେ ଶେଷ ଜୀବନରେ ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯାଇ ମାରିଦିଆଯାଇଥିଲା। ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି। ଏହାପରଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ।

Comment