ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରମିଳା ବିଷୋୟୀଙ୍କୁ ନୂଆ ପରିଚୟ ଦେଲା ୨୦୧୯ ନିର୍ବାଚନ। ଆସ୍କାର ତେରମେରିଆ ଗାଁରୁ କେମିତି ଲୋକସଭା ଗଲେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌- ୨୦୧୯’ ରିପୋର୍ଟରୁ।

କୁହାଯାଏ ଭାଗ୍ୟରେ ଯଦି ରାଜ ଯୋଗ ଅଛି ତାହାଲେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଏଇ ଯେମିତି ପ୍ରମିଳା ବିଷୋୟୀଙ୍କ କ୍ଷେତ୍ରରେ ଘଟିଲା। ବୟସ ୭୮ ଛୁଇଁଥିଲେ ବି ୨୦୧୯ ନିର୍ବାଚନ ତାଙ୍କ ଭାଗ୍ୟ ଖୋଲିଛି। ସେ ଆସ୍କା ଲୋକସଭା ଆସନରୁ ସାଂସଦ ହୋଇଛନ୍ତି।

୨୦୧୯ ମାର୍ଚ୍ଚ ୧୦ ତାରିଖ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କଲେ ଏଥର ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ଟିକେଟ ଦେବ। ଏହି ଘୋଷଣା ପରେ ମହିଳା ଆଶାୟୀଙ୍କ ଲବି ବଢ଼ିଲା। କିଏ କେଉଁଠୁ ଟିକେଟ ପାଇବ ତାକୁ ନେଇ ଚର୍ଚ୍ଚା ମଧ୍ୟ ହେଲା।

ମାର୍ଚ୍ଚ ୧୮ ତାରିଖ। ନବୀନ ନିବାସରେ ନବୀନ ତିନି ଜଣ ମହିଳା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। କୋରାପୁଟ ଲୋକସଭା ଆସନ ପାଇଁ କୌଶଲ୍ୟା ହିକ୍‌କା, ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ସୁନିତା ବିଶ୍ୱାଳ ଏବଂ ଆସ୍କା ପାଇଁ ପ୍ରମିଳା ବିଷୋୟୀ।

ଏହି ତିନି ଜଣଙ୍କ ଭିତରୁ କୌଶଲ୍ୟା ଏବଂ ସୁନିତା ଥିଲେ ଜଣାଶୁଣା ଚେହେରା। କୌଶଲ୍ୟା ପୂର୍ବତନ ସାଂସଦ ଝିନ୍ନ ହିକ୍‌କାଙ୍କ ସ୍ତ୍ରୀ ହୋଇଥିବା ବେଳେ ସୁନିତା ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ଏହି ଦୁଇ ଜଣଙ୍କୁ ଲୋକେ ଅଳ୍ପ ବହୁତେ ଜାଣିଥିଲେ। କିନ୍ତୁ ପ୍ରମିଳା ବିଷୋୟୀ ଥିଲେ ରାଜନୀତି ଦୁନିଆରେ ସମ୍ପୂର୍ଣ୍ଣ ନୂଆ। ନା ସେ ନିଜେ କେବେ କୌଣସି ରାଜନୀତିକ ଦଳରେ ଥିଲେ ନା ତାଙ୍କ ପରିବାରର କିଛି ରାଜନୀତି ସହ ସମ୍ପର୍କ ଥିଲା।

ନବୀନ ଯେତେବେଳେ ପ୍ରମିଳାଙ୍କ ନାଁ ଘୋଷଣା କଲେ ଅନ୍ୟ ନିର୍ବାଚନମଣ୍ଡଳୀ କଥା ଛାଡ଼ନ୍ତୁ, ଆସ୍କା ଭୋଟର ବି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରମିଳା କିଏ ଏବଂ ତାଙ୍କ ବ୍ୟାକ୍‌ଗ୍ରାଉଣ୍ଡ କ’ଣ ତାକୁ ନେଇ ଚାରିଆଡ଼େ ଟୁପୁର ଟାପୁରୁ ଚାଲିଲା। ଯେତେବେଳେ ଟିଭି ପରଦାରେ ପ୍ରମିଳାଙ୍କ ଫଟୋ ଆସିଲା ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଲା ଯେ ନବୀନ ଏହି ମହିଳାଙ୍କୁ କାହିଁକି ଟିକେଟ ଦେଲେ? ସୋସିଆଲ ମିଡିଆରେ ବି ପ୍ରମିଳାଙ୍କ ଫଟୋ ଘୂରି ବୁଲିଲା।

କିଏ କହିଲା ଆସ୍କାରେ ପ୍ରମିଳା ଜିତି ପାରିବେନି। କାରଣ ତାଙ୍କର ଲୋକ ସମ୍ପର୍କ ନାହିଁ କି ସେ ରାଜନୀତିରେ ଅଭିଜ୍ଞ ନୁହନ୍ତି। ଆଉ କିଛି ଲୋକ ମତ ଦେଲେ ଯେ ପରିଣତ ବୟସରେ ପ୍ରମିଳା ଲୋକସଭା ଯାଇ କରିବେ କ’ଣ? ହିନ୍ଦୀ କିମ୍ବା ଇଂଲିସ୍‌ ତ ଦୂରର କଥା, ସେ ଓଡ଼ିଆ ବି ଠିକ୍‌ରେ କହି ପାରିବେନି। ନବୀନ ପ୍ରମିଳାଙ୍କୁ ପ୍ରାର୍ଥୀ କରି ମସ୍ତବଡ ଭୁଲ୍‌ କରିଥିବା ଚାରିଆଡ଼େ ଆଲୋଚନା ହେଲା।

ହେଲେ ଯେତେବେଳେ ନିର୍ବାଚନ ଫଳ ବାହାରିଲା ସମସ୍ତେ ତାଜୁବ୍‌ ହୋଇଗଲେ। ପ୍ରମିଳା ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ନିର୍ବାଚନ ଜିତିଲେ। ଏବେ ସେ ସାଂସଦ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରୁ ଆସିଥିବା ପ୍ରମିଳା ୨୦୧୯ରେ ରାତାରାତି ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ।

ପ୍ରମିଳାଙ୍କ ପରିବାର

ପ୍ରମିଳା ମାତ୍ର ୫ ବର୍ଷ ବୟସରେ ବାଞ୍ଛାନିଧି ବିଷୋୟୀଙ୍କୁ ବିବାହ କରିଥିଲେ।

ପ୍ରମିଳାଙ୍କ ବଡ଼ ପୁଅ ଦିଲ୍ଲୀପ (୪୮) ଏକ ବାଇକ ଗ୍ୟାରେଜ ଖୋଲିଥିବା ବେଳେ ସାନ ପୁଅ ରଞ୍ଜନ ଏକ ଚା’ ଦୋକାନ ଖୋଲିଛନ୍ତି। ତାଙ୍କର ଦୁଇ ଝିଅ ବିବାହ କରି ସାରିଛନ୍ତି। ପୂର୍ବରୁ ପ୍ରମିଳା ପାଚିକା ସହାୟିକା ଥିଲେ।

ଭୁବନେଶ୍ୱରରୁ ଅଚାନକ ଫୋନ୍‌

ମାର୍ଚ୍ଚ ୧୮ରେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ୧୭ ତାରିଖରେ ଫୋନ ଆସିଥିଲା। ପ୍ରମିଳାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବାକୁ ଚାହୁଁଥିବା ଏହି ଫୋନରେ କୁହାଯାଇଥିଲା। ଗାଡ଼ି ଭଡ଼ା କରି ଭୁବନେଶ୍ୱର ଆସିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଘଣ୍ଟାଏ ପରେ ଆମ ଘର ଆଗରେ ଏକ ଗାଡ଼ି ଲାଗିଥିଲା। ଏହି ଗାଡ଼ିରେ ପ୍ରମିଳା ଏବଂ ତାଙ୍କ ସ୍ୱାମୀ ନବୀନ ନିବାସ ଆସିଥିଲେ। ସେଠାରେ ନବୀନ ପ୍ରମିଳାଙ୍କୁ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ପ୍ରାର୍ଥୀ ହେବା ସମ୍ପର୍କରେ ପ୍ରମିଳା ସେତେବେଳେ କହିଥିଲେ, ‘‘ସବୁ ଜଗନ୍ନାଥଙ୍କ ଇଚ୍ଛା। ଆଜିକାଲି ଟଙ୍କା ଦେଲେ ବି ଟିକେଟ ମିଳୁନି। କିନ୍ତୁ ନବୀନ ବାବୁ ମତେ ଡାକିକି ଟିକେଟ ଦେଇଛନ୍ତି। ପ୍ରକୃତରେ ମୁଁ ବହୁତ ଖୁସି ଏବଂ ନବୀନ ବାବୁଙ୍କୁ ଧନ୍ୟବାଦ।’’

ଗାଁ ଗହଳିରେ ବଢ଼ିଥିବା ପ୍ରମିଳା ବିଷୋୟୀଙ୍କ ଜୀବନଶୈଳୀ ଅତି ସାଧାରଣ। ସେ ନିରାଡ଼ାମ୍ବର ଜୀବନ ଯାପନ କରନ୍ତି। କାଞ୍ଜି, ମାଣ୍ଡିଆ ଜାଉ, ଶାଗ ହେଉଛି ପ୍ରମିଳାଙ୍କର ପସନ୍ଦର ଖାଦ୍ୟ।

ସ୍ୱୟଂ ସହାୟକ ଗୋଷ୍ଠୀରୁ ଲୋକସଭା

୧୮ ବର୍ଷ ତଳେ ଆସ୍କା ତେରମେରିଆ ଗାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ ପ୍ରମିଳା। ଗାଁ ଗହଳିର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ଗୋଷ୍ଠୀ ଗଠନ ହୋଇଥିଲା। ପ୍ରମିଳା ଯଦିଓ ଉଚ୍ଚ ଶିକ୍ଷିତା ନୁହନ୍ତି, ହେଲେ ନିଜ ନିଷ୍ଠା ବଳରେ ସେ ଏସବୁ କାମ କରିଥିଲେ। ଗାଁ ଗାଁ ବୁଲି ମହିଳାମାନଙ୍କୁ ଏକାଠି କରିଥିଲେ। ପ୍ରାୟ ୭୦ ହଜାର ମହିଳାଙ୍କୁ ଏକାଠି କରିଥିଲେ ପ୍ରମିଳା।

ଗାଁ ସ୍ୱୟଂ ସହାୟକ ଗୋଷ୍ଠୀ କରିଥିବା ପ୍ରମିଳା ସ୍ୱପ୍ନରେ କେବେ ବି ଲୋକସଭା ସାଂସଦ ହେବେ ଭାବି ନଥିଲେ। କିନ୍ତୁ ୨୦୧୯ ତାଙ୍କୁ ଏହି ସୁଯୋଗ ଦେଇଛି। ଅଖ୍ୟାତ ପଲ୍ଲୀର ପ୍ରମିଳା ଏବେ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା।

Comment