ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ରାଜନେତା ସ୍ଵର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତି ସଭା ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ଛାମୁଆ ରାଜନେତା ଉପସ୍ଥିତ ରହିଥିଲା। ଏହାସହ ପ୍ରଶାସକ, ସାମ୍ଵାଦିକ ଓ ସାଧୁ ସନ୍ୟାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତି ବଖାଣି ଥିଲେ।

ଡିସେମ୍ଵର ୭ ତାରିଖ ରାତି ୧୨ଟା ୫୦ ମିନିଟ୍‌ରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସ ରାଜନୀତିର ପ୍ରମୁଖ ବିନ୍ଧା‌ଣୀ ସାଜିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ପ୍ରମୁଖ ନେତାଙ୍କ ପରଲୋକରେ ରାଜ୍ୟ କଂଗ୍ରେସରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି।

୧୯୨୭ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ସଠିଲୋ ଗାଁରେ ଜନ୍ମ ନେଇଥିଲେ ଭାଗବତ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷକରି ସାଲେପୁର ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଶେଷକରି କଟକ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାକରିଥିଲେ। ଏହାପରେ ରାଜନିତୀ, ସମାଜ ସେବା ଓ ଆଇନ ସେବାରେ ମନବଳାଇ ଥିଲେ।

୧୯୭୧ ମସିହାରେ ସୋସିଆଲିଷ୍ଟ ନେତା ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କ ଡାକରାରେ କେନ୍ଦ୍ରାପଡ଼ା ବିଧାନଭା ଆସନରୁ ପ୍ରଥମେ ବିଧାୟକ ଭାବେ ଜିତି ପ୍ରତ୍ୟକ୍ଷ ରାଜନିତୀରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ୧୯୪୦ ରୁ ୧୯୬୦ ପର୍ଯ୍ୟନ୍ତ ସତ୍ୟାଗ୍ରହ ଆନ୍ଦୋଳନର ସକ୍ରିୟ ନେତାଥିଲେ। କେନ୍ଦ୍ରାପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଗରଦପୁର ପଞ୍ଚାୟତ ସମିତିର ସଦସ୍ୟ ଓ କେନ୍ଦ୍ରାପଡା ପୌର କାଉନସିଲର ସଦସ୍ୟ ରହିଥିଲେ।

୧୯୭୩  ମସିହାରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ କଂଗ୍ରେସର ଯୋଗଦେଇଥିଲେ। କେନ୍ଦ୍ରାପଡ଼ା ବିଧାନସଭାରୁ ସେ ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୦୦ ମସିହାରେ ବିଧାୟକ ଥିବା ବେଳେ ସେ ଗିରିଧାରୀ ଗମାଙ୍ଗ ଓ ହେମାନନ୍ଦ ବିଶ୍ଵାଳଙ୍କ ମୁଖ୍ୟମନ୍ତ୍ରୀ ସମୟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳୀରେ ରାଜସ୍ଵ ଓ ଅବକାରୀ ବିଭାଗ ପରେ ଉଚ୍ଚଶିକ୍ଷା, ପ୍ଲାନିଂ ଓ କୋର୍ଡିନେସନ ଏପରିକି ଅର୍ଥ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ।

ସମାଜ ସେବା, ରାଜନୀତି ଓ ଆଇନ ସେବାକୁ ଏକାଠି କରି ଆସୁଥିବା ଭାଗବତ ପ୍ରସାଦ ମହାନ୍ତି ୧୯୯୦ ମସିହା ବେଳକୁ ଆଇନ ସେବାରୁ ନିଜକୁ ଦୂରେଇ ନେଇ ତାଙ୍କର ସମସ୍ତ ଆଇନ ପୁସ୍ତକଗୁଡିକୁ କେନ୍ଦ୍ରାପଡା ଓକିଲ ସଙ୍ଘ ପାଠାଗାରକୁ ଦାନ କରିଦେଇଥିଲେ। ୧୯୮୯ ମସିହାରେ ସେ ବିଧାୟକ ଥିବା ବେଳେ କେନ୍ଦ୍ରାପଡା ସବଡିଭଜନକୁ ଏକ ନୂତନ ଜିଲ୍ଲା କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ।

ବୁଧବାର ଭାଗବତ ପ୍ରସାଦଙ୍କ ସ୍ମୃତିରେ ଆୟୋଜିତ ଏହି ସଭା କେନ୍ଦ୍ରାପଡା ସହରର ତହସିଲ ନିକଟ ପଡିଆରେ ଭାଗବତ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଉପସ୍ଥିତ ଥିଲେ।

ଏହାଛଡ଼ା ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ଭୂବନମୋହନ ଜେନା, ରାଜନଗରରର ପୂର୍ବତନ ବିଧାୟକ ଅଲେଖ ଜେନା, ସିପିଆଇ ନେତା ବାବାଜୀ ଧଳ, ସିପିଏମ୍ ନେତା ଗୟାଧର ଧଳ, ବରିଷ୍ଠ ଚିକିତ୍ସକ ବୈଷ୍ଣବ ପରିଡା, ବିଶିଷ୍ଟ ସାଧ୍ଵୀ ଦିବ୍ୟ ସ୍ଵରୂପାନନ୍ଦ। କେନ୍ଦ୍ରାପଡା ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଭାଗବତ ପ୍ରସାଦ ମହାନ୍ତିଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment