ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି କେବଳ ଦୀର୍ଘସ୍ଥାୟୀ ହୋଇନାହିଁ, ଏକ ଆଞ୍ଚଳିକ ଦଳ ଭାବେ ପାଞ୍ଚ ଥର କ୍ଷମତାରେ ରହି ସମଗ୍ର ଦେଶରେ ଏକ ଇତିହାସ ସୃଷ୍ଟି କରିଛି।
ବିଜୁ ଜନତା ଦଳ (ବିଜେଡି)କୁ ୨୨ ପୂରି ଆଜିଠୁ ଚାଲିଲା ୨୩। ବିଜେଡି ଏବେ ୨୩ ବର୍ଷର ଯୁବକ। ଏହି ୨୩ ବର୍ଷ କିଛି ଛୋଟିଆ ସମୟ ନୁହେଁ। ୧୯୯୭ରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହୋଇଥିବା ଦଳ ସଫଳତାର ସହ କେମିତି ୨୨ ବର୍ଷ ଅତିକ୍ରମ କଲା ତାହା ଅନେକ ରାଜନୀତି ପଣ୍ଡିତଙ୍କୁ ବି ବସ୍ମିତ କରେ।
ଭାରତରେ ଅନେକ ଆଞ୍ଚଳିକ ଦଳ ଅଛି। ହେଲେ କେଉଁ ଆଞ୍ଚଳିକ ଦଳ ଲଗାତର ପାଞ୍ଚ ଥର ଶାସନ ଗାଦିରେ ବସିଥିବାର ନଜିର ନାହିଁ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ହେଉଛି ଏକମାତ୍ର ଆଞ୍ଚଳିକ ଦଳ ଯିଏ ୧୯ ବର୍ଷ ହେଲା ଓଡ଼ିଶାର ଶାସନ ଗାଦିକୁ ସମ୍ଭାଳି ଆସିଛି।
୧୯୯୭ରୁ ୨୦୧୯ ଯାଏଁ ବିଜେଡିର ଯାତ୍ରା କେମିତି ଥିଲା ଜାଣନ୍ତୁ ଏହି ରିପୋର୍ଟରୁ।
ବିଜୁ ବାବୁଙ୍କ ଦେହାନ୍ତ ଓ ବିଜେଡିର ପ୍ରତିଷ୍ଠା
୧୯୯୭ ମସିହା ଏପ୍ରିଲ ୧୭ ତାରିଖ। ଓଡ଼ିଶାର ରାଜନୀତି ଆକାଶରେ ଘୋଟିଗଲା କଳା ବାଦଲ। ଯିଏ ଯେଉଁଠି ଥିଲେ ସ୍ତବ୍ଧ ହୋଇଗଲେ। ଦିଲ୍ଲୀରୁ ଖବର ଆସିଲା ଯେ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ବିଜୁଙ୍କ ପଟ୍ଟ ଶିଷ୍ୟମାନେ ଦିଲ୍ଲୀ ଧାଇଁଗଲେ। ବିଜୁଙ୍କ ମର ଶରୀର ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଲୋକାରଣ୍ୟ ହୋଇ ଯାଇଥିଲା ଭୁବନେଶ୍ୱର। ପୁରୀ ସ୍ୱର୍ଗଦ୍ୱାରରେ ବିଜୁଙ୍କ ଅନ୍ତିମ ସଂସ୍କାର ପରେ ବିଜୁଙ୍କ ପଟ୍ଟଶିଷ୍ୟମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା। ରାଜନୀତିରେ କେମିତି ଆଗକୁ ବଢ଼ିବେ ତାକୁ ନେଇ ମାନସ ମନ୍ଥନ ଚାଲିଲା।
ଶେଷରେ ବିଜୁଙ୍କ ନାଁରେ ଆଞ୍ଚଳିକ ଦଳ ଗଠନ କରିବାକୁ ନିଷ୍ପତ୍ତି ହେଲା। ୧୯୯୭ ଡିସେମ୍ବର ୨୬ରେ ବିଜୁଙ୍କ ନାଁରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ବିଜୁଙ୍କ ଆଦର୍ଶ, ବିଚାରଧାରା ଓ ଲକ୍ଷ୍ୟକୁ ନେଇ ଏହି ଦଳ ଗଠନ କରାଯାଇଥିଲା।
ନବୀନ ଧରିଲେ ବିଜେଡି ମଙ୍ଗ
ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେବେଳେ ବିଜୁ ପରିବାରର ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେଇଥିଲା ସେତେବେଳେ ନବୀନ ହିଁ ରାହା ପାଲଟିଥିଲେ। ଓଡ଼ିଶାରେ ଜନତା ଦଳ ଭାଙ୍ଗି ସୃଷ୍ଟି ହେଲା ବିଜୁ ଜନତା ଦଳ। ବିଜୁ ବାବୁଙ୍କ ନାଁରେ ଗଠିତ ଏହି ରାଜନୈତିକ ଦଳର ନେତୃତ୍ୱ ନେଇ ନବୀନ ନୂଆଦିଲ୍ଲୀର ଭିନ୍ନ ଜୀବନଶୈଳୀ ଛାଡି ଓଡ଼ିଶାରେ ଆସି ପହଞ୍ଚିଥିଲେ। ବିଜୁଙ୍କ ପୁଅ ଭାବେ ନବୀନ ବିଜୁ ଜନତା ଦଳର ମଙ୍ଗ ଧରିଥିଲେ।
୧୯୯୭ରୁ ୨୦୧୯। ଏହି ୨୨ ବର୍ଷ ଭିତରେ ନବୀନ ସଫଳତାର ସହ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରି କ୍ଷମତା ଓ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି। ଏହି ସମୟ ଭିତରେ ନବୀନ ବିଭିନ୍ନ ଆହ୍ଵାନର ମୁକାବିଲା କରିଥିଲେ ମଧ୍ୟ ସେ ସବୁକୁ ସଫଳତାର ସହ ଉଡାଇ ଦେଇଛନ୍ତି।
୨୨ ବର୍ଷ ହେଲା ନବୀନ ବିଜେଡିର ସଭାପତି ରହି ଆସିଛନ୍ତି। ତାଙ୍କର ସଫଳ ରଣନୀତି ଯୋଗୁଁ ନେତୃତ୍ୱକୁ ନେଇ କେବେ କନ୍ଦଳ ଦେଖା ଦେଇନି। ଯେତେବେଳେ ଦ୍ୱିତୀୟ କ୍ଷମତା କେନ୍ଦ୍ର କଥା ଉଠିଛି ନବୀନ ସେତେବେଳେ କଠୋର ପଦକ୍ଷେପ ନେବାକୁ ପଛାଇ ନାହାନ୍ତି।
ବିଜେଡିର ଜୟ ଯାତ୍ରା – ୨୦୦୦ରୁ ୨୦୧୯
ଓଡ଼ିଶା ରାଜନୀତିରେ ଆକସ୍ମିକ ଭାବେ ପ୍ରବେଶ କରିଥିବା ନବୀନ ୧୯୯୭ରେ ଆସିକା ଲୋକସଭା ଆସନରେ ପରୀକ୍ଷା ଦେଇଥିଲେ। ପ୍ରଥମ ପରୀକ୍ଷାରେ ନବୀନ ସଫଳତା ହାସଲ କରିଥିଲେ। ଆସିକା ଆସନରୁ ଜିତି ନବୀନ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କ ରାଜନୀତିକ ଇନିଂସ୍ ଆରମ୍ଭ କରିଥିଲେ।
ନବୀନଙ୍କ ନେତୃତ୍ୱାଧୀନ ବିଜେଡି କିନ୍ତୁ ଅସଲ ପରୀକ୍ଷା ଦେଇଥିଲା ୨୦୦୦ ମସିହା ବିଧାନସଭା ନିର୍ବାଚନରେ। ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇଥିଲା। ନବୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ। ୨୦୦୯ ଯାଏଁ ବିଜେପି ସହଯୋଗରେ ବିଜେଡି ଓଡ଼ିଶାର ଶାସନ ଡୋର ହାତରେ ଧରିଥିଲା।
୨୦୦୯ରେ କିନ୍ତୁ ବିଜେଡି ବିଜେପି ହାତ ଛାଡ଼ିଦେଲା। ସେତେବେଳେ ଏନ୍ସିପି ସହ କିଛି ଆସନ ବୁଝାମଣା କରିଥିଲା ବିଜେଡି। ନବୀନଙ୍କ ନେତୃତ୍ୱରେ ବିଜେଡି ପୁଣି କ୍ଷମତାକୁ ଆସିଲା।
୨୦୧୪ ଏବଂ ୨୦୧୯ ଥିଲା ବିଜେଡି ପାଇଁ ପରୀକ୍ଷାର ବର୍ଷ। ସାରା ଦେଶରେ ନରେନ୍ଦ୍ର ମୋଦୀଙ୍କ ଲହର କାମ କରୁଥିବା ବେଳେ ଓଡ଼ିଶାରେ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗିବା ପାଇଁ ବିରୋଧୀ ରଣନୀତି ମଧ୍ୟ କଲେ। ହେଲେ ନବୀନଙ୍କ ନେତୃତ୍ୱରେ ବିଜେଡି ତାର ଦୁର୍ଗକୁ ସୁରକ୍ଷିତ ରଖି ପାରିଛି। ପୁଣି ଥରେ ନବୀନଙ୍କ ନେତୃତ୍ୱରେ ବିଜେଡି ପଞ୍ଚମ ଥର ପାଇଁ ସରକାର ଗଠନ କରିଛି।
ଏହି ୧୯ ବର୍ଷ ଭିତରେ ବିଜେଡି ଅନେକ ନିର୍ବାଚନ ଏବଂ ଉପ-ନିର୍ବାଚନକୁ ସାମ୍ନା କରିଛି। ପୌର ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ, ସବୁଠି ବିଜେଡି ବିଜୟ ବାନା ଉଡ଼ାଇ ଆସିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିଜେପି ଚେକ୍ ଦେଇଥିଲେ ମଧ୍ୟ ସଫଳ ରଣନୀତି ଯୋଗୁଁ ବିଜେଡି ଉପରେ କିଛି ପ୍ରଭାବ ପଡ଼ି ନଥିଲା।
ନାହାନ୍ତି ପ୍ରତିଷ୍ଠାତା ସଭ୍ୟ
୨୨ ବର୍ଷ ଭିତରେ ବିଜେଡିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯେଉଁମାନେ ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ଭିତରୁ ଅଧିକାଂଶ ନେତା ବିଜେଡିରେ ନାହାନ୍ତି। ଯେଉଁମାନେ ବି ଅଛନ୍ତି ସେମାନଙ୍କୁ ଆଗ ଧାଡ଼ିରେ ଦେଖିବାକୁ ମିଳୁନି।
ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରେ ଏକ ଘଟଣାଚକ୍ରରେ ବିଦା କରାଯାଇଥିବା ବେଳେ ଦିଲ୍ଲୀପ ରାୟ ମଧ୍ୟ ଦଳ ଛାଡ଼ିଥିଲେ। ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, କମଳା ଦାସ ବି ଆଉ ଦଳରେ ନାହାନ୍ତି। ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ସୁର ନାୟକ ବୟସାଧିକ ଯୋଗୁଁ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଗତ ନିର୍ବାଚନରେ ଟିକେଟ ଦେଇନି। ବିଜୁଙ୍କୁ ନିଜ ଆଦର୍ଶ ବୋଲି ମାନୁଥିବା ଡାକ୍ତର ଦାମୋଦର ରାଉତ ମଧ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ପ୍ରଫୁଲ୍ଲ ଘଡ଼ାଇ ଦଳକୁ ଫେରିଥିଲେ ମଧ୍ୟ ତାଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁନି। ଏବେ ଯୁବ ନେତାଙ୍କ ହାତରେ ବିଜେଡିର କମାଣ ରହିଛି।
ବିଜେଡି ରଚିଲା ଇତିହାସ
ଓଡ଼ିଶାରେ ଆଞ୍ଚଳିକ ଦଳ ଗଠନ କିଛି ନୂଆ କଥା ନୁହେଁ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ଚାରି ଜଣ ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ଦଳ ଗଠନ କରିଥିଲେ। ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ‘ଗଣତନ୍ତ୍ର ପରିଷଦ’, ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ଜନକଂଗ୍ରେସ’, ବିଜୁ ପଟ୍ଟନାୟକଙ୍କ ‘ଉତ୍କଳ କଂଗ୍ରେସ’ ଏବଂ ନନ୍ଦିନୀ ଶତପଥୀଙ୍କ ‘ଜାଗ୍ରତ ଓଡ଼ିଶା’ ଏବଂ ‘କଂଗ୍ରେସ ଫର୍ ଡେମୋକ୍ରାସି’। ହେଲେ ଏସବୁ ଦଳ ଦୀର୍ଘସ୍ଥାୟୀ ହୋଇପାରି ନଥିଲା।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି କେବଳ ଦୀର୍ଘସ୍ଥାୟୀ ହୋଇନାହିଁ, ଏକ ଆଞ୍ଚଳିକ ଦଳ ଭାବେ ଏକାଦିକ୍ରମେ କ୍ଷମତାରେ ରହି ସମଗ୍ର ଦେଶରେ ଏକ ଇତିହାସ ସୃଷ୍ଟି କରିଛି।
ନବୀନଙ୍କ କଥା କହିବା ଶୈଳୀ ହିଁ ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଛି। ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ର ଓ ବିଭିନ୍ନ ବର୍ଗଙ୍କ ପାଇଁ ଯୋଜନା ପ୍ରବର୍ତ୍ତନ କରି ନବୀନ ସାଢ଼େ ୪ କୋଟି ଲୋକଙ୍କ ହୃଦୟକୁ ଛୁଇଁଛନ୍ତି। ବିରୋଧୀଙ୍କ ସବୁ ରଣନୀତି ଫେଲ୍ କରି ନବୀନ ପୋଖତ ରାଜନେତାର ପ୍ରମାଣ ଦେଇଛନ୍ତି।
ବହୁ ଘାତ ପ୍ରତିଘାତକୁ ସାମ୍ନା କରି ବିଜେଡି ଗୋଟିଏ ପରେ ଗୋଟିଏ ସଫଳତା ସିଡ଼ି ଚଢ଼ି ଚାଲିଛି। ବିଧାନସଭା ହେଉ କି ଲୋକସଭା, ପୌର ହେଉ କି ପଞ୍ଚାୟତ ନିର୍ବାଚନ ସବୁଠି ବିଜେଡିର ପ୍ରଭାବ ରହିଛି। ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ନିର୍ବାଚନମଣ୍ଡଳୀରେ ଉତ୍ସବ ପାଳନ କରାଯାଇଛି। ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ନବୀନ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି।








ବିଜେଡି କେବଳ ଦୀର୍ଘସ୍ଥାୟୀ ହୋଇନାହିଁ, ଏକ ଆଞ୍ଚଳିକ ଦଳ ଭାବେ ପାଞ୍ଚ ଥର କ୍ଷମତାରେ ରହି ସମଗ୍ର ଦେଶରେ ଏକ ଇତିହାସ ସୃଷ୍ଟି କରିଛି।









