ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ର ପଟ୍ଟନାୟିକିଆ ଟ୍ରିପଲ ମର୍ଡର। କାହିଁକି ତିନି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ଦୁର୍ବୃତ୍ତ। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

୨୦୧୯ର ଚର୍ଚ୍ଚିତ ଅପରାଧ, ଯାହାକି ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇଥିଲା। ୨୦୧୯ ବର୍ଷ ସରିବା ପୂର୍ବରୁ ଥରେ ନଜର ପକାଇ ଦେବା ଓଡ଼ିଶାରେ ଘଟିଥିବା ସେହିଭଳି କିଛି ଅପରାଧ ଉପରେ। ପୁରୀ ଜିଲ୍ଲା ରଥଯାତ୍ରା ପାଇଁ ଉତ୍ସବମୁଖର ଥିବା ବେଳେ ଅନ୍ୟପଟେ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଦିନଦ୍ଵିପ୍ରହରରେ ୩ ଭାଇଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ। ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ସନ୍ଦହେ କରାଯାଉଥିଲା।

ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକ ପଟ୍ଟନାୟିକିଆ ଛକରେ ପୋଡ଼ା ଜଳା କରିବା ସହ ରାସ୍ତା ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ହତ୍ୟାକାଣ୍ଡର ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

କେମିତି କରିଥିଲେ ହତ୍ୟା?

ଜୁଲାଇ ୧୪ ତାରିଖରେ ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଥାନା ସାକ୍ଷୀଗୋପାଳ ପଟ୍ଟନାୟିକିଆ ଛକରେ ଦିନଦ୍ଵିପ୍ରହରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ସଦାନନ୍ଦ ଗାଁର ଗୋଟିଏ ପରିବାରର ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା କିଛି କାମ ନେଇ ପଟ୍ଟନାୟିକିଆକୁ ଆସିଥିଲେ। ସେଠାରେ ଏକ ଦୋକାନ ନିକଟରେ ଛପି ରହି କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ। ତିନି ଜଣଙ୍କୁ ଖଣ୍ଡା ଓ ଫାର୍ଶାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ। ତିନି ଭାଇ ନିଜ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଏହି ତିନିଜଣଙ୍କ ମୃତ୍ୟୁ ଘଟିଥିଲା।

ପୋଲିସ ଆରମ୍ଭ କରିଥିଲା ତଦନ୍ତ

ହତ୍ୟାକାଣ୍ଡ ପରେ ପୋଲିସ ଆରମ୍ଭ କରିଥିଲା ଛାନ୍‌ଭିନ୍‌। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗୋବିନ୍ଦ ବେହେରା ପରିବାର ଲୋକଙ୍କର ଏହି ହତ୍ୟାକାଣ୍ଡରେ ହାତ ଥିବା ଜାଣି ପୋଲିସ ଅପରାଧିଙ୍କୁ ଧରିବାକୁ ଲାଗି ପଡ଼ିଲା।

ବିଧାନସଭାରେ ଉଠିଲା ହତ୍ୟାକାଣ୍ଡ ମାମାଲା

ଏହି ହତ୍ୟାକାଣ୍ଡ ମାମଲା ବିଧାନସଭାରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା। ଟ୍ରିପଲ ମର୍ଡର ଘଟଣାକୁ ବିରୋଧୀ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଥିବା ବିରୋଧୀ ଅଭିଯୋଗ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ଗୃହ ଅଚଳ କରିଥିଲେ।

ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ବିବୃତି ରଖି କହିଥିଲେ, “ଜୁଲାଇ ୧୪ ତାରିଖରେ ପଟ୍ଟନାୟିକିଆରେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ହତ୍ୟାକାଣ୍ଡ ପରେ ସତ୍ୟବାଦୀ ଥାନାରେ ମୃତକଙ୍କ ପରିବାର ବର୍ଗ ପକ୍ଷରୁ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା। ଏତଲା ପରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।”

୮ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଏହି ଘଟଣାରେ ଶେଷରେ ପୋଲିସ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୂର୍ବରୁ ମିଟୁ ବେହେରା ଓ ପୁନିଆ ବେହେରାଙ୍କୁ ପୋଲିସ ଗିରଫ କରିଥିଲା। ପରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ୬ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ୮ ଜଣ ହିଁ ଟ୍ରିପଲ୍‌ ମର୍ଡରରେ ସାମିଲ ଥିବା ପୋଲିସ ସ୍ପଷ୍ଟ କରିଥିଲା।

ହତ୍ୟାକାଣ୍ଡ ପଛର କାରଣ ୩୦ ବର୍ଷ ତଳର ପାରିବାରିକ ବିବାଦ

୩୦ ବର୍ଷ ତଳର ପାରିବାରିକ ବିବାଦ ୩ ଭାଇଙ୍କ ହତ୍ୟାର କାରଣ। ୩୦ ବର୍ଷ ତଳେ ଗାଁରୁ ଆରମ୍ଭ ହୋଇଥିଲା ବିବାଦ। ଜମିବାଡ଼ି ପାଇଁ ଈଶ୍ଵର ବେହେରା ଓ ଗୋବିନ୍ଦ ବେହେରାଙ୍କ ପରିବାର ମଧ୍ୟରେ ଲାଗି ଥିଲା ବିବାଦ। ସେତେବେଳେ ଈଶ୍ଵର  ବେହେରାଙ୍କୁ ହାଣିଥିଲେ ଗୋବିନ୍ଦ ବେହେରାଙ୍କ ପରିବାର ଲୋକେ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଗିରଫ କରାଯାଇଥିଲା। ପରେ ଏହି ବିବାଦ କୁହୁଳିବାରେ ଲାଗିଥିଲା। ଏହାପରେ ଈଶ୍ଵର ବେହେରାଙ୍କ ପୁଅ ତଥା ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ରେଳ ଲାଇନ୍ ଉପରୁ ମିଳିଥିଲା।

ପରିବାର ଲୋକେ ଅଜୟଙ୍କୁ ହତ୍ୟା କରାଯାଇଥିବା ଏବଂ ଏଥିରେ ଗୋବିନ୍ଦ ବେହେରାଙ୍କ ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଈଶ୍ଵର ଏବଂ ଗୋବିନ୍ଦଙ୍କ ମୃତ୍ୟୁ ପରେ ବି ମଝିରେ ମଝିରେ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଈଶ୍ଵର ବେହେରାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବାର ସୁଯୋଗ ଉଣ୍ଡୁଥିଲେ ଗୋବିନ୍ଦଙ୍କ ପରିବାର ଲୋକେ। ସେହି ସୁଯୋଗ ମିଳିଥିଲା ଜୁଲାଇ ୧୪ ତାରିଖ ୨୦୧୯ରେ।  ଯେଉଁଥିରେ ଇଶ୍ଵର ବେହେରାଙ୍କ ପରିବାରର ୩ ଭାଇ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରାଙ୍କ ମୃତ୍ୟୁ ହୋଇଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment