ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୯ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍‌।

ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଅଧ୍ୟକ୍ଷ ହେମନ୍ତ ସୋରେନ୍‌। ଚଳିତବର୍ଷ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆର୍‌ଜେଡିର ମେଣ୍ଟ ରାଜ୍ୟରେ ବହୁମତ ପାଇ ବିଜୟ ହୋଇଛି। ଫଳରେ ଆସନ୍ତା ଡିସେମ୍ବର ୨୯ ତାରିଖରେ ଜେଏମ୍‌ଏମ୍‌ର ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ହେମନ୍ତ ସୋରେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦେଶର ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୫ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ସୋରେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସୋରନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏମାନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଅହମଦ ପଟେଲ, ଆର୍‌ପିଏନ୍‌ ସିଂହ, କେସି ବେଣୁଗୋପାଳ ମଧ୍ୟ ସାମିଲ ହେବେ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଅଖିଳେଶ ଯାଦବ, ହରିଶ ରାୱତ୍‌, ଚନ୍ଦ୍ରବାବୁ ନାଏଡୁ, ଏଚ୍‌ଡି କୁମାରସ୍ୱାମୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଚଳିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୮୧ଟି ଆସନରୁ ହେମନ୍ତ ସୋରେନ୍‌ଙ୍କ ମେଣ୍ଟ ୪୭ଟି ଆସନ ହାସଲ କରି ପୂର୍ଣ୍ଣ ବହୁମତ ପାଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ୩୦, କଂଗ୍ରେସ ୧୬ ଏବଂ ଆର୍‌ଜେଡିକୁ ଗୋଟିଏ ସିଟ୍‌ ମିଳିଥିଲା। ଫଳରେ ହେମନ୍ତ ସୋରେନ ଆସନ୍ତା ଡିସେମ୍ବର ୨୯ରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନିର୍ବାଚନରେ ବିଜେପି ହାତକୁ ଆସିଥିଲା ୨୫ଟି ସିଟ୍‌।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment