ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଛି। ଏହି ପାଞ୍ଚ ଦିନିଆ ନୃତ୍ୟ ଉତ୍ସବରେ ଦେଶ, ବିଦେଶ ତଥା ସ୍ଥାନୀୟ କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।

ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଗୁରୁ ତଥା ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ପ୍ରଫେସର ରାମହରି ଦାସ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ।

ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ଅଭିନୟ ସଂସାର ପରିବେଶିତ ହୋଇଥିଲା। ଏହା ରାଗ କଳାବତୀ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା। ଏହାର ନୃତ୍ୟ ସଂରଚନା ନିଜେ ଗୁରୁ ଅରୁଣା ମହାନ୍ତି କରିଥିଲା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା।

ପରେ ମମତା ଶତପଥୀଙ୍କ ଦ୍ୱାରା ଅଭିନୟ ବିଦଗ୍ଧ ଚିନ୍ତାମଣି କାବ୍ୟରୁ ଉଦ୍ଧୃତ ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ପରିବେଶିତ ହୋଇଥିଲା। ଦିଲ୍ଲୀରୁ ଆସିଥିବା ନୃତ୍ୟଶିଳ୍ପୀ ରାହୁଲ ଭର୍ସନେ ଶୁଦ୍ଧନୃତ୍ୟ ପରିବେଶଣ କରିଥିଲେ। ଏହାର ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର ।

ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସୁରଜ ଶୁଭ୍ରମନ୍ୟମ ଏବଂ ଜାନୁଆରି ଲୋଙ୍କ ଦ୍ୱାରା ରାଗ ଶଙ୍କରା ଭରଣ ଓ ତାଳ ଏକତାଳୀ ଉପରେ ସ୍ଥାୟୀ ନୃତ୍ୟ ପରିବେଶଣ କରାଯାଇଥିଲା। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଆମେରିକାର କାକଳୀ ପରମଗୁରୁଙ୍କ ଦ୍ୱାରା ଅଭିନୟ ଗାନ୍ଧାରୀର ଆଶିର୍ବାଦ। ଏହା ରାଗ ରାଗମାଳିକା ଓ ତାଳ ତାଳ ମାଳିକା ଉପରେ ପରିବେଶିତ ହୋଇଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର।

ଜାପାନରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ଶୋୟ ଅମାଚୀଙ୍କ ଦ୍ୱାରା ପଲ୍ଲବୀ ପରିବେଶଣ ହୋଇଥିଲା। ରାଗ ବାଗେଶ୍ରୀ ଉପରେ ଏହା ନିବଦ୍ଧ ଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର।

ଅନନ୍ୟା ଦେବ ଓ ଇଶା ଛବୀଙ୍କ ଦ୍ୱାରା ଓଡ଼ିଶୀ ଦ୍ୱୈତ ନୃତ୍ୟ, ଏକକ ନୃତ୍ୟରେ କଲିକତାର ଶ୍ରାବଣୀ ସେନ ଓ ସଞ୍ଜୀତ କୁମାର ପ୍ରଧାନ ନୃତ୍ୟ ପରିବେଷଣ କରିଥିଲେ। ଅନ୍ତିମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଦଳଗତ ନୃତ୍ୟ। ଯାହାକୁ ପରିବେଶଣ କରିଥିଲେ ଇନ୍ଦୋରରୁ ଆସିଥିବା ଛନ୍ଦକ ଅନୁଷ୍ଠାନର କଳାକାରମାନେ।

Comment