ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନଧରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପରିସରରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯’। ୨୯ ତାରିଖ ଉଦ୍‌ଯାପନୀ ଉତ୍ସବରେ ଫାଇନାଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଟାଇଟଲ୍‍ ବିଜେତାଙ୍କ ନାମ ଘୋଷଣା କରାଯିବ।

ଉଦ୍‍ଯାପନୀ ଉତ୍ସବରେ ଫେମିନା ମିସ୍‍ ଇଣ୍ଡିଆ-୨୦୧୯ ସୁମନା ରାଓ, ମିସ୍‍ ଗ୍ରାଣ୍ଡ ଇଣ୍ଡିଆ-୨୦୧୯ ଶିବାନୀ ଯାଦବ, ମିସ୍‍ ଇଣ୍ଡିଆ ୟୁନାଇଟେଡ୍‍ କଣ୍ଟିନେଣ୍ଟ-୨୦୧୯ ଶ୍ରେୟା ଶଙ୍କର, ମିସ୍‍ ୱାଲ୍‍ର୍ଡ କୁଇନଡାଂ ଚୀନ-୨୦୧୭ କିଓ କିଓ ଏବଂ ଦକ୍ଷିଣ କୋରିଆର ବିଶିଷ୍ଟ ଅଭିନେତ୍ରୀ ଜଙ୍ଗ ହେ ସନ୍‍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନହ୍ନିପରୀ ଟାଇଟଲ୍‍ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇବେ।

କିଟ୍‍ ନହ୍ନିପରୀ ଟାଇଟଲ୍‍ ବିଜୟିନୀଙ୍କୁ ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ସହ ନିଜ ବାପା କିମ୍ବା ମା’ଙ୍କ ସହିତ ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ମିଳିବ। ପ୍ରଥମ ଓ ଦ୍ୱିତୀୟ ରନର୍ସଅପ୍‍ ବିଜୟିନୀଙ୍କୁ ଯଥାକ୍ରମେ ୧୦ଲକ୍ଷ ଓ ୯.୫ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ସେହିପରି ପ୍ରତିଯୋଗିତାର ଅନ୍ୟାନ୍ୟ ବର୍ଗ ଯଥା: ମିସ୍ ରାପୁଞ୍ଜେଲ୍, ମିସ୍ ଫଟୋଜେନିକ୍, ମିସ୍ ସେଲଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍), ମିସ୍ ଫେସନ୍ ଗାର୍ଲ, ମିସ୍ ଉଇଜ୍‌କିଡ଼୍, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବସୀ, ମିସ୍ କ୍ୟାଟ୍‌ ୱାକ୍, ମିସ୍ ମୋନାଲିସା ଏବଂ ମିସ୍ ଆକ୍ଟିଭ୍ ଆଦିରେ ମଧ୍ୟ ଅର୍ଥ ରାଶି ପୁରସ୍କାର ବ୍ୟବସ୍ଥା ରହିଛି। ଫାଇନାଲ୍‍ ପର୍ଯ୍ୟାୟରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

କିଟ୍‍ ନହ୍ନିପରୀର ୧୯ତମ ସଂସ୍କରଣ ପାଇଁ କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଗୌହାଟି, ଲକ୍ଷ୍ନୌ, ମୁମ୍ବାଇ, ପାଟଣା, ଇଟାନଗର ଓ ଭୁବନେଶ୍ୱର ଆଦି ଭାରତର ୨୩ଟି ରାଜ୍ୟର ବିଭିନ୍ନ ସହରରେ ଆଞ୍ଚଳିକ ଅଡିସନ୍‍ ହୋଇଥିଲା। ସେଥିରୁ ୩୫ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗୀମାନେ ୨୮ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାର ସେମିଫାଇନାଲ୍‍ ଓ ଫାଇାନଲ୍‍ ରାଉଣ୍ଡକୁ ସାମ୍ନା କରିବାକୁ ପଡ଼ିବ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ୧୦ଜଣଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ କରାଯିବ। ଉଚ୍ଚ ଜୁରିମଣ୍ଡଳୀ ପ୍ରତିଯୋଗୀମାନଙ୍କ ବିଭିନ୍ନ ପର୍ଯ୍ୟାୟର ଫଳାଫଳକୁ ବିଚାର କରିବା ପରେ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିବେ। ଏହି ୧୦ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ କିଟ୍‍ ନହ୍ନିପରୀ ୨୦୧୯ ଟାଇଟଲ୍‍ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ୨୦୦୧ ମସିହାରେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ଏବେ ସମଗ୍ର ଦେଶରେ କୁନି ସୁନ୍ଦରୀ ପ୍ରତିଯୋଗିତା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ଏଥିରେ ଭାଗ ନେବା ପାଇଁ ୧୩ ରୁ ୧୬ ବର୍ଷ ବୟସର ବାଳିକାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ସେମାନଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କିଟ୍‍ ପରିସରରେ ହିଁ କରାଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment