ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି କେମିତି ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌-୨୦୧୯ ରିପୋର୍ଟରେ।

୨୦୧୯ର ଚର୍ଚ୍ଚିତ ଚେହେରାଙ୍କ ବିଷୟରେ ଆଲୋଚନା କରିବା ବେଳେ ସମସ୍ତଙ୍କ ନଜର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରହିଥାଏ। ନିର୍ବାଚନ ବେଳେ ଧର୍ମେନ୍ଦ୍ରଙ୍କ ଭୂମିକା, ନିର୍ବାଚନ ପରେ ପୁଣି କେନ୍ଦ୍ରରେ ମନ୍ତ୍ରୀ ପଦ ବଜାୟ ରଖିବା ଏବଂ ବିଜେଡି ଶିବିରକୁ ସିଧାସଳଖ ତୀର ମାରି ଧର୍ମେନ୍ଦ୍ର ଚର୍ଚ୍ଚାରେ ରହିଥିଲେ।

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା!

ବିଜେପି ଯଦି କ୍ଷମତାକୁ ଆସେ ତାହାଲେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ। ଏମିତି ଚର୍ଚ୍ଚା ୨୦୧୯ ଆରମ୍ଭରୁ ବିଜେପି ଶିବିରରେ ଚାଲିଥିଲା। ଯଦିଓ କେନ୍ଦ୍ରର ବିଜେପି ନେତୃବୃନ୍ଦ ଧର୍ମେନ୍ଦ୍ରଙ୍କୁ ନେଇ କୌଣସି ବଡ଼ ଘୋଷଣା କରି ନଥିଲେ, ହେଲେ ଧର୍ମେନ୍ଦ୍ର ସବୁଥିରେ ଆଗରେ ରହୁଥିଲେ। ବିଭିନ୍ନ ପ୍ରସଙ୍ଗରେ ଯଦି ବିଜେପିର କୌଣସି ନେତା ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିଲେ ସେମାନଙ୍କ ଭିତରେ ଧର୍ମେନ୍ଦ୍ର ଆଗରେ ରହିଥିଲେ।

୨୦୧୯ରେ ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗିବା ପାଇଁ ରାଜ୍ୟ ବିଜେପିର ଲକ୍ଷ୍ୟ ରହିଥିଲା। ଏହାର କମାଣ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ନିଜେ ଧରିଥିଲେ ମଧ୍ୟ ଧର୍ମେନ୍ଦ୍ର ଫ୍ରଣ୍ଟ ଲାଇନ୍‌ରେ ରହିଥିଲେ। ଅମିତ ଶାହ ଏବଂ ନରେନ୍ଦ୍ର ମୋଦୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସୁଥିଲେ ସେତେବେଳେ ଧର୍ମେନ୍ଦ୍ର ହିଁ ଆଗରେ ରହୁଥିବା ଦେଖିବାକୁ ମିଳୁଥିଲା। ଓଡ଼ିଶାରେ ବିଜେପି ମିଶନ୍‌-୧୨୦ର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟ ପୂରଣ ପାଇଁ ଟାର୍ଗେଟ ଦେଇଥିଲେ ଅମିତ ଶାହ। ଏହାକୁ ହାସଲ କରିବା ପାଇଁ ଧର୍ମେନ୍ଦ୍ର ଏବଂ ବିଜେପି କର୍ମୀ ଲାଗିପଡ଼ିଥିଲେ। ହେଲେ ତାହା ସମ୍ଭବ ହୋଇ ନଥିଲା। ଧର୍ମେନ୍ଦ୍ର ଏବଂ ତାଙ୍କ ଟିମ୍‌କୁ ନିରାଶ ହେବାକୁ ପଡ଼ିଥିଲା।

ଲଢ଼ିଲେନି ଧର୍ମେନ୍ଦ୍ର

ଏଥର ଧର୍ମେନ୍ଦ୍ର ଓଡ଼ିଶାର କୌଣସି ଗୋଟିଏ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ବିଶେଷକରି ଅନୁଗୁଳ ଜିଲ୍ଲାରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହୋଇ ପାରନ୍ତି ବୋଲି କୁହାଗଲା। ହେଲେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେନି। କେବଳ ପୋଷ୍ଟରବୟ ହୋଇ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ।

ବିଜେପି ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇଥିଲା। ହେଲେ ସରକାର ଗଠନ କରିପାରି ନଥିଲା। ବିଜେପିର ଭୋଟ ହାର ବଢ଼ିଥିଲେ ମଧ୍ୟ ଦଳ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା।

ନିର୍ବାଚନ ପରେ ସ୍ୱର ନରମ!

ନିର୍ବାଚନ ପୂର୍ବରୁ ବିଜେପି ବିଜେଡିକୁ ସବୁ କଥାରେ ଘେରୁଥିଲା। ବିଶେଷକରି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ୱରକୁ ଶାଣିତ କରିଥିଲେ। ହଲେ ନିର୍ବାଚନ ପରେ ବିଜେପି ଏବଂ ଧର୍ମେନ୍ଦ୍ରଙ୍କ ସ୍ୱର ନରମ ପଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ପରେ ମୋଦୀ ଏବଂ ଶାହ ବିଜେଡିକୁ ପ୍ରଶଂସା କରିବା ଏବଂ କେନ୍ଦ୍ର ସରକାର ଆଣୁଥିବା ବିଲ୍‌କୁ ବିଜେଡି ସମର୍ଥନ କରିବା ପରେ ରାଜନୀତି ଗଣିତ ବଦଳିଥିବା ଚର୍ଚ୍ଚା ହେଉଛି।

ନବୀନ-ଧର୍ମେନ୍ଦ୍ର ଭେଟ୍‌ଘାଟ୍‌

ନବୀନଙ୍କ ଶିବିରକୁ ଯଦି କେହି ସିଧାସଳଖ ଟାର୍ଗେଟ କରୁଥିଲେ ତାହାଲେ ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏପଟେ ବିଜେଡି ନେତା ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବାକୁ ପଛାଉ ନଥିଲେ। ନବୀନ ଓ ଧର୍ମେନ୍ଦ୍ର ଗୋଟିଏ ମଞ୍ଚରେ ଏକାଠି ହେବେ ବୋଲି କେହି କେବେ ଭାବି ନଥିଲେ। କିନ୍ତୁ ୨୦୧୯ରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ନୂଆଦିଲ୍ଲୀର ଓଡ଼ିଶା ଭବନରେ ନବୀନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟିଥିଲେ। ଓଡ଼ିଶାର ବିକାଶ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଥିବା ସେତେବେଳେ କୁହାଗଲା। ତେବେ ଏହି ଭେଟ୍‌ଘାଟ୍‌ ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଆଲୋଚନା ହେଉଛି।

ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ୍‌ ବିଭାଗ

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ ସିନା ନିର୍ବାଚନ ଲଢ଼ିଲେନି, ହେଲେ କେନ୍ଦ୍ରରେ ସେ ତାଙ୍କ ପଦବୀ ବଜାୟ ରଖିଲେ। ୨୦୧୪ରେ ସେ ରାଷ୍ଟ୍ରମନ୍ତ୍ରୀ ଥିଲେ ୨୦୧୯ରେ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିଛି। ସେ ପଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଶିଳ୍ପ ମନ୍ତ୍ରାଳୟର ଦାୟିତ୍ୱ ମିଳିଛି। ପେଟ୍ରୋଲିୟମ୍‌ ବିଭାଗରେ ଧର୍ମେନ୍ଦ୍ର ପ୍ରଥମ ପାଳି ସରକାରରେ କମାଲ କରିଥିବାରୁ ସେ ଏହି ପଦବୀ ପୁଣି ବଜାୟ ରଖିଛନ୍ତି।

୨୦୧୯ରେ ଓଡ଼ିଶା ରାଜନୀତିରେ ଧର୍ମେନ୍ଦ୍ର କେତେ ସଫଳ ହୋଇଛନ୍ତି କେତେ ବିଫଳ ହୋଇଛନ୍ତି ତାହା ତ ଭିନ୍ନ କଥା। ହେଲେ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କର ଦବ୍‌ଦବା ଜାହିର୍‌ କରି ରଖିଛନ୍ତି ବୋଲି ବୁଝିବାକୁ ପଡ଼ିବ।

Comment