ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନେତାଙ୍କ ପୁଅମାନଙ୍କୁ ୨୦୧୯ ଦେଇଛି ନୂଆ ପରିଚୟ। ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌-୨୦୧୯ ରିପୋର୍ଟରେ ଜାଣନ୍ତୁ ବାପ-ପୁଅ ରାଜନୀତି ବିଷୟରେ।

୨୦୧୯ରେ ଓଡ଼ିଶା ରାଜନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏପ୍ରିଲ ଓ ମେ’ ମାସରେ ହୋଇଥିବା ନିର୍ବାଚନରେ ବାପାମାନେ ପୁଅ ପାଇଁ ବାଟ ଛାଡ଼ିଥିଲେ। ସେମାନଙ୍କ ଭିତରୁ କିଛି ପୁଅମାନେ ନିର୍ବାଚନ ଲଢ଼େଇରେ ସଫଳ ହୋଇଥିବା ବେଳେ ଆଉ କିଛି ଫେଲ୍‌ ମାରିଥିଲେ।

ଏହି ବାପ-ପୁଅ ତାଲିକାରେ ଅଛନ୍ତି ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ୍‌ ବିଶ୍ୱାଳ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଭକ୍ତ ଦାସଙ୍କ ପୁଅ ସାଗର ଚରଣ ଦାସ, ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏବଂ ଗିରିଧାରୀ ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ୨୦୧୯ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିଥିଲେ।

ସେମାନଙ୍କ ଭିତରୁ କିଛି ନେତାଙ୍କ ପୁଅ ଭାଗ୍ୟ ପରୀକ୍ଷାରେ ପାସ୍‌ କରିଥିବା ବେଳେ ଆଉ କିଛି ନେତାଙ୍କ ପୁଅ ଫେଲ୍‌ ହୋଇଥିଲେ।

ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ ରେ ଏଥା କଟକ ଜିଲ୍ଲାର ଦୁଇ ପ୍ରଭାତଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ବାଙ୍କୀରେ ପ୍ରଭାତ ତ୍ରିପାଠୀଙ୍କ ଜାଗାରେ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଟିକେଟ ନେଇଥିବା ବେଳେ ଚୌଦ୍ୱାର-କଟକରେ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ୍‌ ବିଶ୍ୱାଳ ପ୍ରାର୍ଥୀ ହୋଇଥିଲେ। ଦେବୀ ଏବଂ ସୌଭିକ୍‌ ନିର୍ବାଚନ ଲଢ଼େଇରେ ବାଜିମାତ୍‌ କରିଥିଲେ।

ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ବିଜୟଶ୍ରୀ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହି ସୁଯୋଗରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡି ଟିକେଟ ନେଇଥିଲେ। ବାସୁଦେବପୁରରୁ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ଏପଟେ ଡାକ୍ତର ଦାମୋଦର ରାଉତ ବିଜେପି ଯିବା ପରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଭାଗ୍ୟ ଖୋଲିଥିଲା। ସମ୍ବିତଙ୍କୁ ବିଜେଡି ପାରାଦୀପରେ ପ୍ରାର୍ଥୀ କରିଥିଲା। ସମ୍ବିତ ବି ପ୍ରଥମ ପରୀକ୍ଷାରେ ପାସ୍‌ କରିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରଥମ ଥର ପାଇଁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଏହି ଦୁଇ ନେତାଙ୍କ ପୁଅ ୨୦୧୯ ଲଢ଼େଇରେ ବିଫଳ ହୋଇଥିଲେ।

ସେହିପରି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସଙ୍କ ପୁଅ ସାଗର ଚରଣ ଦାସ ଭବାନିପାଟଣା ଆସନରୁ ଭାଗ୍ୟ ପରୀକ୍ଷା କରି ଫେଲ୍ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ଗୁଣୁପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ଭାଗ୍ୟ ତାଙ୍କ ସାଥ୍‌ ଦେଇ ନଥିଲା।

ନିର୍ବାଚନରେ ହାର୍‌ ଜିତ୍‌ ଲାଗି ରହିଛି। ତେବେ ଯେଁ ନେତାଙ୍କ ପୁଅ ୨୦୧୯ ରାଜନୀତିରେ ପରଦା ସାମ୍ନାକୁ ଆସିଥିଲେ ସେମାନଙ୍କୁ ନୂଆ ପରିଚୟ ମିଳିଥିବା କହିଲେ ଭୁଲ୍‌ ହେବନି।

Comment