ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି।

ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ଏନସିପି ନେତା ଅଜିତ ପାୱାର। ସୋମବାର ସେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମେଣ୍ଟ ସରକାରର ଆଉ ୩୬ ଜଣ ନେତା ମଧ୍ୟ ମନ୍ତ୍ରୀପଦର ଶପଥ ନେଇଛନ୍ତି।ମହାରାଷ୍ଟ୍ରରେ ଠାକରେ ସରକାର ଗଠନ ହେବାର ଗୋଟିଏ ମାସ ପରେ ସୋମବାର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରାଯାଇଛି। ମନ୍ତ୍ରୀ ମଣ୍ଡଳର ଏହି ସଂପ୍ରସାରଣରେ ଅଜିତଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିଥିଲାବେଳେ, ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀ ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦାୟିତ୍ୱ ଦିଆଯାଇଛି।ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ମନ୍ତ୍ରୀ ଭାବେ ଶିବସେନା, ଏନସିପି ଓ କଂଗ୍ରେସର ଅନେକ ନେତାଙ୍କୁ ସରକାରରେ ସାମିଲ କରାଯାଇଛି। କଂଗ୍ରେସ ନେତା ଅଶୋକ ଚୌହ୍ୱାନ ଓ ଏନସିପି ନେତା ଧନଞ୍ଜୟ ମୁଣ୍ଡେ, ଦିଲ୍ଲୀପ ବାଲସେ ପାଟିଲ୍ ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ମୋଟ୍ ୩୬ ଜଣ ନେତା ମନ୍ତ୍ରୀ ପଦର ଶପଥ ନେବା ସହ ଉଦ୍ଧବଙ୍କ ସରକାରରେ ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି।ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳର ଗୋଟିଏ ମାସ ବିତିଯିବା ପରେ ବିଜେପିକୁ ପର କରିଦେଇଥିଲା ଶିବସେନା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ କଳହ ଲାଗିବା ରହିଥିଲା। ଏହାପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସର ହାତ ଧରି ସରକାର ଗଢ଼ିବାକୁ ଚେଷ୍ଟା କରିଥିଲେ।ଏପରି ସମୟରେ ବିଜେପି ରାତିଅଧିଆ ଏନସିପି ନେତା ଅଜିତ୍ ପାୱାରଙ୍କ ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲା। କିନ୍ତୁ ଏନସିପି ନେତା ଅଜିତ୍ ପାୱାର ପୁଣି ତାଙ୍କ ଦଳକୁ ଫେରିଯାଇଥିଲେ। ଏହାପରେ ବହୁମତ ଦେଖାଇପାରିବାରେ ଅସମର୍ଥ ହେବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାବିସ୍। ଏହାପରେ ଉଦ୍ଧବଙ୍କ ନେତୃତ୍ୱରେ ମହାରାଷ୍ଟରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ମହାବିକାଶ ଅଘାଡ଼ି ମେଣ୍ଟ ଗଠନ କରିଥିଲେ। ଉଦ୍ଧବ ଏହି ମେଣ୍ଟର ମୁଖ୍ୟ ଭାବେ ଗତ ନଭେମ୍ବର ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment