ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼: ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ରାମଜୀ ମନ୍ଦିରସ୍ଥିତ ବିବାହ ମଣ୍ଡପଠାରେ ଦେବକୀ ଏବଂ ବସୁଦେବଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମୃଗୟାରୁ ଫେରି ଯୁବରାଜ କଂସ ତାଙ୍କ ଅଜାଣତରେ ବିବାହ ସମ୍ପନ୍ନ ହେବା ଜାଣି ପ୍ରଥମେ ରାଗି ଯାଇ ପରେ ନବବିବାହିତାଙ୍କୁ ଆଶୀର୍ବାଦ କରିଥିଲେ।

ଏହି ସମୟରେ ଶୂନ୍ୟବାଣୀ ହୋଇଥିଲା ଯେ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ କଂସର ମୃତ୍ୟୁ କାରଣ। ଏହା ଶୁଣି ବିଚଳିତ ହୋଇଗଲେ ଯୁବରାଜ କଂସ। ଦେବକୀ-ବସୁଦେବଙ୍କୁ ମଥୁରା କାରାଗାରରେ ବନ୍ଦୀ କରି ରଖିବାକୁ ପଛାଇ ନାହିଁ।

ଏଥିରେ ପିତା ଉଗ୍ରସେନ ପ୍ରତିବାଦ କରିବାରୁ କଂସ ରାଗି ଯାଇଥିଲେ। ପିତାଙ୍କୁ ରାଜଗାଦିରୁ ହଟାଇ ନିଜେ କଂସ ମଥୁରା ସିଂହାସନରେ ଅଭିଷିକ୍ତ ହୋଇଥିଲେ।

କଂସଙ୍କ ରାଜୁତି ପରେ ମଥୁରା ନଗରୀର ରାଜନୀତିରେ ଅଚଳାବସ୍ଥା ଦେଖାଦେଇଥିଲା। କଂସଙ୍କ ନିର୍ଦ୍ଦେଶରେ ଉଗ୍ରସେନଙ୍କ ହାତରୁ ସମସ୍ତ କ୍ଷମତା ଅପସାରଣ କରାଯିବା ସହିତ ତାଙ୍କ ପାତ୍ର, ମନ୍ତ୍ରୀ, ଅମାତ୍ୟଙ୍କୁ ରାଜସେବାରୁ ନିବୃତ କରାଯାଇଛି। ଏହାସହ କଂସ ନିଜର ବିଶ୍ୱସ୍ତମାନଙ୍କୁ ମଥୁରାର ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଛନ୍ତି।  ମଥୁରାର ଶାସନଭାର ଉଗ୍ରସେନ ହାତରୁ ଛଡାଇ କଂସ ନିଜେ ସମ୍ଭାଳିଥିବା ବେଳେ ସାରା ରାଜ୍ୟରେ ଅଶାନ୍ତର ବାତାବରଣ ଦେଖାଦେଇଛି।

Comment