ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଆପଣ ନିଜର ବାଇକ୍ ଓ କାର୍ ଧରି ପୁରୀ ଯାଉଛନ୍ତି କି? ତେବେ କେଉଁ ସ୍ଥାନରେ ଗାଡ଼ି ପାର୍କିଂ କରିବେ ସେ ନେଇ ସଚେତନ ହୋଇଯାଆନ୍ତୁ। କାରଣ ପୁରୀ ଜିଲ୍ଲା ପୋଲିସ୍ ପକ୍ଷରୁ ନୂଆବର୍ଷ ପାଇଁ ନୂଆ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ଆପଣ ଯଦି ନିଜର ଦୁଇ ଚକିଆ ଯାନ ସହ ପୁରୀ ଯାଉଛନ୍ତି ତେବେ ଆପଣ ନିଜର ଦୁଇ ଚକିଆ ଯାନକୁ ମାର୍କେଟ ଛକ, ମୋଚି ସାହି ଓ ନୀଳାଚଳ ଅଶୋକ ଅଞ୍ଚଳରେ ପାର୍କିଂ କରିଯିବାକୁ ପଡ଼ିବ। ଅନ୍ୟପଟେ ଭୁବନେଶ୍ୱର ପଟରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ଜଗନ୍ନାଥ ବଲ୍ଲଭ ମଠ, ପୁରୁଣା ଜେଲ୍ ପାର୍କିଂ ସ୍ଥାନ ପାଖରେ ପାର୍କିଂ କରିବେ। ସେଠାରେ ପାର୍କିଂ ଭର୍ତ୍ତି ହୋଇଯିବା ପରେ ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ପାର୍କିଂ ହେବ। ଏହାସହିତ ମାଳତୀପାଟପୁର, ତାଳବଣିଆ, ଇନଡୋର ଷ୍ଟାଡିୟମ, ଆଇଆଇଟି କ୍ୟାମ୍ପସ ପାଖରେ ଲୋକମାନେ ନିଜର ଚାରି ଚକିଆ ଗାଡ଼ିକୁ ପାର୍କିଂ କରିୁପାରିବେ ବୋଲି ସୂଚନା ଦିଆଯାଇଛି।

ନୂଆବର୍ଷ ପାଇଁ ଭୁବନେଶ୍ୱର ଓ କୋଣାର୍କ ଆଡୁ ଆସୁଥିବା ପାସେଞ୍ଜର୍ ବସଗୁଡ଼ିକ ତାଙ୍କର ନିୟମିତ ରାସ୍ତାରେ ଯିବା ଆସିବା କରିବେ। କିନ୍ତୁ ବ୍ରହ୍ମଗିରି ପଟରୁ ଆସୁଥିବା ବସଗୁଡ଼ିକ କେବଳ ଜଟିଆ ବାବା ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଇଛି।ସେହିପରି ଅନ୍ୟ ରାଜ୍ୟରୁ ପୁରୀକୁ ଆସୁଥିବା ବସଗୁଡ଼ିକ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ସେଠାରୁ ଯାତ୍ରୀମାନେ ମିନି ବସ୍ ଓ ରିକ୍ସା ସାହାଯ୍ୟରେ ପୁରୀରେ ପ୍ରବେଶ କରିବେ। ଅନ୍ୟପଟେ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦୁଇ ଦିନ ପାଇଁ ପୁରୀ ସହର ଭିତରକୁ ସମସ୍ତ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

Comment