ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୦ରେ ପୌର ଭୋଟ୍କୁ ସାମ୍ନା କରିବେ ବିଜେଡି-ବିଜେପି-କଂଗ୍ରେସ
୨୦୧୯ରେ ନିର୍ବାଚନ ପରୀକ୍ଷା ଦେଇଥିବା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ କେମିତି ରହିବ ୨୦୨୦? ନୂଆ ବର୍ଷରେ ଏହି ତିନି ଦଳ ପାଇଁ କ’ଣ ଚାଲେଞ୍ଜ ରହିବ ତାକୁ ନେଇ ସ୍ୱତନ୍ତ୍ର ରିପୋର୍ଟ।
ବିଜେଡି
ଗତ ୧୯ ବର୍ଷ ହେଲା ରାଜ୍ୟ ଶାସନର ମଙ୍ଗ ଧରିଥିବା ବିଜେଡି ପାଇଁ ୨୦୧୯ ସଫଳତାର ବର୍ଷ କହିଲେ କିଛି ଭୁଲ୍ ହେବନି। କାରଣ ମୋଦୀ ମ୍ୟାଜିକ୍ ଏବଂ ବିଜେପିର ରଣନୀତିକୁ ଫେଲ୍ କରି ବିଜେଡି ପଞ୍ଚମ ଥର ପାଇଁ ସରକାର ଗଠନ କରିଥିଲା। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।
୨୦୧୯ରେ ସଫଳତା ହାସଲ କରିଥିବା ବିଜେଡି ପାଇଁ ୨୦୨୦ରେ ଅନେକ ଚାଲେଞ୍ଜ ରହିଥିବା କୁହାଯାଉଛି। ନୂଆ ବର୍ଷରେ ବିଜେଡିର ସାଙ୍ଗଠନିକ ନିର୍ବାଚନ ହେବ। କିଏ ରାଜ୍ୟ କାର୍ଯ୍ୟକାରିଣୀରେ ରହିବେ ଏବଂ କିଏ ବିଦା ହେବେ ତାହା ଚୟନ କରିବା ଦଳ ପାଇଁ କାଠିକର ପାଠ ହୋଇପାରେ।
ଏପଟେ ପୌର ନିର୍ବାଚନ ମଧ୍ୟ ୨୦୨୦ରେ ହେବ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ବିଜେଡି ଯେଉଁ ଲୋକପ୍ରିୟତା ହାସଲ କରିଥିଲା ତାହା ସହରାଞ୍ଚଳରେ ବଜାୟ ରଖିବା ହେବ ବିଜେଡି ପାଇଁ ବଡ଼ ଆହ୍ୱାନ। ପୌରାଞ୍ଚଳ ଭୋଟରଙ୍କ ପାଖକୁ ବିଜେଡି କେଉଁ ପ୍ରସଙ୍ଗ ନେଇ ଯିବ ତାହା ବି ସମସ୍ତଙ୍କ ନଜରରେ ରହିଛି।
ଏପଟେ ନବୀନ ସବୁବେଳେ ଦଳୀୟ ନେତାଙ୍କୁ ଶୃଙ୍ଖଳାର ପାଠ ପଢ଼ାଇ ଆସୁଛନ୍ତି। ହେଲେ କିଛି ନେତା ବିଶୃଙ୍ଖଳା ଆଚରଣ କରୁଥିବାରୁ ନବୀନଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସୁଛି। ଏହାକୁ କିପରି ବିଜେଡି ସୁଧାରିବ ଏବଂ ନେତା ଓ କର୍ମୀ କିପରି ଶୃଙ୍ଖଳାର ଗଣ୍ଡି ଭିତରେ ରହିବେ ତାହା ବିଜେଡି ପାଇଁ ଅସଲ ଚାଲେଞ୍ଜ ହେବ ବୋଲି କୁହାଯାଉଛି।
ବିଜେପି-ବିଜେଡିର ସମ୍ପର୍କକୁ ନେଇ ୨୦୧୯ରେ ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହି ସମ୍ପର୍କ ୨୦୨୦ରେ କେଉଁ ମୋଡ଼ ନେଉଛି ତାହା ଅପେକ୍ଷା କରି ଦେଖିବାର କଥା।
ବିଜେପି
୨୦୧୯ରେ ନମ୍ବର ୨ ଦଳ ଭାବେ ରାଜ୍ୟରେ ମୁଣ୍ଡ ଟେକିଛି ବିଜେପି। ୨୦୧୯ରେ ନମ୍ବର ୧ ହେବାକୁ ଚେଷ୍ଟା କରିଥିବା ବିଜେପି ପାଇଁ ୨୦୨୦ରେ ଅନେକ ଚାଲେଞ୍ଜ ରହିଥିବା କୁହାଯାଉଛି।
ବିଜେପି ନୂଆ ବର୍ଷରେ ନୂଆ ସଭାପତି ପାଇବାକୁ ଯାଉଛି। କିଏ ବିଜେପି ମଙ୍ଗ ଧରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଯିଏ ବି ସଭାପତି ହେବେ ସେ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଏକାଠି କରି ଆଗକୁ ଚାଲିବା କାଠିକର ପାଠ ହୋଇପାରେ।
ଆସୁଛି ପୌର ଭୋଟ୍। ଏହି ଭୋଟ୍ରେ ବିଜେପି କେମିତି ବିଜେଡିକୁ ଟକ୍କର ଦେଉଛି ତାହା ବି ନେତା ଓ କର୍ମୀଙ୍କ ପାଇଁ ଅନେକ ଚାଲେଞ୍ଜ ସୃଷ୍ଟି କରିବ।
ସବୁଠୁ ବଡ଼ କଥା ହେଲା କେନ୍ଦ୍ରରେ ବିଜେପି ସରକାର ରହିଛି। କେନ୍ଦ୍ର ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ତାହା ରାଜ୍ୟ ବିଜେପି ପାଇଁ ବଡ଼ ଆହ୍ୱାନ।
୨୦୧୯ରେ ବିଜେପି-ବିଜେଡିର ସମ୍ପର୍କକୁ ନେଇ ବିଜେପିର ଭାବମୂର୍ତ୍ତି ମଳିନ ପଡ଼ିଥିଲା। ଏବେ ବିଜେପି ଏହି ଭାବମୂର୍ତ୍ତିକୁ ସଜାଡ଼ି କେମିତି ଲୋକଙ୍କ ପାଖକୁ ଯିବ ତାହା ବଡ଼ ଚାଲେଞ୍ଜ।
କଂଗ୍ରେସ
୨୦୧୯ରେ ସବୁଠୁ ଅଧିକ କ୍ଷତି ସହିଥିବା କଂଗ୍ରେସ ପାଇଁ ୨୦୨୦ରେ ବଡ଼ ଚାଲେଞ୍ଜ ରହିଛି। ଗୋଷ୍ଠୀ ବନ୍ଦଳରେ ଉବୁଟୁବୁ ହେଉଥିବା କଂଗ୍ରେସ ନୂଆ ବର୍ଷରେ କେମିତି ଘର ସଜାଡ଼ିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି।
୨୦୧୯ରେ କଂଗ୍ରେସ ଲୋକଙ୍କ ବିଶ୍ୱାସ ହରାଇଛି। ଅନେକ ବଡ଼ ନେତା ଏବଂ ତୃଣମୂଳ ସ୍ତରର କର୍ମୀ ଦଳ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଇଥିଲେ। ଏବେ ନେତା ଓ କର୍ମୀ ତିଆରି କରିବା କଂଗ୍ରେସ ପାଇଁ ବଡ଼ ଚାଲେଞ୍ଜ ହେବ।
୨୦୧୯ ଶେଷ ଭାଗକୁ ପିସିସି ସଭାପତି ହଟାଇବା ପାଇଁ ଅଭିଯାନ ଜୋର୍ ଧରିଥିଲା। କିଛି ନେତା ଏନେଇ ହାଇକମାଣ୍ଡଙ୍କୁ ମଧ୍ୟ ଭେଟିଥିଲେ। ହେଲେ ପିସିସି ସଭାପତି ବଦଳିବେ କି ନାହିଁ ତାହା ଦିଲ୍ଲୀରେ ପଡ଼ି ରହିଛି। ୨୦୨୦ ହିଁ ନିର୍ଣ୍ଣୟ କରିବ ନିରଞ୍ଜନ ରହିବେ ନା ତାଙ୍କ ଜାଗାରେ ନୂଆ କିଏ ମଙ୍ଗ ଧରିବେ।








୨୦୨୦ରେ ପୌର ଭୋଟ୍କୁ ସାମ୍ନା କରିବେ ବିଜେଡି-ବିଜେପି-କଂଗ୍ରେସ