ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜିଠାରୁ ଆରମ୍ଭ ହୋଇ ଜାନୁଆରି ୧୦ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଏହି ମୁକ୍ତାକାଶ ରଙ୍ଗମଞ୍ଚ। ବିଶ୍ୱର ସବୁଠୁ ବଡ଼ ଖୋଲା ମଞ୍ଚ କୁହାଯାଉଥିବା ଏହି ଧନୁଯାତ୍ରା ଦେଖିବାକୁ ଦେଶବିଦେଶରୁ ଲୋକମାନଙ୍କ ଭିଡ଼ ଲାଗିଥାଏ।

ଏହି ସମୟରେ ବରଗଡ଼ ପାଲଟିଯାଏ ମଥୁରା, ଆମ୍ବପାଲି ହୋଇଯାଏ ଗୋପପୁର ଗାଁ। କୃଷ୍ଣ-ବଳାରାମ ଏହିଠାରେ ଲୀଳାଖେଳା କରି ମଥୁରା ଯାତ୍ରା କରିଥାନ୍ତି। ବରଗଡ଼ର ଜୀରା ନଦୀ ଯମୁନା ନଦୀରେ ପାଲଟିଯାଏ। ରାଧକୃଷ୍ଣଙ୍କ ଲୀଳା ଏହି ନଦୀରେ ଦେଖିବାକୁ ମିଳିଥାଏ।

ଏଥରେ ଧନୁଯାତ୍ରାରେ କଂସ ଭୂମିକାରେ ପୁଣିଥରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ। ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଳାକାର ଚୟନ ହେବାର ଥିଲା। ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ପ୍ରଧାନ ପୁଣିଥରେ କଂସ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଧନୁଯାତ୍ରା ପାଇଁ ବରଗଡ଼ରେ ପ୍ରସ୍ତୁତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେଉଁଠି ତୋରଣ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି ତ ଆଉ କେଉଁଠି ଚିତ୍ରକର ଚିତ୍ରରେ ଶେଷ ସ୍ପର୍ଶ ଦେଉଛନ୍ତି। ଅନ୍ୟପଟେ ସହରକୁ ସଫାସୁତୁରା ଏବଂ ସୁନ୍ଦର କରିବା ପାଇଁ ପ୍ରଶାସନ ବି କାମରେ ଲାଗିପଡ଼ିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment