ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ବୁଧବାର ଥିଲା ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡିଥିବା ବେଳେ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି। ଅନ୍ୟପକ୍ଷରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡିଆରେ ଉଦଘାଟିତ ହୋଇଯାଇଛି ରଙ୍ଗମହଲ।

ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହିତ ନଗର ଭ୍ରମଣରେ ବାହାରି ପ୍ରଜାମାନଙ୍କ ଦୁଃଖସୁଖ ବୁଝିଥିଲେ।

ଉଦ୍‌ଘାଟନ ହେଲା ରଙ୍ଗ ମହଲ

ଅନ୍ୟପଟେ ଧିରେ ଧିରେ ମହାରାଜା କଂସଙ୍କର ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଏପରି ସ୍ଥିତରେ ମହାରାଜା କଂସଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡିଆରେ ଉଦଘାଟିତ ହୋଇଯାଇଛି ରଙ୍ଗମହଲ। ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନ ରଙ୍ଗମହଲ ଉଦଘାଟନ କରିଥିଲେ।

ରଙ୍ଗମହଲରେ ମହାରାଜା କଂସ ନୃତ୍ୟ ଗୀତରେ ମଜି ଯାଇଥିବା ସହ ଏହାର ଦାୟିତ୍ୱ ସେନାପତି ସାତ୍ୟକି ହାତରେ ଅର୍ପଣ କରିଥିଲେ। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ପିଡି ଡିଆରଡିଏ କୃତିବାସ ରାଉତ, ଉପଜିଲ୍ଲାପାଳ ପ୍ରଭାସଚନ୍ଦ୍ର ଡନସେନା, ରଙ୍ଗମହଲ କମିଟିର ଆବାହକ ଶ୍ୟାମ ଅଦାବର, ସହ ଆବାହକ ରାଜେଶ ଶତପଥୀ, କିଶୋର ମିଶ୍ର, ଆଦିତ୍ୟ ମିଶ୍ର, ହରିହର ପ୍ରଧାନ, ଅନୁପ ଶତପଥୀ,  ଶୈଲେଶ ନାୟକ, ହିମାଂଶୁ ଦାଶ, ବିଶ୍ୱଜିତ ସ୍ୱାଇଁ, ଦେବେନ୍ଦ୍ର ରଞ୍ଜନ ସାହୁ, ଲଲାଟେନ୍ଦୁ ବେହେରା, ପରେଶ ବିଶି, ଗୋପାଳ ଦାଶ ଉପସ୍ଥିତ ଥିଲେ।

ଜନ୍ମ ନେଲେ ଶ୍ରୀକୃଷ୍ଣ

ନିଜ ପିତା ଉଗ୍ରସେନଙ୍କୁ ରାଜସିଂହାସନରୁ ବେଦଖଲ କରି ଯୁବରାଜ କଂସ ମଥୁରା ସିଂହାସନ ଆରୋହଣ କରି ଆରମ୍ଭ କରି ଦେଇଛନ୍ତି ତାଙ୍କର ଅନ୍ୟାୟ, ଅତ୍ୟାଚାର। ଏଥିରୁ ମୁକୁଳି ପାରି ନାହାନ୍ତି କଂସଙ୍କ ପରିବାର ବର୍ଗ ତଥା ସମଗ୍ର ମଥୁରାପୁରବାସୀ। ରାଜ୍ୟାଭିଷେକ ପରେ ଦେବକୀର ଅଷ୍ଟମ ଗର୍ଭ ଦ୍ୱାରା ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ଭୟରେ ମହାରାଜ କଂସ ମଥୁରା ନଗରୀର ପ୍ରଜା ତଥା କାରାଗାରରେ ଥିବା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଛି ଏବଂ ଦ୍ୱାରପାଳଙ୍କଠାରୁ ଖବର ପାଇ ଦେବକୀର ଗୋଟିଏ ପରେ ଗୋଟିଏ ୬ଟି ସନ୍ତାନକୁ ନିର୍ମମ ଭାବେ ଶିଳାରେ ପ୍ରହାର କରି ହତ୍ୟାକରି ମହାରାଜା କଂସ ନିଜର ଅସୁରତ୍ୱକୁ ପ୍ରମାଣ କରିଛନ୍ତି।

ଏପରି ସମୟରେ ଜଗତପାଳ ବିଷ୍ଣୁ ଯୋଗବଳରେ ଦେବକୀଙ୍କର ସପ୍ତମ ଗର୍ଭକୁ ହରଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିବା ବେଳେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରବଳ ବର୍ଷା ମଧ୍ୟରେ ନିଷିଦ୍ଧ ରାତିର ଦ୍ୱିତୀୟ ପ୍ରହରରେ ମଥୁରା କାରାଗାର ମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ ନେଇଛନ୍ତି ଭଗବାନ ଶ୍ରୀକୃଷ୍ଣ।

ଗୋପପୁରରେ ପହଞ୍ଚିଲେ କୃଷ୍ଣ

କଂସର ଶିଶୁ ହତ୍ୟା ଆଶଙ୍କାର ଚିନ୍ତାଶୀଳ ଦେବକୀ ବସୁଦେବ ନାରାୟଣଙ୍କୁ ସ୍ମରଣ କଲାପରେ ଜଗତକର୍ତ୍ତାଙ୍କ ମାୟାବଳରେ କାରାଗାରର ଦ୍ୱାର ଖୋଲିଯାଇଛି ଓ ଶ୍ରୀକୃଷ୍ଣକୁ ନେଇ ବସୁଦେବ ଗୋପପୁର ଯାତ୍ରା କରିଥିଲେ। ନଗର ସୀମାନ୍ତରେ ସୀମାନ୍ତରକ୍ଷୀ ଉଗ୍ରସେନଙ୍କ ସହିତ ସାକ୍ଷାତ କରି ଉଛୁଳା ଯମୁନା ନଦୀ ପାର ହୋଇ ଗୋପପୁରରେ ପହଞ୍ଚିଥିଲେ।

ନନ୍ଦରାଜାଙ୍କ ବାସଭବନରେ ପହଞ୍ଚି ନିଦ୍ରା ଯାଇଥିବା ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ବିଜୁଳିକନ୍ୟାକୁ ନେଇ ମଥୁରା କାରାଗାରକୁ ଫେରିଛନ୍ତି ବସୁଦେବ।

ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଚୁମକୁଚୁମା କଳାପରିଷଦ ସିଂହେନପାଲି, ରୁଣୁଝୁଣୁ ବଲାଙ୍ଗୀର, ବାରପାହାଡ କଳାପରିଷଦ କନକବିରା , ବୋଧନ ସାଂସ୍କୃତିକ ଅନୁଷ୍ଠାନ ତୋରା, ବୀଣାପାଣି କଳାପରିଷଦ ବରଗଡ, ନଟରାଜ କଳାପରିଷଦ ଫୁଲବାଣୀ, ଯବାନ କ୍ଳବ ସମ୍ବଲପୁର, କୋଲକତା ବେଲଟ ଗ୍ରୁପ, ରାୟ ରାଧା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଏବଂ ଗଙ୍ଗେଶ୍ୱର ଯୁଗଳ ଶଙ୍ଖ ବାଦ୍ୟ ଗଞ୍ଜାମର କଳାକାରମାନେ ରଙ୍ଗମହଲ ଓ ରାଜଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଗୁରୁବାର ନନ୍ଦୋତ୍ସବ

ଗୁରୁବାର ଦିନ କଂସ ମହାରାଜାଙ୍କ ଶ୍ୟାମେଶ୍ୱର ବାବାଙ୍କ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ଶୀଳାରେ ପ୍ରହାର, ଦୈବବାଣୀ ଏବଂ ରାଜଦରବାରରେ କଂସଙ୍କ ମନ୍ତ୍ରଣା ଦୃଶ୍ୟ ଅଭିନୀତ ହେବ। ଗୋପପୁରରେ ନନ୍ଦ ଦରବାର ଉଦଘାଟନ ହୋଇ ନନ୍ଦୋତ୍ସବ ପାଳିତ ହେବ।

Comment