ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କମିସନରେଟ୍ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ।

  • ସ୍ପେଶାଲ୍ ମହିଳା ପୋଲିସ୍ ଅଫିସରଙ୍କୁ ନିଯୁକ୍ତ କଲା କମିସନରେଟ୍ ପୋଲିସ୍
  • ଘରୋଇ କମ୍ପାନି, କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଗଠନ ହୋଇଛି ଏସପିଓ
  • ମହିଳାମାନଙ୍କ ସୁରକ୍ଷା ବାବଦରେ ପୋଲିସର ଆଖି କାନ ହେବ ଏସପିଓ
  • ଏସପିଓମାନେ ଜଣେ ଅଭିଯୁକ୍ତ, ରୋଡ୍ ରୋମିଓକୁ ଗିରଫ କରିପାରିବେ
  • ଟ୍ୱିନ୍ ସିଟିରେ ଅପରାଧ କମ୍ କରିବାକୁ କମିସନରେଟ୍ ପୋଲିସର ନିଆରା ପ୍ରୟାସ

“ରୋଡ୍ ରୋମିଓଙ୍କୁ ସାବାଡ୍ କରିବେ କମିସନରେଟ୍ ପୋଲିସର ନୂଆ ସ୍ପେଶାଲ୍ ପୋଲିସ୍ ଅଫିସର (ଏସପିଓ)। ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କାମ କରିବା ସହ ଏହି ଅଫିସରମାନେ ମହିଳାଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖିବେ। କୌଣସି ଲୋକ ଯଦି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି କିଛି ଅସଦାଚରଣ କରେ ତେବେ ସାଙ୍ଗେ ସାଙ୍ଗେ ଏସପିଓମାନେ ଏନେଇ କମିସନରେଟ୍ ପୋଲିସକୁ ସୂଚନା ଦେବେ। ଏପରିକି ଘଟଣା ସ୍ଥଳରେ ସେମାନେ ତାଙ୍କୁ ଗିରଫ ମଧ୍ୟ କରିପାରିବେ। ଜଣେ ପୋଲିସ୍ ଅଫିସରର ଯେଉଁ ଯେଉଁ କ୍ଷମତା ରହିଛି ଜଣେ ଏସପିଓ ଅଧିକାରୀଙ୍କ ମଧ୍ୟ ସେହି ସେହି କ୍ଷମତା ରହିବ”, କମିସନରେଟ୍ ପୋଲିସର ପ୍ରତିଷ୍ଠା ଦିବସ ଅବସରରେ ଏପରି କହିଛନ୍ତି ପୋଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।ଗୁରୁବାର କମିସନରେଟ୍ ପୋଲିସ୍ ନିଜର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ କମିସନରେଟ୍ ପୋଲିସ୍ ପକ୍ଷରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ପୋଲିସ୍ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କୁ ଟି-ସାର୍ଟ ପ୍ରଦାନ କରିବା ସହ ତାଙ୍କର କ୍ଷମତା ସମ୍ପର୍କରେ ସେମାନଙ୍କୁ ବୁଝାଇ ଦିଆଯାଇଛି। ଭୁବନେଶ୍ୱର ଓ କଟକର ବିଭିନ୍ନ ଅଫିସରେ କାମ କରୁଥିବା ମହିଳା କର୍ମଚାରୀ, କଲେଜ ଛାତ୍ରୀଙ୍କୁ ନେଇ ଏହି ସ୍ପେଶାଲ୍ ପୋଲିସ୍ ଅଫିସର ଗଠନ କରାଯାଇଛି।ଏହି ଅଫିସରମାନେ ତାଙ୍କର ଦୈନନ୍ଦିନ ଜୀବନରେ ଅଫିସ୍ ଯିବା, କଲେଜ ଯିବା ଜାରି ରଖିବେ। ଯଦି ତାଙ୍କର ନଜରରେ କୌଣସି ମହିଳାଙ୍କ ପ୍ରତି କିଏ ଅସଦାଚରଣ କରୁଥିବାର ସେମାନେ ଦେଖିବେ, ତେବେ ତୁରନ୍ତ ଏନେଇ ସେମାନେ ପୋଲିସକୁ ସୂଚନା ଦେବେ। ଏହାଦ୍ୱାରା ସହରରେ ମହିଳାଙ୍କ ଉପରେ ହେଉଥିବା ଅସଦାଚରଣକୁ ରୋକାଯାଇପାରିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏହାସହ ତାଙ୍କର କ୍ଷମତା ଜଣେ ସାଧାରଣ ପୋଲିସ୍ ଅଧିକାରୀଙ୍କ କ୍ଷମତା ସହ ସମାନ ବୋଲି କହିଛନ୍ତି ପୋଲିସ୍ କମିସନର।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ୍ ଡିଜି ଅଭୟ ଉପସ୍ଥିତ ରହି କହିଥିଲେ, “ମହିଳାମାନଙ୍କ ସୁରକ୍ଷା କରିବା ପୋଲିସର ପ୍ରଥମ କର୍ତ୍ତବ୍ୟ। ଏଥିପାଇଁ ଏହି ନୂଆ ମହିଳା ସ୍ପେଶାଲ୍ ପୋଲିସ୍ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ଏହାଦ୍ୱାରା ସହରର ଅପରାଧ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ।”ଏହି କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ। ନୂଆ କରି ନିଯୁକ୍ତ ହୋଇଥିବା ପୋଲିସ୍ ଅଫିସରମାନଙ୍କୁ ସେ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ମହିଳାମାନେ ହେଉଛନ୍ତି ଆମ ସମାଜର ପ୍ରକୃତ ହିରୋ। ସେମାନଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। କମିସନରେଟ୍ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ନିଆରା ପ୍ରୟାସକୁ ସବ୍ୟସାଚୀ ବେଶ୍ ପ୍ରଶଂସା କରିଥିଲେ। ତାଙ୍କ ସହ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଭୂମିକା ଦାସ, ନିହାରିକା ପ୍ରମୁଖ ଉପସ୍ଥିତ ରହିଥିଲେ।

Comment