ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷ ଅବସରରେ ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ନୂଆ ବର୍ଷରେ ନୂଆ ଅନୁଚିନ୍ତା ଓ ମଙ୍ଗଳକାମନା ପାଇଁ ଲକ୍ଷାଧିକ ଭକ୍ତ ଧାଇଁ ଆସିଥିଲେ ପୁରୀ ଧାମକୁ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ପାଖାପାଖି ୬ଲକ୍ଷରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ମାର୍କେଟ୍‌ ଛକରୁ ସିଂହଦ୍ୱାର ଯାଏଁ ଭକ୍ତଙ୍କ ସମାଗମରେ ପୁରୀ ବଡ଼ଦାଣ୍ଡ ଉଠୁଥିଲା ପଡ଼ୁଥିଲା।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଡ୍‌ ବ୍ୟବସ୍ଥା, ଭକ୍ତମାନଙ୍କ ପାଇଁ ପାଣିର ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ଭକ୍ତମାନଙ୍କ ଶୃଙ୍ଖଳିତ ଓ ଅନ୍ୟ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୁରୀକୁ ଜଗି ରହିଥିଲେ ୬୫ ପ୍ଲାଟୁନ୍‌ ପୋଲିସ ଓ ୭୫୦ରୁ ଅଧିକ ପୋଲିସ ଅଧିକାରୀ।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସ୍ଵତନ୍ତ୍ର ବ୍ୟାରିକେଡ୍‌, ମେଘନାଦ ପାଚେରି ପ୍ରାନ୍ତରେ ସୁନ୍ଦର ସୁନ୍ଦର ଗଛ ଏବଂ ରାତିରେ ରଙ୍ଗୀନ ଆଲୋକମାଳାରେ ଶ୍ରୀକ୍ଷେତ୍ରକୁ ସୁସଜ୍ଜିତ କରାଯାଇଛି। ଏହି ମନୋରମ ଦୃଶ୍ୟକୁ ଦେଖିବା ପାଇଁ ପୁରୀରେ ସବୁଠାରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲା।

Comment