ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ମଙ୍ଗୁ ମଠ ଉଚ୍ଛେଦକୁ ବିରୋଧ। ମଙ୍ଗୁ ମଠ ଭଙ୍ଗା ଯିବା ଖବର ଇଣ୍ଟରନେଟ୍‌ରେ ପାଇବା ପରେ ୫ଜଣ ଶିଖ ସମ୍ପ୍ରାଦାୟର ଯୁବକ ପଞ୍ଜାବରୁ ଆସି ପୁରୀରେ ପହଞ୍ଚିଥିଲେ। ସେମାନେ ମଠ ଉପରେ ଚଢି ପୂଜା କରିବା ସହ ଖଣ୍ଡା ବୁଲାଇଥିଲେ। ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ବୁଝାସୁଝା କରିଥିଲା।

ପଞ୍ଜାବରୁ ଆସିଥିବା ୫ ଜଣ ଯୁବକ ଆଜି ଅପରାହ୍‌ଣରେ ସିଡି ପକାଇ ମଙ୍ଗୁ ମଠ ଉପରକୁ ଚଢ଼ି ଯାଇଥିଲେ। ସେଠାରେ ଚଢ଼ି ଶିଖ୍‌ ସଙ୍କେତକୁ ପୂଜା କରିବା ସହ ଖଣ୍ଡା ବୁଲାଇଥିଲେ। ଏହି ଘଟଣା ପରେ ସେଠାରେ ଭିଡ଼ ଜମିଥିଲା। ପରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଓହ୍ଲାଇନଥିଲେ।

ପରେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ମଧ୍ୟ ପହଞ୍ଚି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଛାତ ଉପରୁ ଡେଇଁ ପଡ଼ିବେ ବୋଲି ଚେତାବନୀ ଦେଇଥିଲେ। ପ୍ରାୟ ଘଣ୍ଟାଏ ପରେ ସେମାନେ ତଳକୁ ଓହ୍ଲାଇଥିଲେ। ସେମାନଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି।

ଶ୍ରୀମନ୍ଦିରରେ ୭୫ ମିଟର ଉଚ୍ଛେଦ ବେଳେ ମନ୍ଦିର ପାଖରେ ଥିବା ସମସ୍ତ ପୁରୁଣା ମଠ ଉଚ୍ଛେଦ ହୋଇଥିଲା। ସେହିପରି ଶିଖ ସମ୍ପ୍ରାଦାୟର ମଙ୍ଗୁ ମଠ ମଧ୍ୟ ଏହି ୭୫ ମିଟର ପରିଧି ମଧ୍ୟରେ ଆସୁଥିବାରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ। ହେଲେ ଏହାକୁ ପଞ୍ଜାବର ଶିଖ୍‌ ସମ୍ପ୍ରାଦୟ ବିରୋଧ କରିଥିଲା।

ମଙ୍ଗୁ ମଠ ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇଥିଲା। ମଠର ବ୍ୟବସାୟିକ କୋଠା ମାପଚୁପ ମଧ୍ୟ କରିଥିଲା। ହେଲେ ଏହାକୁ ନେଇ ଏକାଧିକ ପ୍ରତିବନ୍ଧକ ସାମ୍ନାକୁ ଆସିଥିଲା। ମଙ୍ଗୁ ମଠ ଉଚ୍ଛେଦ ହେଲେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ସ୍ମୃତି ଲୋପ ପାଇଯିବ ବୋଲି ଦିଲ୍ଲୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ କରିଥିଲେ।

Comment