ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ଝଡ଼ ବହୁଛି। ଏହି ଆଇନକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି। କିଛି ଛାତ୍ର ସମାଜ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ବେଳେ ପୁରୀ ଗୋବର୍ଦ୍ଧନ ପଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢ଼ିଛି।

ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରି ଶଙ୍କରାଚାର୍ଯ୍ୟ ସିଏଏକୁ ସମର୍ଥନ କରିଛନ୍ତି।

‘‘ବିଶ୍ୱର ୨୦୪ଟି ଦେଶ ମଧ୍ୟରୁ ଅନେକ ଦେଶକୁ ଖ୍ରୀଷ୍ଟିଆନ୍‌ ଏବଂ ମୁସିଲିମ୍‌ ଦେଶ ଭାବେ ଘୋଷଣା କରାଯାଇଛି। ବିଭିନ୍ନ ଦେଶରେ ବହୁଳ ପରିମାଣରେ ହିନ୍ଦୁମାନେ ବସବାସ କରୁଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କୌଣସି ଦେଶକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଇନି। ପ୍ରଥମ ଦଫାରେ ଭାରତ, ନେପାଳ ଏବଂ ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯିବା ଦରକାର’’, କହିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ‘‘ମୁସଲିମ୍‌ ଓ ଖ୍ରୀଷ୍ଟିଆନ ଦେଶମାନଙ୍କରେ ହିନ୍ଦୁମାନେ ଧାର୍ମିକ ଉତ୍ପୀଡ଼ନର ଶୀକାର ହେଉଛନ୍ତି। ସେମାନଙ୍କୁ ଭାରତ, ନେପାଳ ଓ ଭୁଟାନରେ ଥଇଥାନ କରାଯାଉ। ଜାତିସଂଘରେ ଏନେଇ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯାଉ। ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ କରିବା ପାଇଁ ଏହି ନ୍ୟାୟାଳୟ କାମ କରିବା ଦରକାର।’’

Comment