ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫସଲ ଅମଳ ସମୟରେ ବର୍ଷା ଯୋଗୁଁ ଚାଷୀ ମଣ୍ଡରେ ଚଡ଼କ। ଗତ ଦୁଇଦିନ ହେବ ରାଜ୍ୟରେ ଅଦିନିଆ ବର୍ଷା ହେବାରେ ଲାଗିଛି। ଫଳରେ ବିଲରେ ଥିବା ଅମଳ ଫସଲ ବର୍ଷା ଓଦା ହୋଇ ନଷ୍ଟ ହୋଇଯାଇଛି। ଅନେକ ସ୍ଥାନରେ ମଣ୍ଡିରେ ଥିବା ଧାନ ବର୍ଷା ପାଣିରେ ଓଦା ହୋଇ ଗଜା ହେବାରେ ଲାଗିଲାଣି। ଏଭଳି ପରିସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇବସିଛି।

ଗୋଟେପଟେ ଜାଡ଼ରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ସେଥିରେ ଦାଉ ସାଜିଛି ଅଦିନିଆ ବର୍ଷା। ଜାଡ଼ ପ୍ରଭାବରେ ବିଲରୁ ଅମଳ ଫସଲ ଆଣିବାରେ ବିଳମ୍ବ ଦେଖାଦେଇଥିଲା। ହେଲେ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାରୁ ଜମିରେ ହିଁ ଧାନ ପାଣି ଖାଉଛି।

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ଚାନ୍ଦବାଲି ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗତ ଦୁଇଦିନ ଧରି ବର୍ଷା ଲାଗି ରହିଛି। ଫଳରେ ଚାଷୀର ଅମଳ ଧାନ ପାଣି ଭିତରେ ପଡ଼ି ରହିଛି। ଫଳରେ ବର୍ଷା ମାଡ଼ରେ ଚୋଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ବର୍ଷକର ଆହାର ଛଡ଼ାଇନେଇଛି।

ଅନ୍ୟପକ୍ଷରେ ଧାନମଣ୍ଡିରେ ବିକ୍ରି ଅପେକ୍ଷାରେ ଥିବା ଶୁଖିଲା ଧାନ ବର୍ଷା ମାଡ଼ରେ ଗଜା ହେବାକୁ ଲାଗିଲାଣି। ସୋନ୍‌ପୁର ଓ କଳାହାଣ୍ଡି ଭଳି ଜିଲ୍ଲାରେ ମଣ୍ଡିରେ ଧାନ ପାଣି ଖାଉଛି। ଏଭଳି ପରିସ୍ଥିତିରେ ଚାଷୀ ଧାନ ବିକ୍ରି କରିବ ନା ଖରିଫ୍‌ ଚାଷ ପାଇଁ ପ୍ରସ୍ତୁତ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ମାରିବା ସହ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପରେ ରାଜ୍ୟରେ ଶୀତର ପ୍ରକୋପ ଜୋର୍‌ଦାର୍‌ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ହେବା ସହ ସୋନପୁର ଜିଲ୍ଲାରେ ସର୍ବାଧିକ ୩୧.୨ ମିଲିମିଟର ବର୍ଷା ହୋଇଛି। ଏଥିସହିତ ବଲାଙ୍ଗିରରେ ୨୮ ମିଲିମିଟର, ରାଇରଙ୍ଗପୁରରେ ୨୩ ମିଲିମିଟର, ହେମଗିରିରେ ୧୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ମିଳିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment