ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ୍‌ ଫଟୋ।

(ଜୟପ୍ରକାଶ ଶତପଥୀ): ଏଗାର ଦିନର ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରା ନଗରୀ ରାଜଦରବାରରେ ଅନୁଷ୍ଠିତ ହୁଏ ରଙ୍ଗସଭା। ଷାଠିଏ ଓ ସତୁରୀ ଦଶକରେ ଯେତେବେଳେ ଯୋଗଯୋଗ ସୁବିଧା ନ ଥିଲା ବାହାର ଅଞ୍ଚଳର ଲୋକେ କେବଳ ଦିନଟିଏ ପାଇଁ ଯାତ୍ରା ଦେଖିବାକୁ ଆସୁଥିଲେ ଏବଂ ଏହି ଦିନଟି ଥିଲା ରଙ୍ଗସଭା।

ବାହାରୁ ଆସୁଥିବା ଦର୍ଶକମାନେ ଏହି ଦିନ ଫେରି ନପାରି ରାତିରେ ମଥୁରା ନଗରୀରେ ହିଁ ରହି ଯାଉଥିଲେ। ଧନୁଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଅଧିକ ସମୟ ଧରି ଚାଲୁଥିବା ଅଭିନୟ ହେଲା ରଙ୍ଗସଭା। କୃଷ୍ଣଙ୍କ ହାତରେ ରାକ୍ଷସ ରାକ୍ଷସୀ ନିଧନ ହେବା ପରେ ଅନ୍ୟ କୌଣସି ଉପାୟ ନପାଇ ଶେଷରେ କଂସ ଯୁଦ୍ଧ ପ୍ରସ୍ତୁତି ପାଇଁ ନିଜର ପଡୋଶୀ ରାଜ୍ୟର ରାଜାମାନଙ୍କୁ ମଥୁରାକୁ ଆମନ୍ତ୍ରଣ କରିଥାନ୍ତି।

ଦୀର୍ଘ ସମୟ ଧରି ପଡ଼ୋଶୀ ରାଜ୍ୟର ରାଜାମାନେ କଂସ ମହାରାଜାଙ୍କୁ ସେମାନଙ୍କର ସମର୍ଥନ ଦେଇଥାନ୍ତି। ବଳିଷ୍ଠ ଅଭିନୟ ଶୈଳୀରେ ଏହି ରାଜାମାନଙ୍କର ସମର୍ଥନ ଦେଖିବା ପାଇଁ ଏହି ଦିନ ବହୁ ଜନସମାଗମ ହୋଇଥାଏ। ଏହିଦିନ ରାଜାମାନଙ୍କ ସହିତ ଆଲୋଚନା ପରେ ଅକ୍ରୁରଙ୍କୁ ଗୋପପୁରକୁ  ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନିଆଯାଏ।

ଯାତ୍ରାର ଆଧୁନିକରଣ ସହ ବର୍ତ୍ତମାନ ଏଥିରେ ଆଉ କିଛି ଦିନ ଯୋଡ଼ି ଦିଆଯାଇଛି। ରଙ୍ଗସଭା ଦିନ ଜିଲ୍ଲାପାଳ, ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କର।ଯାଉଛି।

ଏହି ଅଧିକାରୀମାନଙ୍କୁ ମଧ୍ୟ ମୁକୁଟ ପିନ୍ଧାଯାଇ ରାଜଦରବାରର ଅଂଶ ଭାବରେ ବିବେଚନା କରାଯାଏ। ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରଜାମାନଙ୍କର ବିଭିନ୍ନ ଅସୁବିଧାକୁ ନେଇ ପ୍ରଶ୍ନଗୁଡ଼ିକ ପ୍ରସ୍ତୁତି କରି ରଖାଯାଏ ଏବଂ ଏହି ପ୍ରଶ୍ନଗୁଡ଼ିକ କଂସ ମହାରାଜା ଅଧିକାରୀମାନଙ୍କୁ ପଚାରି ତାଗିଦ କରିଥାନ୍ତି।

ଧାନ ସଂଗ୍ରହଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଧିକାରୀମାନେ ନିଜର ଉତ୍ତର ରଖନ୍ତି। ଉପସ୍ଥିତ ଦର୍ଶକ ମଧ୍ୟ ଅଧିକାରୀମାନଙ୍କୁ ତାଗିଦ କରିବା ଦୃଶ୍ୟ ମଧ୍ୟ ବେଶ୍‌ ଉପଭୋଗ କରିଆସୁଛନ୍ତି। ପୌରାଣିକର ରଙ୍ଗସଭା ସହ ଏହି ଆଧୁନିକ ରଙ୍ଗସଭା ମଧ୍ୟ ଲୋକଙ୍କୁ ଏହି ଦିନ ରାଜଦରବାରରେ ବାନ୍ଧି ରଖିଥାଏ।

Comment