ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରମନ୍ତ୍ରୀ ପଦରେ ଅସନ୍ତୁଷ୍ଟ ହୋଇ ଶିବସେନା ନେତା ଅବଦୁଲ୍ ସତ୍ତାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲାଗିଛି ବଡ଼ ଝଟକା। ମନ୍ତ୍ରୀପଦ ବଣ୍ଟାରେ ଅସନ୍ତୋଷ ହୋଇ ଶନିବାର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବସେନା ନେତା ଅବଦୁଲ୍ ସତ୍ତାର। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଚିବ ଅନିଲ ଦେସାଇଙ୍କ ପାଖକୁ ପଠାଇ ଦେଇଛନ୍ତି।ଅବଦୁଲ୍ ସତ୍ତାରଙ୍କୁ ଉଦ୍ଧବଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା। ସେଥିରେ କିନ୍ତୁ ସେ ଖୁସି ନଥିଲେ। ତେଣୁ ଶେଷରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ଅବଦୁଲ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ  ମନେଇବା ପାଇଁ ଏବେ ଶିବସେନାର ନେତାମାନେ ଲାଗି ପଡ଼ିଛନ୍ତି, କିନ୍ତୁ ସେ ନିଜର ଜିଦରେ ଅଟଳ ଥିବା ସୂଚନା ମିଳିଛି।କିଛି ଦିନ ତଳେ ମହାରାଷ୍ଟ୍ରରେ ଉଦ୍ଧବ ସରକାର ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଥିଲେ। ଏଥିରେ ଆଦିତ୍ୟ ଠାକରେ, ଅଜିତ୍ ପାୱାରଙ୍କ ସହ ମୋଟ୍ ୩୬ଜଣ ନେତା ମନ୍ତ୍ରୀ ପଦର ଶପଥ ନେଇଥିଲେ। କିନ୍ତୁ ଏହାପରେ ବିଭାଗ ବଣ୍ଟାକୁ ନେଇ ମନ୍ତ୍ରୀମାନଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। କଂଗ୍ରେସ, ଶିବସେନାର ଅନେକ ନେତା ମନ୍ତ୍ରୀପଦ ନପାଇବାରୁ ସରକାର ଉପରେ ଅସନ୍ତୁଷ୍ଟ ହେବା ଦେଖିବାକୁ ମିଳିଥିଲା। ଏହାର ପରିଣାମ ସ୍ୱରୂପ ଶନିବାର ଅବଦୁଲ୍ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

Comment