ଓଡ଼ିଶାଲାଇଭ୍ ବ୍ୟୁରୋ

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ସହ ଏମ୍ଓୟୁ ସ୍ୱାକ୍ଷର କରିଛି ଭୁବନେଶ୍ୱର ଆଇଆଇଟି। ଗବେଷଣା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଦୁଇ ଅନୁଷ୍ଠାନ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।କେନ୍ଦ୍ର ମାନବ ସମ୍ବଳ ବିଭାଗର ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ସୋମବାର ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଭୁବନେଶ୍ୱର ଓ ଭୁବନେଶ୍ୱରର ଏମ୍ସର ଡିରେକ୍ଟର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଆର ଭି ରାଜା କୁମାର ଏବଂ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଗୀତାଜ୍ଞଳି ବାଟମାନାବାନେଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନକୌଶଳକୁ ଉପଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଦୁଇ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ଏହାଦ୍ୱାରା ବେଶ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ଏହାକୁ ନେଇ କହିଛନ୍ତି, “ଦୁଇ ଅନୁଷ୍ଠାନର ମିଳନ ସମାଜ ପାଇଁ ବେଶ୍ ଲାଭବାନ ସାବ୍ୟସ୍ତ ହେବ। ଏହାଦ୍ୱାର ଗବେଷଣା ଓ ଜ୍ଞାନ କୌଶଳର ଉନ୍ନତି ହେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିପାରିବ। ସେମାନେ ଗୋଟିଏ ଟିମ୍ ହୋଇ କାମ କରିବା ସହ ନିଜ ନିଜ ଭିତରେ ପ୍ରତିଯୋଗିତା ଜାରି ରଖିବେ ଯାହା ସମାଜ ପାଇଁ ନୂଆ ନୂଆ କଥା ସାମନାକୁ ଆଣିବ।”“ଏମ୍ସ ସହ ଏହି ରାଜିନାମା ଆମ ଶିକ୍ଷାନୁଷ୍ଠାନକୁ ଏକ ନୂଆ ସୁଯୋଗ ଦେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୋଗ ହୋଇପାରିବ। ବାୟୋ-ଇଞ୍ଜିନିୟରିଂର ବିକାଶ ହେବା ପାଇଁ ମଧ୍ୟ ଏହା ବେଶ ସହାୟକ ହୋଇପାରିବ”, କହିଛନ୍ତି ଆଇଆଇଟି ନିର୍ଦ୍ଦେଶକ ଆର ଭି ରାଜା କୁମାର।

ଏମ୍ସର ନିର୍ଦ୍ଦେଶକ ଗୀତାଜ୍ଞଳି ବାଟମାନାବାନେ କହିଛନ୍ତି ଯେ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ପାଇଁ ଟେକ୍ନେଲୋଜି ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି। ଆଇଆଇଟି ଭୁବନେଶ୍ୱର ସହ ଏହି ରାଜିନାମା ଦ୍ୱାରା ଭୁବନେଶ୍ୱର ଏମ୍ସ ବେଶ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି।

Comment