ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିରନ୍ତର ଉଦ୍ୟମ ଜାରି ରଖିଲେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିହେବ।

‘‘ମୁଁ ଛୋଟ ବେଳେ ଅଜା, ଆଈଙ୍କ ପାଖରେ ରହୁଥିଲି। ଅଜା ହିଁ ମତେ ପ୍ରଥମେ ସିଭିଲ ସର୍ଭିସ୍‌ ବିଷୟରେ ଜଣାଇଥିଲେ। ଏ ଦିଗରେ ମୋ’ ଅଜା ହିଁ ମତେ ବେଶୀ ଉତ୍ସାହିତ କରିଥିଲେ। ଏଣୁ ମୁଁ ଦଶମ ପାସ୍‌ କରିବା ପରେ ଏଥିପ୍ରତି ଅଧିକ ଧ୍ୟାନ ଦେଲି’’, କହିଛନ୍ତି ପ୍ରାଚୀ ପ୍ରିୟଦର୍ଶିନୀ।

ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବାଲେଶ୍ୱର ଝିଅ ପ୍ରାଚୀ ପ୍ରିୟଦର୍ଶିନୀ। ଏବେ ସେ ଭୁବନେଶ୍ୱରରେ ରହୁଛନ୍ତି। ସେ ୧୫୬ ରାଙ୍କରେ ରହିଛନ୍ତି। ପ୍ରଥମ ଥର ଫେଲ୍‌ ମାରିବା ପରେ ଦ୍ୱିତୀୟ ଥରରେ ସେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

ଦ୍ଵିତୀୟ ଥରରେ ପ୍ରାଚୀ ସଫଳତା କେମିତି ହାସଲ କଲେ ସେ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ତାଙ୍କୁ ଭେଟିଥିଲା।

‘‘ଗ୍ରାଜୁଏସନରେ ମୁଁ ଇତିହାସ ଅନର୍ସ ରଖିଥିଲି। ଏହାସହ ଇତିହାସରେ ମୁଁ ପିଜି ବି କରିଛି। ଦିନକୁ ମୁଁ ୮ରୁ ୧୦ ଘଣ୍ଟା ପାଠ ପଢୁଥିଲି। ପ୍ରତିଦିନ ଖବରକାଗଜ ପଢ଼ିବା ସହ ସିଭିଲ ସର୍ଭିସ୍‌ ପାଇଁ ଯାହା ବହି ଅଛି ତାକୁ ମୁଁ ଦେଖୁଥିଲି’’, କହିଛନ୍ତି ପ୍ରାଚୀ।

ସିଭିଲ୍‌ ସର୍ଭିସ୍‌ ପାଇଁ ସବୁକାଛି ଛାଡ଼ି ପ୍ରଥମେ ପାଠ ପଢ଼ିବା ଦରକାର। ଦିନକୁ ନିହାତି ୮ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରାଚୀ।

‘‘ପିଜି କରିବା ବେଳେ ହିଁ ମୁଁ ପ୍ରଥମ ଓଏଏସ୍‌ ପରୀକ୍ଷା ଦେଇଥିଲି। ହେଲେ ସଫଳତା ମିଳି ନଥିଲା। କାରଣ ମୁଁ ଏଥିପାଇଁ ସମୟ ଦେଇ ନଥିଲି। ପ୍ରଥମ ପରୀକ୍ଷାର ବିଫଳତା ହିଁ ମୋ’ ମନରେ ଜିଦ୍‌ଖୋର ମନୋଭାବ ସୃଷ୍ଟି କରିଥିଲା। ମୁଁ ଜିଦ୍‌ ଧରିଥିଲି ଯେ ଯେମିତି ହେଲେ ବି ମୁଁ ଦ୍ୱିତୀୟ ଥରରେ ଓଏଏସ୍‌ ପାଇବି। ଏହା ଆଜି ସଫଳ ହୋଇଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ପ୍ରାଚୀ।

ପ୍ରାଚୀ ପ୍ରିୟଦର୍ଶିନୀ ଆହୁରି କହିଛନ୍ତି, ‘‘ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରତିଦିନ ଖବରକାଗଜ ପଢ଼ିବା ଦରକାର। କରେଣ୍ଟ ଆଫାୟର୍ସ ବିଷୟରେ ଖବରକାଗଜରୁ ହିଁ ଜାଣିହେବ। ଏହାସହ ମୁଁ ଗୁଗଲ ଏବଂ ଡିଜିଟାଲ ମିଡିଆର ମଧ୍ୟ ସାହାରା ନେଇଥିଲି।’’

ଧୈର୍ଯ୍ୟ ନହରାଇ ପରୀକ୍ଷା ଦେଲେ ସଫଳତା ନିଶ୍ଚିତ ବୋଲି ପ୍ରାଚୀ ଓଏଏସ୍‌ ପରୀକ୍ଷା ଦେବାକୁ ଚାହୁଁଥିବା ପରୀକ୍ଷାର୍ଥୀଙ୍କୁ କହିଛନ୍ତି।

Comment