ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଏଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନ ପାଇଥିବା ସନ୍ତୋଷିନୀ ଦାଶ ଓଡ଼ିଶାଲାଇଭ୍‌କୁ ତାଙ୍କ ସଫଳତାର ମନ୍ତ୍ର କହିଛନ୍ତି।

‘‘ଏଥର ଓଏଏସ୍‌ ପାଇବି ବୋଲି ମୁଁ ନିଶ୍ଚିନ୍ତ ଥିଲି। ୨୧୮ ରାଙ୍କ ଭିତରେ ସ୍ଥାନ ପାଇବି ବୋଲି ଆଶା ଥିଲା। ହେଲେ ଟପ୍‌-୫ ଭିତରେ ରହିବି ବୋଲି କେବେ ଭାବି ନଥିଲି। ଟପ୍‌-୫ ଭିତରେ ରହିଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ସନ୍ତୋଷିନୀ ଦାଶ।

୨୦୧୮ ବର୍ଷର ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱରର ସନ୍ତୋଷିନୀ ଦାଶ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଓଏଏସ୍‌ ପାଇବା ପାଇଁ ସନ୍ତୋଷିନୀଙ୍କର ଷ୍ଟ୍ରାଟେଜି କ’ଣ ଥିଲା ତାହା ଜାଣିବା ପାଇଁ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍‌। ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍‌ ଆଗରେ ସନ୍ତୋଷିନୀ ତାଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।

‘‘ମୁଁ ପ୍ରତିଦିନ ୩ରୁ ୪ ଘଣ୍ଟା ପଢ଼େ। କିନ୍ତୁ ପରୀକ୍ଷା ସମୟରେ ୬ ଘଣ୍ଟା ପଢୁଥିଲି। ଛୋଟ ବେଳୁ ସିଭିଲ ସର୍ଭିସ ପ୍ରତି ଇଚ୍ଛା ଥିଲା। ଆମ କଲେଜର ସିନିୟର୍‌ମାନେ ସିଭିଲ ସର୍ଭିସ ପାଇବା ପରେ ଏଥିପ୍ରତି ଅଧିକ ଆକର୍ଷିତ ହୋଇଥିଲି। ୨୦୧୭ରେ ମୁଁ ପ୍ରିଲିମ୍ସ ରାଉଣ୍ଡରୁ କଟି ଯାଇଥିଲି। ଏହି ବିଫଳତା ହିଁ ମୋ’ ମନରେ ଅଧିକ ଦୃଢ଼ତା ଆଣିଥିଲା। ଏଥର ମୁଁ ନିଶ୍ଚିନ୍ତ ’’, କହିଛନ୍ତି ସନ୍ତୋଷିନୀ।

ସନ୍ତୋଷିନୀ ଆହୁରି କହିଛନ୍ତି, ‘‘ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ। ସରକାରଙ୍କ ଯୋଜନା ଯାହା ଅଛି ତାହା ଲୋକଙ୍କ ପାଖରେ କିପରି ଠିକ୍‌ରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବି।

ସିଭିଲି ସର୍ଭିସ୍‌ ପାଇବା ପାଇଁ ମନରେ ଧୈର୍ଯ୍ୟ ଧରିବା ଦରକାର। ସିଭିଲ ସର୍ଭିସ୍‌ ଏକ ଲମ୍ବା ସମୟର ପରୀକ୍ଷା ହୋଇଥିବାରୁ ଛାତ୍ରଛାତ୍ରୀମାନେ ଅଧୈର୍ଯ୍ୟ ହେବା ଠିକ୍‌ ନୁହେଁ। ମନରେ ଧୈର୍ଯ୍ୟ ରଖି କଠିନ ପରିଶ୍ରମ କଲେ ସୁଫଳ ନିଶ୍ଚିତ ମିଳିବ।’’

‘‘ମତେ ଯେଉଁ ସେକ୍ଟରରେ କାମ କରିବାର ସୁଯୋଗ ମିଳିବ ତାହା ମୁଁ କରିବି। ଆଗକୁ ୟୁପିଏଏସ୍‌ସି ପରୀକ୍ଷା ଦେବାକୁ ଲକ୍ଷ୍ୟ ରହିଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସନ୍ତୋଷିନୀ।

Comment