ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍‌)ରେ ସଫଳତା ହାସଲ କରିଛନ୍ତି କୋରାପୁଟ ପୋଲିସରେ କାମ କରୁଥିବା କନଷ୍ଟେବଲ ୠତୁ ସିଂହ। 

ଲକ୍ଷ୍ୟ ନିର୍ଦ୍ଧାରଣ କଲେ ଲକ୍ଷ୍ୟ ପୂରଣ କରିବାକୁ କୌଣସି ପରିସ୍ଥିତି କେବେ କାହାକୁ ରୋକି ପାରବନି। ଏହାକୁ ସତ ପ୍ରମାଣ କରି ଦେଖାଇଛନ୍ତି ଜୟପୁର ଝିଅ ୠତୁ ସିଂହ। ୠତୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍‌)ରେ ସଫଳତାର ସହିତ ୨୦୪ ନମ୍ବର ରାଙ୍କ୍‌ ପାଇଛନ୍ତି। ୠତୁଙ୍କ ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

ୠତୁ ଏକାଧାରରେ ଜଣେ ପୋଲିସ କନଷ୍ଟେବଲ, ଜଣେ କ୍ରିକେଟ ଖେଳାଳି ଏବେ ଜଣେ ଓଏଏସ୍ ଅଫିସର ଭାବେ ନିଜକୁ ଗଢ଼ି ତୋଳିଛନ୍ତି।

ୠତୁଙ୍କ ଘର କୋରାପୁଟ ଜିଲ୍ଲାର ଜୟପୁର ସହରର ପରାବେଡ ଶ୍ରୀରାମ କଲୋନୀରେ। ତାଙ୍କ ବାପାଙ୍କ ନାଁ ରାଜରାମ ସିଂହ। ପେସାରେ ୠତୁ ଜଣେ ଖେଳାଳି। ୨୦୧୧ରେ ଓଡ଼ିଶା ୧୯ ବର୍ଷରୁ କମ୍‌ ମହିଳା କ୍ରକେଟ ଦଳର ଅଧିନାୟକ ଥିଲେ ସେ। ଜଣେ ଆଗଧାଡ଼ିର ଖେଳାଳି ଭାବେ ଖ୍ୟାତି ଅର୍ଜନ କରିଥିବାରୁ ତାଙ୍କୁ କୋରାପୁଟ ପୋଲିସ କନଷ୍ଟେବଲ ପଦରେ ନିଯୁକ୍ତି ଦିଆଯାଇଛି। ଏବେ ୠତୁଙ୍କର ଓଏଏସ୍‌ ହେବାର ସ୍ୱପ୍ନ ପୂରଣ ହୋଇଛି।

‘‘ମ୍ୟାଚ ପାଇଁ ଅଧିକାଂଶ ସମୟ ମୁଁ ବାହାରେ ରହୁଥିଲି। ପାଠ ପଢ଼ିବାକୁ ଖୁବ୍‌ କମ ସମୟ ମିଳୁଥିଲା। ତଥାପି ଯେତିକି ସମୟ ମିଳୁଥିଲା ସେଥିରେ ମୁଁ ବହି ପଢ଼ିବା ସହ ଅନଲାଇନରେ ପଢ଼ାପଢ଼ି କରୁଥିଲି’’, କହିଛନ୍ତି ୠତୁ।

ସେହିପରି ଯେଉଁମାନ ଓଏଏସ୍‌ ପାଇଁ ପ୍ରସ୍ତୁତି ହେଉଛନ୍ତି ସେମାନଙ୍କ ପରାମର୍ଶ ଦେଇ ୠତୁ କହିଛନ୍ତି, ‘‘ଯେଉଁମାନେ ପ୍ରସ୍ତୁତ ହେଉଛନ୍ତି ସେମାନେ ନିଜ ସମୟର ଠିକ୍‌ ବ୍ୟବହାର କରନ୍ତୁ। ନିଜୁକ ସୋସିଆଲ ମିଡିଆରୁ ଦୂରେଇ ରଖନ୍ତୁ। ସଫଳତା ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିବ।’’

ଏହି ସଫଳତା ପାଇଁ ନିଜ ବାପା ମା ନିଜ ଭାଇ ଭଉଣୀଙ୍କୁ ଶ୍ରେୟ ଦେଇଛନ୍ତି।

ମୋ ବାପା ମା ବେଶୀ ପାଠ ପଢ଼ିନାହାନ୍ତି। ତଥାପି ସେ ମତେ ସବୁଥିରେ ସର୍ପୋଟ କରିଛନ୍ତି। ପାଠପଢ଼ାରେ, ଖେଳରେ ସବୁଥିରେ ତାଙ୍କ ସମର୍ଥନ ରହିଛନ୍ତି। ସେମାନଙ୍କ ସମର୍ଥନ ପାଇଁ ହିଁ ଆଜି ମୁଁ ଏଇଠି ପହଞ୍ଚିଛି। କୋରାପୁଟ ଭଳି ଏକ ପଛୁଆ ଅଞ୍ଚଳର ଝିଅ କ୍ରିକେଟ ଖେଳିବା ତା’ପରେ ଓଏଏସ୍‌ ପାଇବା ସହଜ ନଥିଲା’’, କହିଛନ୍ତି ୠତୁ।

Comment