ଓଡ଼ିଶାଲାଇଭ୍ବ୍ୟୁରୋ

ବେକାର ଯୁବକମାନେ ଏବେ ଚାକିରି ପ୍ରୋଲୋଭନରେ ପଡ଼ି ଠକାମିର ଶିକାର ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ଜଗତସିଂହପୁର ଜିଲ୍ଲାରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ଅଧିକାଂଶ ଯୁବକ ଠାକାମିରେ ପଡ଼ି ହନ୍ତସନ୍ତ ହେଉଛନ୍ତି। ଚାକିରି ଯୋଗାଇଦେବା ବାହାନାରେ ଜଣେ ଯୁବକ କିଭଳି ସର୍ବସ୍ୱ।ନ୍ତ ହୋଇଥିଲେ ତାହାର ପ୍ରମାଣ ସାମ୍ନାକୁ ଆସିଛି।

ଜଗତସିଂହପୁର ଜିଲ୍ଲା ପିତେଇପୁର ଗାଁର ଦେବେନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ଜନୈକ ସୂର୍ଯ୍ୟନାରାୟଣ ଦାସ (ବାଲିକୁଦା,କୁମ୍ଭକୁଳ)ଙ୍କଠାରୁ ସେ କଲ ପାଇଥିଲେ। ବରଗଡ଼ରେ ଚାକିରି କରାଇବା କହି ସୂର୍ଯ୍ୟ ୫୦ ହଜାର ଟଙ୍କା ଦାବି କରିଥିଲେ। ମାସକୁ ୨୨ ହଜାର ଟଙ୍କା ଦରମା, ଗସ୍ତ ଖର୍ଚ୍ଚ, ବୀମା, ମହଙ୍ଗା ଭତ୍ତା ଆଦି ବି ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଲୋଭରେ ପଡ଼ି ଦେବେନ୍ଦ୍ର ବରଗଡ଼ ଟାଉନରେ ଥିବା ଗଣେଶ ଭବନ ଲଜରେ ୫୦ ହଜାର ଟଙ୍କା ସହ ସୂର୍ଯ୍ୟଙ୍କୁ ଭେଟିଥିଲେ। ଏହା ପରେ ଗ୍ଲେଜ ନେଟୱର୍କର ଲୋକ କହି କିଛି ଲୋକ ଦେବେନ୍ଦ୍ରଙ୍କ ଫଟୋ, ମୋବାଇଲ ଫୋନ ଓ କିଛି କାଗଜ ପତ୍ରରେ ତାଙ୍କର ଦସ୍ତଖତ ନେଇଥିଲେ।

ପରେ ସେମାନେ ଦେବେନ୍ଦ୍ରଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଜ୍ଞାତ ବାସରେ ରଖିଥିଲେ। ମୁକୁଳିବା ପାଇଁ ଉଦ୍ୟମ କରିବାରୁ ଆଉ ତିନି ଜଣ ଯୁବକଙ୍କୁ ଆଣିଲେ ଯାଇ ତାଙ୍କୁ ଛଡ଼ା ଯିବ ବୋଲି ଦୁର୍ବୃତ୍ତମାନେ କହିଥିଲେ। ଶେଷରେ ପତ୍ନୀଙ୍କ ଦେହ ଖରାପ ହୋଇଥିବା କହି ଦେବେନ୍ଦ୍ର ମୁକୁଳିଥିଲେ। ତେବେ ତାଙ୍କର ସାର୍ଟିଫିକେଟ୍‌ ଓ ଅନ୍ୟ କାଗଜପତ୍ର ଜବରଦସ୍ତ କରି ରଖିଦିଆଯାଇଥିଲା।

ଘରକୁ ଫେରିବା ପରେ ଦେବେନ୍ଦ୍ର ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଜଗତସିଂହପୁର ଆଇଆଇସି ରଜନୀକାନ୍ତ ସାମଲ କହିଛନ୍ତି ଯେ ଏତଲାକୁ ଭିତ୍ତି କରି ଏକ କେସ ରୁଜୁ କରାଯାଇଛି ଓ ଏହାକୁ ବରଗଡ଼ ପୋଲିସ ପାଖକୁ ତଦନ୍ତ ପାଇଁ ପଠାଇଦିଆଯାଇଛି।

ସେହିଭଳି ଆଉ ଏକ ଘଟଣା ଘଟିଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକଣ ଗାଁରେ। ଏହି ଗାଁର ସୌମ୍ୟକାନ୍ତ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବି ୨୩ ହଜାର ଟଙ୍କାର ଠାକାମିର ଶିକାର ହେବାକୁ ପଡ଼ିଛି। ତାଙ୍କୁ ମଧ୍ୟ ଠକମାନଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯାଇଥିଲା ବୋଲି କହିଛନ୍ତି ସୌମ୍ୟକାନ୍ତ।

Comment