ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ସିନିୟର ମହିଳା ଚ୍ୟାଲେଞ୍ଜର୍ ଟ୍ରଫି ଜିତିଛି ଭାରତ-ସି’। ଆଜି ଫାଇନାଲରେ ଭାରତ-ବି’କୁ ୮ୱିକେଟରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିପାରିଛି। ବି’ ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୩୧ରନ୍ କରିଥିଲା। ଜବାବରେ ସଫାଳି ବର୍ମାଙ୍କ ଧୂଆଁଧାର ୮୯ରନ୍ ବଳରେ ଭାରତ-ସି’ ବେଶ୍ ସହଜରେ ମ୍ୟାଚ୍ କବଜା କରିନେଇଥିଲା।

ଭାରତ-ବି’ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳୀୟ ସ୍କୋର ୧୧ରନ୍‌ରେ ଅଧିନାୟିକ ସ୍ମୃତି ମନ୍ଧାନା ମାତ୍ର ୩ରନ୍ କରି ରାଜେଶ୍ୱରୀଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ବନିତା ଭି.ଆର୍ ଓ ଜେମିହା ରୋଡ୍ରିଗୁଏସ୍‌ ମଧ୍ୟରେ କିଛି ସମୟ ଧରି ଭାଗିଦାରୀ ସୃଷ୍ଟି ହୋଇଥିଲା। କିନ୍ତୁ ବେଶୀ ସମୟ ତିଷ୍ଠି ପାରିନଥିଲେ ଉଭୟ ଖେଳାଳି। ବନିତା ୨୫ରନ୍ ଏବଂ ଜେମିହା ୧୦ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ।

ମଧ୍ୟକ୍ରମରେ ଦଳ ବ୍ୟାଟିଂ ନିୟନ୍ତ୍ରଣ ହରାଇ ବସିଥିଲା। ରିଚା ୧୫, ଆର୍. କଳ୍ପନା ୪ରନ୍ କରି ୱିକେଟ ହରାଇଥିବା ବେଳେ ପୂଜା ଭସ୍ତ୍ରକର ଅପରାଜିତ ୪୩ ଓ ଏ.ପାଟିଲ୍ ୨୦ରନ୍ କରି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଭାରତ-ସି’ ତରଫରୁ ଏମ୍.ଦକ୍ଷିଣୀ ୩ଟି ୱିକେଟ ନେଇଥିଲେ। ରାଜେଶ୍ୱରୀ ଓ ଡି.ହେମଲତାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ-ସି’ ତରଫରୁ ଦୁଇ ଓପନର ମାଧୁରୀ ମେହେତା ଓ ସଫାଳି ବର୍ମା ବ୍ୟାଟିଂକୁ ଓହ୍ଲାଇଥିଲେ। ଉଭୟଙ୍କ ମଧ୍ୟରେ ୭୭ରନ୍‌ର ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ଥିଲା। ୩୦ବଲ୍‌ରୁ ୩ଟି ଚୌକା ସହାୟତାରେ ୨୦ରନ୍ କରି ଆଉଟ୍ ହୋଇଥିବା ବେଳେ ସଫାଳି ଦଳକୁ ଚାପମୁକ୍ତ କରିଥିଲେ।

୪୮ବଲ୍‌ରୁ ୧୫ଟି ଚୌକା ଓ ୨ଟି ଛକା ସହାୟତାରେ ଦରୁତ ୮୯ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ବାଦ୍‌ ଅଧିନାୟିକା ବେଦ କ୍ରିଷ୍ନମୂର୍ତ୍ତି ୮ବଲ୍‌ରୁ ୧୫ରନ୍ ଓ ଡି.ହେମଲତା ୬ ବଲ୍‌ରୁ ୬ରନ୍ କରିଥିଲେ। ଭାରତ-ବି’ର ଶିଖା ପାଣ୍ଡେଙ୍କୁ କେବଳ ଗୋଟିଏ ୱିକେଟ ସଫଳତା ମିଳିଥିଲା। ଏହିପରି ଭାବେ ଭାରତ-ସି’ ଏକତରଫା ଭାବେ ଫାଇନାଲ୍ ମ୍ୟାଚରେ କବଜା କରିଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ସାଧାରଣ ସମ୍ପାଦକ ସଞ୍ଜୟ ବେହେରା ଚାମ୍ପିଅନ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Comment