ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷ ହେଲା ୭୧ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ।

ବରଗଡ଼: ଦୀର୍ଘ ଏଗାର ଦିନ ଚାଲିଥିବା ୭୧ତମ ବରଗଡ ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି। କୃଷ୍ଣଙ୍କୁ ଦେଖି ବିଚଳିତ ହୋଇ କଂସ ମଞ୍ଚାରୁ ପଡ଼ି ପ୍ରାଣ ହରାଇଛି।  ସମସ୍ତ ଜଗତବାସୀଙ୍କୁ ଅସତ୍ୟ ଉପରେ ଧର୍ମର ବିଜୟ ହେବା ଏବଂ ସତ୍ୟ ଓ ଧର୍ମ ପଥରେ ଆଗେଇ ଯିବାକୁ ବାର୍ତ୍ତା ଦେଇଛି ଏହି ଧନୁଯାତ୍ରା। ମଞ୍ଚାରୁ ପଡ଼ି କଂସ ପ୍ରାଣ ହରାଇବା ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି।

ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ୭୧ ତମ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି। ଏଗାର ଦିନ ଧରି ମହାରାଜା କଂସଙ୍କ ରାଜତ୍ୱ ଚାଲିଥିବାବେଲେ ଗୋପପୁରରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା କୃଷ୍ଣଙ୍କ ବାଲ୍ୟଲୀଳାକୁ ନେଇ। ତେବେ ଅତ୍ୟାଚାରୀ କଂସଙ୍କ ଅତ୍ୟାଚାରରୁ ଜଗତବାସୀଙ୍କୁ ଉଦ୍ଧାର କରିବାପାଇଁ ଧରା ପୃଷ୍ଠକୁ ଓହ୍ଲାଇ ଆସିଥିଲେ ସ୍ୱୟଂ ବିଷ୍ଣୁ କୃଷ୍ଣ ଅବତାରରେ। ଅନ୍ୟ ପକ୍ଷରେ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜା କଂସ ଆୟୋଜନ କରିଥିଲେ କପଟ ଓ ଛଳନାର ଯାତ୍ରା ଧନୁଯାତ୍ରା।

ଧନୁଯାତ୍ରା ମହୋତ୍ସବକୁ ଉଭୟ କୃଷ୍ଣ ବଳରାମଙ୍କୁ ଡକାଇଛି ଦୈତ୍ୟରାଜ କଂସ ଏବଂ ଛଳନାରେ ସେମାନଙ୍କୁ ହତ୍ୟା କରିବାକୁ କରିଛି ଷଡଯନ୍ତ୍ର। ବ୍ୟୁହ ରଚନା କରିଛି ସେମାନଙ୍କୁ ହତ୍ୟା କରିବା ପାଇଁ। ତ୍ରିସ୍ତରୀୟ ବ୍ୟବସ୍ଥା କରିଛି ସେମାନଙ୍କୁ ହତ୍ୟା କରିବା ପାଇଁ।

ପ୍ରଥମେ ରହିଛି କୁବଳୟା ହସ୍ତୀ, ତାପରେ ଚାଣୁର ମୁଷ୍ଟିକ ସମେତ ଅଷ୍ଟମଲ୍ଳବୀର ଏବଂ ତୃତୀୟ ସ୍ତରରେ ମନ୍ତ୍ରୀ, ସେନାପତିଙ୍କ ସମେତ ସ୍ୱୟଂ କଂସାସୁର। କୃଷ୍ଣ ବଲରାମ ମଥୁରା କଟକ ଭ୍ରମଣ କରିବା ସମୟରେ ପ୍ରଥମେ ଧନୁ ରଖାଯାଇଥିବା ହାଟପଦା ସ୍ଥିତ ମଞ୍ଚ ପାଖରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ।

ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣ ଶରଣାଗତ ହେବା ସହ ଲୋକମଣ୍ଡପ ପଡିଆସ୍ଥିତ ରାଜଦରବାରେ ଥିବା ମହାରାଜା କଂସ ପାଖକୁ ନେଇଯାଇଥିଲେ। ରାଜଦରବାର ପାଖରେ ପହଞ୍ଚି ରାଜଦ୍ୱାର ସମ୍ମୁଖରେ ତାଙ୍କୁ ହତ୍ୟା କରିବାକୁ ଗୋଡାଉଥିବା କୁବଳୟା ହସ୍ତୀକୁ ଆୟତ୍ତ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ପରେ ପରେ ମହାମନ୍ତ୍ରୀ ଶକ୍ରାଜିତ କ୍ଷମାଭିକ୍ଷା କରିଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ।

ମାମୁ କଂସ ଓ ଭଣଜା କୃଷ୍ଣବଳରାମଙ୍କ ମଧ୍ୟରେ ହୋଇଥିଲା ଘୋମାଘୋଟ ଯୁଦ୍ଧ ଏବଂ ରାଜଦରବାରରୁ ପଡି ନିହତ ହୋଇଥିଲା ଅତ୍ୟାଚାରୀ କଂସ। ତେବେ କଂସର ନିଧନ ପରେ ମଥୁରାରେ ଉତ୍ସବର ମାହୋଲ ରହିଥିବା ସମୟରେ ଉଗ୍ରସେନଙ୍କ ରାଜ୍ୟାଭିଷେକ କରିଥିଲେ ବେନୀଭାଇ। ପରେ ମଥୁରା କାରାଗାର ଯାଇ ମାତା ପିତା ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିଥିଲେ।

Comment