ଓଡ଼ିଶାଲାଇଭ୍‌ ବ୍ୟୁରୋ  

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଭୁବନେଶ୍ୱର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୬ଷ୍ଠ ଅର୍ନ୍ତଜାତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ କୋର୍ଣାକଠାରେ ଉଦ୍‌ଘାଟନ ହୋଇଛି। ଏହି ଦୁଇ ଦିନିଆ କବିତାପାଠ ମହୋତ୍ସବକୁ ବିଶାଖାପାଟଣା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ନୂଆଦିଲ୍ଲୀ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ, ମହୀଶୂର କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ଏବଂ ମୁମ୍ବାଇ ଇଣ୍ଡିଆନ ନଭେଲ୍ କଲେକ୍ଟିଭସଙ୍କ ମିଳିତ ସହଯୋଗିତାରେ ଅନୁଷ୍ଠିତ ୬ଷ୍ଠତମ ଚନ୍ଦ୍ରଭାଗା କବିତା ମହୋତ୍ସବରେ ଓଡ଼ିଶା ସମେତ ଭାରତ, ଅଷ୍ଟ୍ରିଆ ଓ ଫ୍ରାନ୍ସ ଶିଳ୍ପୀ, କବି ଓ ଲେଖକମାନେ ଯୋଗ ଦେଇଥିଲେ।

ପ୍ରଖ୍ୟାତନାମା କବି ପ୍ରଫେସର ଜୟନ୍ତ ମହାପାତ୍ର ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଫେସର ମନୋରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୬ଷ୍ଠ ଚନ୍ଦ୍ରଭାଗା କବିତା ମହୋତ୍ସବରେ ଭାରତୀୟ ତଥା ଅର୍ନ୍ତଜାତୀୟ କବିତା ଓ କଳା ଧାରା ସମୂହର ପର୍ଯ୍ୟାଲୋଚନା କରାଯାଇଛି। ଏହାଦ୍ୱାରା ମାନବ ସଭ୍ୟତାରେ ଶାନ୍ତି, ପ୍ରେମ, ସୌହାର୍ଦ୍ଧ୍ୟ ଓ ଭାତୃଭାବ ପ୍ରତିଷ୍ଠିତ ହୋଇପାରିବ ବୋଲି କବିତା ମହୋତ୍ସବର ନିର୍ଦ୍ଦେଶକ ପ୍ରଫେସର୍ ଚନ୍ଦ୍ରଭାନୁ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।

ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ନାରୀବାଦି କବିତା ଶୃଙ୍ଖଳ ପରିଚାଳନା କରିବା ସହ ପୁସ୍ତକ ଉନ୍ମୋଚନ କରିଥିଲେ। ଏହାସହ ଯୁବପିଢ଼ୀର କବି, କଳାକାର ଓ ଲେଖକମାନଙ୍କୁ ଚନ୍ଦ୍ରଭାଗା କବିତା ମହୋତ୍ସବରେ ଆନୁଷ୍ଠାନିକ ଭାବେ ପ୍ରୋତ୍ସାହନ ଦେବାପାଇଁ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ସର୍ବଦା ରହିଛି ବୋଲି କହିଥିଲେ।

୬ଷ୍ଠ ଚନ୍ଦ୍ରଭାଗା କବିତା ମହୋତ୍ସବରେ ଗୁଲହାମ୍ ଫାବ୍ରେ, ଲାରା ଦୋଫ୍, ୟାଭେସ୍ ୱାଲେଟ୍, ୟୁଟେ ଏସିନର୍, ଅଶ୍ୱିନୀ କୁମାର, ଏ.ଜେ. ଥୋମାସ୍, ସବୀତା ସିଂ, ଅଂଶୁମାନ କର, ବିଜୟ ଉପାଧ୍ୟାୟ, ଆଶୁତୋଷ ପରିଡ଼ା, ଅପର୍ଣ୍ଣା ମହାନ୍ତି, ପ୍ରବାସିନୀ ମହାକୁଡ଼ ଏବଂ ଦୁର୍ଗା ପ୍ରସାଦ ପରିଡ଼ା, ବାସୁଦେବ ସୁନାନୀ ପ୍ରମୁଖ କବିତା ପାଠ କରିଥିଲେ ।

Comment