ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଯୁବ କଂଗ୍ରେସ ସଭାପତି ପଦକୁ ନେଇ ଛକାପଞ୍ଝା। ଏଆଇସିସି ଓ ପିସିସିକୁ ସୁର ମାରିଲେ ବାଣ।

୨୦୧୯ ଶେଷ ହୋଇ ୨୦୨୦ ହେଲା। ହେଲେ ରାଜ୍ୟ କଂଗ୍ରେସରେ ଚାଲିଥିବା ପାଲାର ଅନ୍ତ ଘଟିଲାନି। ୨୦୨୦ ଆରମ୍ଭରୁ ରାଜ୍ୟ କଂଗ୍ରେସରେ ପାଲା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ତେର୍ଚ୍ଛା ବାଣ ମାରିଛନ୍ତି। ସେ ଉଭୟ ପିସିସି ଏବଂ ଏଆଇସିସିକୁ ସମାଲୋଚନା କରିଛନ୍ତି।

ପିସିସି ଏବଂ ଏଆଇସିସି ଭିତରେ ସମନ୍ୱୟ ରହୁ ନଥିବା ସୁର କହିଛନ୍ତି।

ଯୁବ କଂଗ୍ରେସ ସଭାପତି ପଦକୁ ନେଇ ରାଜ୍ୟ କଂଗ୍ରେସରେ ଛକାପଞ୍ଝା ଲାଗି ରହିଛି। ବର୍ତ୍ତମାନ ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିବା ଲୋକନାଥ ମହାରଥୀଙ୍କୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଲାଗି ପଡ଼ିଛନ୍ତି। ଲୋକନାଥଙ୍କୁ ହଟାଇ ନୂଆ ମୁହଁକୁ ଯୁବ କଂଗ୍ରେସ ସଭାପତି କରିବା ପାଇଁ ଗତ ଦୁଇ ଦିନ ତଳେ କଂଗ୍ରେସ ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିବା କୁହାଯାଉଛି।

ଲୋକନାଥ ମହାରଥୀଙ୍କୁ ହଟାଇ ନୂଆ ମୁହଁକୁ ସଭାପତି କରିବା ପାଇଁ ପିସିସିର ତୁଙ୍ଗ ନେତାମାନେ ଚାହୁଁଥିବା ଏହି ରୁଦ୍ଧଦ୍ୱାର ବୈଠକରୁ ସ୍ପଷ୍ଟ ହୋଇଥିଲା। ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏହି ରୁଦ୍ଧଦ୍ୱାର ବୈଠକ ବସିଥିବାରୁ କଂଗ୍ରେସ ରାଜନୀତିରେ ହଟଚମଟ ଲାଗି ରହିଥିଲା।

ଗତ ୧୩ ତାରିଖରେ ଯୁବ କଂଗେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଯୋଗ ଦେଇଥିଲେ ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ। ବୈଠକ ଚାଲିଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ପ୍ରଭାରୀଙ୍କ ଆଗରେ ପାୱାର ସୋ’ କରିଥିଲେ। ନାରାବାଜି କରିବାକୁ ମଧ୍ୟ ପଛାଇ ନଥିଲେ।

ଏଥିରେ ରାଗି ଯାଇଥିଲେ ପ୍ରଭାରୀ। ଯୁବ କଂଗ୍ରେସ ସଭାପତି କିଏ ହେବେ ତାହା ଏଆଇସିସି ନିର୍ଦ୍ଧାରଣ କରିବ। ପିସିସିର ଏହି କ୍ଷମତା ନାହିଁ ବୋଲି ପ୍ରଭାରୀ ରଘୁବଂଶୀ ରୋକ୍‌ଠୋକ୍ କହିଥିଲେ। ପ୍ରଭାରୀଙ୍କ ଏହି ମନ୍ତବ୍ୟ ପରେ ଆଶାୟୀ ନିରାଶ ହୋଇଥିଲେ।

ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ରାନଜୀତିର ହଟଚମଟ ଲାଗି ରହିଥିବା ବେଳେ ସୁର ତେର୍ଚ୍ଛା ବାଣ ମାରିଛନ୍ତି।

‘‘ରାଜ୍ୟରେ ଯୁବ କଂଗ୍ରେସକୁ ସଶକ୍ତ କରିବା ପାଇଁ ଏଆଇସିସି ନୂଆ କମିଟି ଗଠନ କରିଛନ୍ତି। ହେଲେ ଓପିସିସି ସହ ଏ ବିଷୟରେ ଆଲୋଚନା ହୋଇ ନଥିବାରୁ କିଛି ନେତା ଅସନ୍ତୁଷ୍ଟ ଅଛନ୍ତି। ଏଆଇସିସି ଏବଂ ଓପିସିସି ଭିତରେ ସମନ୍ୱୟ ଅଭାବ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଗତକାଲି କଂଗ୍ରେସ ଭବନରେ ଯେଉଁ ଘଟଣା ଘଟିଗଲା ତାହା ଗ୍ରହଣୀୟ ନୁହେଁ’’, କହିଛନ୍ତି ସୁର ରାଉତରାୟ।

ସେ ଆହୁରି କହିଛନ୍ତି, ‘‘କିଛି ଲୋକଙ୍କର ପଞ୍ଚାୟତ ସ୍ତରରେ ନେତା ହେବାକୁ ଯୋଗ୍ୟତା ନାହିଁ। ହେଲେ ସେମାନେ କଂଗ୍ରେସର ଶୀର୍ଷ ସ୍ତରର ନେତା ହେବାକୁ ଚାହୁଁଛନ୍ତି। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।’’

୨୦୧୯ରେ କଂଗ୍ରେସ ସଙ୍ଗଠନ ବିପର୍ଯ୍ୟସ୍ତ ହୋଇଯାଇଥିଲା। ସାଧାରଣ ନିର୍ବାଚନରେ କଂଗ୍ରେସ ଚିତ୍‌ପଟ୍ଟାଙ୍ଗ ମାରିଥିଲା। ୨୦୧୯ରେ ସଙ୍ଗଠନରେ ଯେଉଁ ଦେଶ. ଦୁର୍ବଳତା ରହିଥିଲା ତାହା ଏହି ୨୦୨୦ରେ ସମୀକ୍ଷା କରି ଆଗକୁ ବଢ଼ିବା ପାଇଁ କଂଗ୍ରେସ ନେତା ଅଙ୍କ କଷିଥିଲେ। ହେଲେ ୨୦୨୦ ଆରମ୍ଭରୁ ଯୁବ କଂଗ୍ରେସ ସଭାପତି ପଦକୁ ନେଇ ପାଲା ଆରମ୍ଭ ହୋଇ ଯାଇଛି।

Comment