ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ସାଇବର ଠକ। ସାବଧାନ! ଆପଣ ବି ଫାସରେ ପଡ଼ି ପାରନ୍ତି।

ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯେତେ ପଦକ୍ଷେପ ନେଲେ ବି ତାହା ସମ୍ଭବ ହେଉନି। ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି। ସାଇବର ଠକଙ୍କ ହାବୁଡ଼ରେ ସାଧାରଣ ଲୋକ ପଡି ସର୍ବସ୍ୱାନ୍ତ ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରରେ।

ଫୋନ୍‌ ପେରେ ଜଣେ ଯୁବକ ୫ ଟଙ୍କା ପଠାଇବା ପରେ ୨ ମିନିଟ୍‌ରେ ୩୫ ହଜାର ଟଙ୍କା ଗାଏବ ହୋଇଯିବା ଘଟଣା ଏବେ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯୁବକ ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ଗତ ୧୨ ତାରିଖର ଘଟଣା। ଭୁବନେଶ୍ୱରର ଶ୍ରୀକାନ୍ତ ମହାପାତ୍ର ନାମକ ଜଣେ ଯୁବକ ନିଜ ବୁଲେଟ୍‌ ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ଏହି ବୁଲେଟ୍‌ କିଣିବା ପାଇଁ ଜଣେ ବ୍ୟକ୍ତି ବିଜ୍ଞାପନ ଦେଇଥିବା ଯୁବକଙ୍କୁ ଫୋନ୍‌ କରିଥିଲେ। ବୁଲେଟ୍‌ କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଅଗ୍ରୀମ ଟଙ୍କା ଦେବାକୁ କହିଥିଲେ ଯୁବକ ଜଣକ। ଏଥିରେ ରାଜି ହୋଇଥିଲେ ସଂପୃକ୍ତ ବ୍ୟକ୍ତି।

୧୩ ତାରିଖ ସକାଳେ ଫୋନ୍‌ ଆସିଲା।

‘‘ବୁଲେଟ୍‌ କିଣିବା ପାଇଁ ଅଗ୍ରୀମ ଦେବାକୁ ଚାହୁଁଛି। ମୁଁ କନଫର୍ମ ହେବା ପାଇଁ ଆପଣ ପ୍ରଥମେ ମତେ ଫୋନ୍‌ ପେ’ରେ ୫ ଟଙ୍କା ପଠାନ୍ତୁ। ତା’ ପରେ ମୁଁ ସବୁ ଟଙ୍କା ଦେଇଦେବି। ଏଥିରେ ଭଳି ଯାଇଥିଲେ ଶ୍ରୀକାନ୍ତ। ସେ ଫୋନ୍‌ ପେ’ରେ ୫ ଟଙ୍କା ପଠାଇଥିଲେ। ଏହାର ୨ ମିନିଟ୍‌ ପରେ ବୁଲେଟ୍ ବିକିବାକୁ ଚାହୁଁଥିବା ଯୁବକଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ଗାଏବ ହୋଇଗଲା।’’

‘‘ଆମେ ଅନ୍‌ଲାଇନ୍‌ରେ ସବୁ ଟ୍ରାଞ୍ଜାକ୍‌ସନ୍‌ କରୁଛୁ। ଯଦି ଏମିତି ଘଟିବ ଆମେ କେମିତି ବ୍ୟବସାୟ କରିବୁ? ଭୁବନେଶ୍ୱରରେ ସାଇବର ଠକଙ୍କ ଗ୍ୟାଙ୍ଗ ରହିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ପଦକ୍ଷେପ ନେଉ’’, କହିଛନ୍ତି ଠକେଇର ଶୀକାର ହୋଇଥିବା ଯୁବକ ଶ୍ରୀକାନ୍ତ।

Comment