ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପିସିସି ସଭାପତି ଅଡୁଆ ତୁଟି ନଥିବା ବେଳେ ଏବେ ଯୁବ କଂଗ୍ରେସରେ ଚାଲିଛି ‘ଚୌକି’ ପାଲା।

ପିସିସି ସଭାପତି ପଦକୁ ନେଇ କଂଗ୍ରେସରେ କନ୍ଦଳ ଥମୁ ନଥିବା ବେଳେ ଏବେ ଯୁବ କଂଗ୍ରେସ ‘ଚୌକି’କୁ ନେଇ ପାଲା ଜମିଛି। ରାଜ୍ୟ ଯୁବ କଂଗ୍ରେସର ମଙ୍ଗ କିଏ ଧରିବ ତାକୁ ନେଇ ଏକ ପ୍ରକାରର ମହାଭାରତ ସୃଷ୍ଟି ହୋଇଛି। ସଭାପତି ପଦ ପାଇଁ ୫ ଆଶାୟୀଙ୍କ ଭିତରେ ଟଣାଓଟରା ଚାଲିଛି।

ଯୁବ କଂଗ୍ରେସର ମଙ୍ଗ ଧରିବା ପାଇଁ ଅଭିଳାଷ ମାଣିଆ, ନିରଞ୍ଜନ ନାୟକ, ମନୋଜ ବିଶ୍ୱାଳ ଏବଂ ରାଜୀବ ପଟ୍ଟନାୟକଙ୍କ ନାଁ ରେସ୍‌ରେ ରହିଛି। ବର୍ତ୍ତମାନର ସଭାପତି ଲୋକନାଥ ମହାରଥୀ ବି ଲବି ଚଳାଇଛନ୍ତି।

ଗତ ୧୩ ତାରିଖରେ କଂଗ୍ରେସ ଭବନରେ ବସିଥିବା ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ଏହି ଆଶାୟୀମାନେ ନିଜ ନିଜ ସମର୍ଥକଙ୍କୁ ଧରି ପାୱାର ସୋ’ କରିଥିଲେ। ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଶାୟୀମାନେ କଂଗ୍ରେସ ଭବନ ଆଗରେ ଭିଡ଼ ଜମାଇଥିଲେ।

ଦଳ ଦଳକରି ୫ ଜଣ ଆଶାୟୀ ମଟର ସାଇକେଲ ରାଲିରେ କଂଗ୍ରେସ ଭବନକୁ ଆସିଥିଲେ। ନାରାବାଜି କରି ପ୍ରଭାରୀ ପ୍ରତିଭା ରଘୁବଂଶୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ।

ଆଶାୟୀଙ୍କ ଏହି ପାୱାର ସୋ’କୁ ନେଇ ରଘୁବଂଶୀ ପ୍ରତିକ୍ରିୟା ରଖିଥିଲେ। ଯୁବ କଂଗ୍ରେସ ସଭାପତି ବାଛିବା ଦାୟିତ୍ୱ ଏଆଇସିସିର ବୋଲି କହିଥିଲେ ରଘୁବଂଶୀ। ରଘୁବଂଶୀଙ୍କ ଏହି ମନ୍ତବ୍ୟ ଆଶାୟୀଙ୍କୁ ଶକ୍ତ ଝଟ୍‌କା ଦେଇଥିଲା। ଏହାକୁ ନେଇ ଏବେ କଂଗ୍ରେସ ଭବନରେ ଜୋରଦାର ଚର୍ଚ୍ଚା ଲାଗି ରହିଛି।

ଏହି ୫ ଆଶାୟୀଙ୍କ ଭିତରୁ ଯୁବ କଂଗ୍ରେସର ମଙ୍ଗ କିଏ ଧରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବା ପରେ ଏଆଇସିସି ପିସିସିର ସବୁ କମିଟି ଭାଙ୍ଗି ଦେଇଥିଲା। ୨୦୨୦ରେ ନୂଆ କମିଟି ଗଠନ କରାଯିବ। କମିଟି ଗଠନ ହେବା ପୂର୍ବରୁ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି।

ରଜତ ଚୌଧୁରୀ ଥିଲେ ଯୁବ କଂଗ୍ରେସ ସଭାପତି। ଚିଟ୍‌ଫଣ୍ଡ ଠକେଇରେ ରଜତ ଗିରଫ ହୋଇ ଜେଲ୍‌ ଯିବା ପରେ କାର୍ଯ୍ୟକାରୀ ସଭାପତିରୁ ସଭାପତି ହୋଇଥିଲେ ଲୋକନାଥ ମହାରଥୀ। କମିଟି ଭଙ୍ଗା ଯାଇଥିଲେ ବି ଲୋକନାଥ ସଭାପତି ଅଛନ୍ତି। ଏବେ ଲୋକନାଥ ରହିବେ ନା ତାଙ୍କ ଜାଗାରେ ନୂଆ ମୁହଁ ସଭାପତି ହେବେ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବ କଂଗ୍ରେସରେ ଚାଲିଥିବା ଚୌକି ପାଲାର କେବେ ଅନ୍ତ ଘଟୁଛି ତାହା ଅପେକ୍ଷା କରି ଦେଖିବାର କଥା।

ନିର୍ବାଚନ ପରେ ପିସିସି ଚୌକିକୁ ନେଇ କଂଗ୍ରେସରେ ପାଲା ଚାଲିଥିଲା। ଓଡ଼ିଶା କଂଗ୍ରେସରେ ନିରଞ୍ଜନ ହଟାଅ ଅଭିଯାନ ଆରମ୍ଭ ହୋଇଥିଲା। ନିରଞ୍ଜନଙ୍କୁ ହଟାଇ ଜଣେ ଯୁବ ନେତାଙ୍କୁ ପିସିସି ସଭାପତି କରିବା ଦାବିରେ ଅସନ୍ତୁଷ୍ଟ ଗୋଷ୍ଠୀ ଭୁବନେଶ୍ୱରରେ ମେଳି ବାନ୍ଧିଥିଲେ।

କିଛି ନେତା ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ମଧ୍ୟ ଫେରାଦ ହୋଇଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ହଟିବେ ନା ରହିବେ ତାହା ଦିଲ୍ଲୀ ଦରବାରରେ ଝୁଲିକି ରହିଛି। ପିସିସି ସଭାପତି ଅଡୁଆ ତୁଟି ନଥିବା ବେଳେ ଏବେ ଯୁବ କଂଗ୍ରେସରେ ‘ଚୌକି’ ପାଲା ଚାଲିଛି।

ପିସିସି ସଭାପତି ଏବଂ ଯୁବ କଂଗ୍ରେସ ସଭାପତି ପଦକୁ ନେଇ ଯେଉଁ ବିବାଦ ଆରମ୍ଭ ହେଉଛି ତାହା ଆଗକୁ କେଉଁ ମୋଡ଼ ନେଉଛି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

Comment