ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସରିଲା ‘ଶିଶିର ସରସ’ ମେଳା – ୨୦୨୦
  • ୧୧ ଦିନ ଧରି ଚାଲିଲା ମେଳା
  • ଗତବର୍ଷ ଅପେକ୍ଷା ଏଥର ଭଲ କାରବାର
  • ପୁଣି ଆର ବର୍ଷକୁ ଅପେକ୍ଷା

ପୁଡୁଚେରୀର କାଗଜ ମୁଖାଠୁ ନେଇ ଛତିଶଗଡ଼ର ଟସର। ଆସାମର ବେତ ଓ ବାଉଁଶ କାରିଗରୀରୁ ନେଇ ଜମ୍ମୁ କଶ୍ମୀରର ଉଲ୍ ଉତ୍ପାଦ। ପୁଣି କେନ୍ଦୁଝରର ଫୁଲ ବଡ଼ିଠୁ ନେଇ ଜଗତସିଂହପୁରର ଶୁଖୁଆ। ସମଗ୍ର ଦେଶର ପାରମ୍ପରିକ ଉତ୍ପାଦକୁ ନେଇ ସୌଖିନ ହାଟର ପସରା ଖୋଲି ଦେଇଥିବା ‘ଶିଶିର ସରସ’ ଯେମିତି ଏଇ କିଛିଦିନ ହେବ ରାଜଧାନୀବାସୀଙ୍କୁ ମାୟା ଲଗେଇ ଦେଇଥିଲା। ଜାନୁଆରି ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୧ ଦିନ ଧରି ଚାଲିବା ପରେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

ବିଶେଷକରି ମେଳା ଆରମ୍ଭରୁ ବ୍ୟବସାୟକୁ ନେଇ ଯେଉଁ ଆକଳନ କରାଯାଇଥିଲା ସେଥିରେ ମଧ୍ୟ ସଫଳତା ମିଳିଛି। ଚଳିତ ବର୍ଷ ଏହି ମେଳା ୪ଲକ୍ଷରୁ ଅଧିକ ଲୋକ ବୁଲିଥିବା ବେଳେ ୧୬କୋଟି ୧୨ ଲକ୍ଷ ଟଙ୍କାର କାରବାର ହେଇଛି।

ପୂର୍ବ ବର୍ଷ ୧୪ରୁ ୧୫କୋଟି ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଏଥର ଏହା ୧୬ କୋଟି ୧୨ଲକ୍ଷକୁ ବୃଦ୍ଧି ପାଇଛି ବୋଲି ଓରମାସର ଯୁଗ୍ମ ସିଇଓ ସୁଜୟ କର କହିଛନ୍ତି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ମୋଟ୍ ୪୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ସାମିଲ୍ ହୋଇଥିଲେ। ୩୦୬ଟି ଷ୍ଟଲରେ ଉତ୍ପାଦକ ଗୋଷ୍ଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଜ ଉତ୍ପାଦିତ, ହାତଗଢ଼ା ସାମଗ୍ରୀ ଓ ପାରମ୍ପରିକ ଜିନିଷର ବିକ୍ରିବଟା ହୋଇଥିଲା।

ଶିଶିର ସରସ ମେଳାରେ ସମଗ୍ର ରାଜ୍ୟରୁ ୩୦ଟି ଜିଲ୍ଲାରୁ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ଏଥର ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ପୁଡୁଚେରୀ, ପଞ୍ଜାବ, ତ୍ରିପୁରା, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, କେରଣ, ରାଜସ୍ଥାନ ଓ ତାମିଲନାଡୁରୁ ଉତ୍ପାଦକ ଗୋଷ୍ଠୀ ନିଜର ଉତ୍ପାଦ ଭେଟି ଦେଇଥିଲେ।

ପ୍ରଦର୍ଶନୀ ପଡ଼ିଆରେ ଏକ ‘ମିନି ଭାରତ ବଜାର’ର ଅନୁଭବ ନେବା ସହ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଜିନିଷ ଘରକୁ କିଣି ନେଇଥିଲେ। ବିଶେଷକରି ପଶ୍ଚିମବଙ୍ଗର ଝୋଟ ସାମଗ୍ରୀ, ମଧ୍ୟପ୍ରଦେଶର ପାରମ୍ପରିକ ଚନ୍ଦେରି ଶାଢ଼ି, ମଣିପୁର ଓ ଉତ୍ତର ପୂର୍ବର ଫୁଲ ସାମଗ୍ରୀ, ଗୁଜୁରାଟର ସାଲକୁ ନେଇ ଘରସଜା ସାମଗ୍ରୀ, ପଞ୍ଜାବର ଚମଡ଼ା ଜୋତା, ବିହାରର ମଧୁବନୀ ପେଣ୍ଟିଙ୍ଗ ସମେତ ଟେରାକୋଟୋ, ଜନଜାତି ଅଳଙ୍କାର, ଢୋକ୍ରା ଆଦି ମଧ୍ୟ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା।

ପ୍ଲାଣ୍ଟେବୁଲ୍ ପେନ୍ ପାଇଁ ପୁରସ୍କୃତ

କାଗଜରେ ପ୍ରସ୍ତୁତ କଲମ। ତାହା ପୁଣି କାଳି ସରିଯିବା ପରେ ଫୋପାଡ଼ି ଦେଲେ ସେଥିରୁ ଗଛର ଉତ୍ପତ୍ତି। ଖାସ୍ ଏହି ସର୍ଜନା ପାଇଁ ଛତିଶଗଡ଼ର ଜୟ ଅମ୍ବେ ଗ୍ରୁପ୍‌କୁ ମିଳିଛି ଅଭିନବ ଉତ୍ପାଦ ତଥା ଇନୋଭୋଟିଭ୍ ପ୍ରଡକ୍ଟର ପୁରସ୍କାର।

ଶିଶିର ସରସ ମେଳାରେ ଏହି ପୁରସ୍କାର ମିଳିବା ପରେ ଜୟ ଅମ୍ବେ ଗ୍ରୁପର ସଦସ୍ୟା ପଦ୍ମିନୀ ବର୍ମା କହିଛନ୍ତି, ‘‘ଅତି ଛୋଟ ଛୋଟ ଜିନିଷକୁ ବୁଦ୍ଧି ପ୍ରୟୋଗ କରି ନୂଆ ରୂପରେ ପ୍ରସ୍ତୁତ କରିବା ପାଇଁ ଆମେ ଚେଷ୍ଟା କରିଥିଲୁ। ଏହା ଆମକୁ ଆଜି ଏକ ନୂଆ ପରିଚୟ ଦେବା ସହ ଆମ ଭିତରେ ଉତ୍ସାହ ଭରିଛି। ଏଥିପାଇଁ ଓର୍‌ମାସକୁ ଧନ୍ୟବାଦ।’’

ରାଜ୍ୟ ମଧ୍ୟରେ ଉତ୍ପାଦଗୁଡ଼ିକର ପ୍ରଦର୍ଶନରେ ସ୍ୱତନ୍ତ୍ରତା ପାଇଁ ଯାଜପୁରର ମା’ ସିଂହବାହିନୀ ଟସର ହାଣ୍ଡଲୁମ୍‌କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ବାହାରର ସ୍ୱତନ୍ତ୍ର ଶ୍ରେଷ୍ଠ ପ୍ରଦର୍ଶନ ଷ୍ଟଲ୍ ଭାବେ ତେଲେଙ୍ଗାନାର ଭବାନୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଉତ୍ତର ଗୋଆର ସାଇନାଥ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଶ୍ରେଷ୍ଠ ସେଲ୍ସମ୍ୟାନ୍‌ସିପ୍ ପୁରସ୍କାର ଏବଂ ମଣିପୁରକୁ ଶ୍ରେଷ୍ଠ ଅଂଶଗ୍ରହଣକାରୀ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା।

କେରଳ ଖାଦ୍ୟ ପରସିବାରେ ପ୍ରଥମ

ମେଳାରେ ବିଭିନ୍ନ ଘରକରଣା ଓ ହସ୍ତଶିଳ୍ପ ଉତ୍ପାଦ ବ୍ୟତୀତ ଅନ୍ୟତମ ଆକର୍ଷଣ ସାଜିଥିଲା ସ୍ୱତନ୍ତ୍ର ଫୁଡ୍ କୋର୍ଟ। କିଛି ଲୋକେ ତ ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟର ସ୍ୱାଦ ନେବା ପାଇଁ ଖରାବେଳେ ଭିଡ଼ ଜମାଉଥିଲେ।

ଫୁଡକୋର୍ଟ ମଧ୍ୟରେ ମୋଟ୍ ୧୨ଟି ଖାଦ୍ୟ ଷ୍ଟଲ୍ ଲାଗିଥିଲା। ୮ଟି ରାଜ୍ୟର ପାରମ୍ପରିକ ଖାଦ୍ୟ ଏହା ମଧ୍ୟରେ ପ୍ରଦର୍ଶିତ ହୋଇଥିଲା। ତେବେ ସବୁଠୁ ମୟୂରଭଞ୍ଜର ମୁଢ଼ି ମାଂସଠୁ ନେଇ କେରଳର ପୁଟୁ, ଅପ୍ପମ, ଇଦିୟାପ୍ପମ, ମାଲବାର ବିରିୟାନିକୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରିଥିଲେ। ଶେଷରେ କେରଳର ଖାଦ୍ୟ ଷ୍ଟଲ୍ ନିଜ ପାରମ୍ପରିକ ଖାଦ୍ୟର ସ୍ୱାଦ ଚଖାଇ ଖାଦ୍ୟ ଷ୍ଟଲ୍ ମଧ୍ୟରେ ଶ୍ରେଷ୍ଠ ପୁରସ୍କାର ଲାଭ କରିଥିଲା।

ଦେଖିଲେ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ

ଜିନଷଟିଏ ହାତରେ ଧରିବା ପରେ ଆମମାନଙ୍କ ମନରେ ବେଳେ ବେଳେ ପ୍ରଶ୍ନ ଉଠେ ଏଗୁଡ଼ିକ ବାସ୍ତବେର କେମିତି ପ୍ରସ୍ତୁତ ହେଉଥିବ? ଅନେକ ସମୟରେ ଏମିତି ବି ପ୍ରଶ୍ନ ଉଠେ ଏଇ ସାମଗ୍ରୀ କ’ଣ ଆମେମାନେ ବି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିବା? ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଶିଶିର ସରସ ମେଳା ଭେଟି ଦେଇଥିଲା ସାମଗ୍ରୀର ସିଧାସଳଖ ପ୍ରସ୍ତୁତି ପ୍ରଣାଳୀ ବା କୌଶଳ। ଚଳିତ ବର୍ଷ ମୟୂରଭଞ୍ଜର ସବାଇ ଘାସ, ଟେରାକୋଟା ଓ ଧୂପକାଠି ପ୍ରସ୍ତୁତି ପ୍ରଣାଳୀକୁ ସିଧାସଳଖ ଦେଖିବାର ସୁଯୋଗ ପାଇଥିଲେ ଜନସାଧାରଣ। ଅନେକ କେବଳ ଏଇ ଜିନିଷଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀକୁ ନିରେଖି ଚାହିଁ ରହୁଥିଲେ। କାରିଗରର ସୃଜନୀକୁ ସିଧାସଳଖ ଦେଖିବାର ମଜା ଉଠାଇବା ସହ ଅନେକ ସେଇ ଷ୍ଟଲରେ ଉପସ୍ଥିତ ମହିଳାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଶିଶିର ସରସ ସେଲ୍‌ଫି ପଏଣ୍ଟ

ଶିଶିର ସରସ ସର୍ବାଧିକ ଲୋକାଦୃତ ବିକ୍ରିବଟା ମେଳା ହୋଇଥିବା ବେଳେ ପରିସରକୁ ଆକର୍ଷିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ବିଶେଷକରି ପ୍ରବେଶପଥରେ ଥିବା ହଲ୍‌କୁ ପାରମ୍ପରିକ ଛାପ ଦେଇ ପ୍ରସ୍ତୁତ କରାଯାଇଥିଲା। ଧୂଳି ନଉଡ଼ିବା ପାଇଁ ଏଥର ପଡ଼ିଆ ସାରା କାର୍ପେଟ୍ ବିଛା ଯାଇଥିଲା। ଏହା ବ୍ୟତୀତ ୨ଟି ସେଲ୍‌ଫି ପଏଣ୍ଟ୍ ପ୍ରସ୍ତୁତ କରାଯାଇଥିଲା।

ଗୋଟେ ସେଲ୍‌ଫି ପଏଣ୍ଟରେ ଲେଖାଯାଇଥିଲା ‘ବିଭିନ୍ନ ରାଜ୍ୟ, ବିଭିନ୍ନ ସଂସ୍କୃତି ଓ ବିଭିନ୍ନ ଉତ୍ପାଦ: ସବୁ ଗୋଟିଏ ସ୍ଥାନରେ’। ଅନ୍ୟଟିରେ ଲେଖା ଥିଲା ‘ବାଏ ନାଚୁରାଲ୍, ବି ନାଚୁରାଲ୍’।

ଏହି ବାର୍ତ୍ତା ସହ ନିର୍ମିତ ସେଲଫି ପଏଣ୍ଟରେ ଲୋକେ ନିଜର ସେଲଫି ନେବା ପାଇଁ ଭିଡ଼ ଜମାଉଥିଲେ। କିଏ ଏକଲା ତ କିଏ ନିଜ ପରିବାର ସହିତ ଏହା ଉପରେ ନିଜର ସେଲ୍‌ଫି ନେବା ପାଇଁ ସନ୍ଧ୍ୟାରେ ଲାଇନ୍ ଲଗାଉଥିଲେ।

ଲୋକେ କହିଲେ ମେଳାର ଅବଧି ଆହୁରି ବଢୁ

ଶିଶିର ସରସ ମେଳାର ଶେଷ ଦିନର ଭିଡ଼ ହିଁ ଦର୍ଶାଇ ଦେଉଥିଲା ଲୋକେ ଏହି ମେଳା ପାଇଁ କେତେ ଉତ୍ସୁକ। ଶେଷଦିନ ମେଳା ପରିସର ଜନ ସମୁଦ୍ର ପାଲଟିଥିଲା। ଉତ୍ପାଦକ ଗୋଷ୍ଠୀଙ୍କଠୁ ଆରମ୍ଭ କରି ମେଳାକୁ ବୁଲିବାକୁ ଆସୁଥିବା ଲୋକଙ୍କ ମତ ଯେ ଏହି ମେଳାର ଅବଧି ଆହୁରି ବଢ଼ିବା ଦରକାର।

‘‘ମେଳା ଆସିଲେ ଆମେ ବହୁ କଳାସାମଗ୍ରୀ ସହ ଏଠି ପାରମ୍ପରିକ ଜିନଷ ମିଳୁଥିବାରୁ ମନ ଖୋଲି ନିର୍ଦ୍ଦ୍ୱନ୍ଦ୍ୱରେ କିଣୁ। ଏହି ମେଳାର ଆକର୍ଷଣ ହେଉଛି କିଣାକିଣି ସହ ଖାଇବା ପିଇବାର ସୁବିଧା ରହିଛି। ନାଚ ଗୀତ କାର୍ଯ୍ୟକ୍ରମ ବି ହେଉଛି। ତେଣୁ ଗୋଟେ ଜାଗାରେ ଏତେ ସବୁ କଥା ପାଉଥିବାରୁ ପରିବାର ସହ ଆସୁ’’, କହିଛନ୍ତି ଭୁବନେଶ୍ୱର ୯ ନମ୍ବରର ବାସିନ୍ଦା ଶିକ୍ଷକ ରମାକାନ୍ତ ପ୍ରଧାନ।

ଫୁଲନଖରାର ସ୍ୱର୍ଣ୍ଣଲତା ନାୟକ କହିଛନ୍ତି, ‘‘କୋଉ ବର୍ଷ ବି ଏହି ଶିଶିର ସରସ ମେଳାକୁ ହାତଛଡ଼ା କରେନାହିଁ। ପ୍ରତି ବର୍ଷ ଆସେ। ଝୁଣାଠୁ ନେଇ ହଳଦୀ ଓ ଲାଖ ଚୁଡ଼ି କିଣିବା ସହ ପାରମ୍ପରିକ ପୋଷାକ କିଣେ। ଏଥର ମଧ୍ୟ ଅନେକ ଜିନିଷ କିଣାକିଣି କରିଛି। ଲାଗୁଛି ଯେମିତି ଏଇ ମେଳା ଏବେ ଆରମ୍ଭ ହେଲା ଆଉ ସରିଗଲା। ତେଣୁ ମେଳାକୁ ବଢ଼ାଇବା ପାଇଁ ଯଦି ସରକାର ପଦକ୍ଷେପ ନିଅନ୍ତେ ତେବେ ଭଲ ହୁଅନ୍ତା।’’

ଓର୍‌ମାସର ଯୁଗ୍ମ ସିଇଓ ସୁଜୟ କର କହିଛନ୍ତି, ‘‘ଆମକୁ ଏକ ନିର୍ଦ୍ଦିଷ୍ଟ ସମୟ ପ୍ରତିବର୍ଷ ଦିଆଯାଇଥାଏ। ତେଣୁ ସେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆମେ ସାରିବାକୁ ଚେଷ୍ଟା କରୁ। ଏହା ବଢ଼ାଯିବା କଥା ନିଷ୍ପତ୍ତି କେବଳ ସରକାର ନେଇପାରିବେ ବୋଲି ସେ କହିଛନ୍ତି।’’

LEAVE A REPLY

Please enter your comment!
Please enter your name here