ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଶିଖ୍‌ ଯୁବକଙ୍କୁ ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲା ଶିରୋମଣି ଅକାଳି ଦଳ। ପରବିନ୍ଦରଙ୍କୁ ନ୍ୟାୟ ନମିଳିଲେ ରାସ୍ତାକୁ ଓହ୍ଲାଇବାକୁ ଦେଲେ ଚେତାବନୀ।  

ଭୁବନେଶ୍ଵରରେ ଶିଖ୍‌ ଯୁବକ ପରବିନ୍ଦରଙ୍କୁ ଆକ୍ରମଣ ଘଟଣା ଏବେ ପଞ୍ଜାବରେ ଉଠିଛି। ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶିରୋମଣି ଅକାଳି ଦଳର ମୁଖପାତ୍ର ମନଜିନ୍ଦର ସିଂ ସିର୍ସା। ସେ ଟୁଇଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ଯଦି ପରବିନ୍ଦରଙ୍କୁ ନ୍ୟାୟ ନମିଳେ ତେବେ ରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛନ୍ତି ମନଜିନ୍ଦର।

“ଯେ ପର୍ଯ୍ୟନ୍ତ ପରବିନ୍ଦରଙ୍କୁ ନ୍ୟାୟ ନମିଳିଛି, ଆମେ ଚୁପ୍‌ ବସିବୁନି। ସାରା କମ୍ୟୁନିଟି ପରବିନ୍ଦରଙ୍କ ସହ ଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମାଧାନ ନକଲେ ଆମେ ରାସ୍ତାକୁ ଓହ୍ଲାଇବୁ। ଆବଶ୍ୟକ ପଡ଼ିଲେ ଓଡ଼ିଶା ଭବନ ଆଗରେ ମଧ୍ୟ ବିକ୍ଷୋଭ କରାଯିବ” କହିଛନ୍ତି ଶିରୋମଣି ଅକାଳି ଦଳର ମୁଖପାତ୍ର ମନଜିନ୍ଦର ସିଂ ସିର୍ସା।

ପରବିନ୍ଦରଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଦିପକ ଜେନାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଓଡ଼ିଶା ସରକାରଙ୍କ ଦାବି କରୁଛୁ। ଏହି ଆକ୍ରମଣ ଏଥିପାଇଁ କରାଯାଇଛି ଯେ ପରବିନ୍ଦର ମଙ୍ଗୁ ମଠ ଭାଙ୍ଗିବା ବିରୋଧରେ ସବୁଠାରୁ ଆଗରେ ଥିଲେ ବୋଲି କହିଛନ୍ତି ଅକାଳି ଦଳ ମୁଖପାତ୍ର।

୧୪ ତାରିଖରେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାର୍ଟମେଣ୍ଟ ପାଖରେ ଗାଡ଼ି ପାର୍କିଂକୁ ନେଇ ପରବିନ୍ଦରଙ୍କ ସହ କିଛି ଦୁର୍ବୃତ୍ତଙ୍କ ଝଗଡ଼ା ହୋଇଥିଲେ। ଏଥିରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ପରେ ପରବିନ୍ଦର ପୋଲିସକୁ ଫୋନ କରିଥିଲେ। ହେଲେ ପୋଲିସ ଉପସ୍ଥିତିରେ ମଧ୍ୟ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ ଦୁର୍ବୃତ୍ତ।

ଏଙି ଘଟଣାର ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଜଣେ ପିସିଆର ଅଧିକାରୀଙ୍କୁ ନିଲମ୍ଵିତ କରାଯାଇଥିଲା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ହେଲେ ବୁଧବାର ରାତିରେ ସେମାନଙ୍କୁ ଜାମିନ ମିଳି ଯାଇଥିଲା।

1 COMMENT

  1. ପଞ୍ଜାବରେ ଓଡ଼ିଆ କୁଂ ମାଡ଼ ହେଲେ ବିଜେଡି ର ଚେତା ପସିବ।

Comment