ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟାହ୍ନ ଭୋଜନ ରୋଷେଇ କରି ପୁଅକୁ ପାଠ ପଢ଼ାଇଥିଲେ ମା’। ଓଏଏସ ପାଇ ମା’ର ସ୍ୱପ୍ନ ପୂରଣ କଲା ପୁଅ।

ଜୀବନରେ ସଫଳତା ପାଇବାକୁ ହେଲେ ଦାରିଦ୍ର୍ୟ ଆଗରେ ଭାଙ୍ଗି ନପଡ଼ି ସଂଘର୍ଷ କରିବାକୁ ପଡ଼େ। ଏହାର ଜ୍ୱଳନ୍ତ ଉଦାହରଣ ପାଲିଟିଛନ୍ତି ଯାଜପୁରର ଜ୍ଞାନରଞ୍ଜନ ସାହୁ, ଯିଏ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ୫୯ତମ ରାଙ୍କ୍‌ ହାସଲ କରିଛନ୍ତି।

ସବୁଠୁ ବଡ଼ କଥା ହେଲା ଜ୍ଞାନ ରଞ୍ଜନଙ୍କୁ ଏହି ସଫଳତା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ତାଙ୍କୁ ଯେତେବେଳେ ୪ ମାସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବାପା ଚାଲିଯିବା ପରେ ତାଙ୍କ ମା’ ତାଙ୍କୁ ଦୁଃଖ କଷ୍ଟରେ ପାଳିଥିଲେ। ପିଲାଟି ବେଳୁ ଦାରିଦ୍ର୍ୟତାକୁ ଅତି ପାଖରୁ ଦେଖିଥଲେ ଜ୍ଞାନରଞ୍ଜନ।ଏନେଇ ଜ୍ଞାନରଞ୍ଜନ କହନ୍ତି,‘‘ ମୋ ମା’ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଯେଉଁ ପଇସା ପାଉଥିଲେ ସେଥିରେ ମତେ ପାଠ ପଢ଼ାଉଥିଲେ। ସ୍କୁଲ ପଢ଼ିଲା ବେଳେ ଟ୍ୟୁସନରେ ପଢ଼ିବା ମୋ ପାଇଁ ସ୍ୱପ୍ନ ଥିଲା। ସ୍କୁଲରେ ସାର୍‌ମାନେ ପାଠପଢ଼ାରେ ସାହାଯ୍ୟ କରୁଥିଲେ। ଯେଉଁଥିପାଇଁ ଆଜି ଏହି ସ୍ଥାନରେ ମୁଁ ପହଞ୍ଚି ପାରିଛି।’’

ଯାଜପୁର ବରୁଣେଶ୍ୱର ମହାବିଦ୍ୟାଳୟରେ ଯୁକ୍ତ ୨ ପଢ଼ିଲା ବେଳେ ଜ୍ଞାନରଞ୍ଜନ ଆଇଏଏସ୍‌ ପାଇଁ ସ୍ୱପ୍ନ ଦେଖିଥିଲେ। ଏହାପରେ ସେ ଏହି ସ୍ୱପ୍ନକୁ ସତ କରିବାକୁ ଲାଗି ପଡ଼ିଥିଲେ। ଅର୍ଥର ଅଭାବ ତାଙ୍କ ଆଗରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଥିଲା। ଏହାକୁ ଏଡ଼ାଇବା ପାଇଁ ସେ ପିଲାଙ୍କୁ ଟ୍ୟୁସନ କରିବା ଆରମ୍ଭ କରିଦେଇଥିଲେ। ଯୁକ୍ତ ୩ ପାଠ ପଢ଼ା ସରିବା ପରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ ସେ। ମାତ୍ର ସେଥିରେ ସେ ସନ୍ତୁଷ୍ଟ ନଥିଲେ। କିଛି ଦିନ ଚାକିରି କରିବା ପରେ ସ୍ୱପ୍ନ ପୂରଣ କରିବା ପାଇଁ ଚାକରି ଛାଡ଼ି ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ଆଇଏଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

‘‘ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିଲି। ସେଥିପାଇଁ ଓଏଏସ୍‌ ପରୀକ୍ଷାରେ ପାସ୍‌ ହେବା ମୋ ପାଇଁ ସହଜ ହେଲା। ମାତ୍ର ଏହା ମୋର ପ୍ରଥମ ସଫଳତାର ପାହାଚ। ମୁଁ ଏବେ ବି ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହା ହିଁ ମୋର ଲକ୍ଷ୍ୟ। ମୋ ପ୍ରେରଣା ମୋ ମା’’’, କହିଛନ୍ତି ଜ୍ଞାନ ରଞ୍ଜନ।

ସେହିପରି ଯେଉଁମାନେ ଓଏଏସ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ଜ୍ଞାନରଞ୍ଜନ ପରାମର୍ଶ ଦେଇଛନ୍ତି।

‘‘ଯେଉଁମାନେ ଆଇଏଏସ ବା ଓଏଏସ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ କଠିନ ପରିଶ୍ରମ କରିବା ସହ ସ୍ମାର୍ଟ ଷ୍ଟଡିଜ୍‌ କରିବା ଦରକାର। ସିଲାବସ୍‌, ପୂର୍ବବର୍ଷର ପ୍ରଶ୍ନପତ୍ରକୁ ଭଲରେ ବୁଝିବା ଦରକାର। ଯେଉଁମାନେ ସଫଳ ହୋଇଛନ୍ତି ସେମାନଙ୍କ ପରାମର୍ଶ ନେବା ଦରକାର। ସବୁଠୁ ବଡ଼କଥା ନିଜ ଉପରେ ବିଶ୍ୱାସ ରଖିବା ଦରକାର’’, କହିଛନ୍ତି ଜ୍ଞାନରଞ୍ଜନ।

Comment