ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟାଙ୍କ ମା’ ଲଢ଼ିବେ ଦିଲ୍ଲୀ ବିଧାନସଭା ନିର୍ବାଚନ। କଂଗ୍ରେସ ଟିକେଟରୁ ସେ ନୂଆଦିଲ୍ଲୀ ଆସନରେ ନିର୍ବାଚନ ଲଢ଼ିବେ। ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ କଂଗ୍ରେସର ପ୍ରାର୍ଥୀ ହେବେ। ସୋସିଆଲ୍ ମିଡିଆରେ ଏଭଳି ଚର୍ଚ୍ଚା ଚାଲିଛି।

ଦିଲ୍ଲୀର କଂଗ୍ରେସ ନେତା କିର୍ତ୍ତି ଆଜାଦଙ୍କ ଟୁଇଟର ପରେ ଏହି ଚର୍ଚ୍ଚା ଅଧିକ ଜୋର ଧରିଛି। କଂଗ୍ରେସ ନେତା କିର୍ତ୍ତି ଆଜାଦ୍ ଟୁଇଟ୍ କରି ଲେଖିଛନ୍ତି, “ଏ ମା ତୁଝେ ସଲାମ, ଆଶା ଦେବୀଜୀ ଆପଣଙ୍କୁ ସ୍ୱାଗତ।”

ତାଙ୍କର ଏହି ଟୁଇଟ୍ ପରେ ସାଧାରଣରେ ଏବେ ଚର୍ଚ୍ଚା ହେଉଛି ଯେ ନିର୍ଭୟାଙ୍କ ମା’ ଆଶା ଦେବୀ କଂଗ୍ରେସରେ ସାମିଲ ହେବା ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବେ। ଏପରିକି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ପ୍ରାର୍ଥୀ ହେବେ। କେଜରିୱାଲଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଏହି ପ୍ଲାନ୍ କରୁଥିବା କୁହାଯାଉଛି।

ଅନ୍ୟପଟେ ନିର୍ଭୟାଙ୍କ ମା’ କଂଗ୍ରେସରେ ସାମିଲ ହେବା ନେଇ କୌଣସି ସୂଚନା ନାହିଁ। ଏପରିକି ସେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ସୁବାଷ ଚୋପଡା। ସେହିପରି ନିଜେ ନିର୍ଭୟାଙ୍କ ମା’ ମଧ୍ୟ ଏହି କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲେଇବା ମୋର ଏକମାତ୍ର ଲକ୍ଷ୍ୟ। ରାଜନୀତିରେ ପ୍ରବେଶ କରିବାକୁ ନେଇ ସେ କୌଣସି ଯୋଜନା କରିନାହାନ୍ତି ବୋଲି କହିଛନ୍ତି।

Comment