ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪ ଜିଲ୍ଲାରେ ଦୁଃସ୍ଥ ଦାଦନ ରୋକିବା ପାଇଁ ହେବ ସଚେତନତା
  • ଲୋକକଳା ମାଧ୍ୟମରେ କରାଯିବ ସଚେତନ
  • କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ଅଭିଯାନ
  • ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ତିନି ଦିନିଆ ତାଲିମ୍‌ ଶିବିର
  • ଦୁଃସ୍ଥ ଦାଦନ ରୋକିବା ଉପରେ ଗୁରୁତ୍ୱାରୋପ

ଦୁଃସ୍ଥ ଦାଦନ ସମସ୍ୟା ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟ ଏବଂ ୟୁନିସେଫ୍‌ର ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଛି। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି।

ଗତ ୧୬ ତାରିଖରେ ବରଗଡ଼ ଓ କଳହାଣ୍ଡି ଜିଲ୍ଲାରେ ଏହି ଅଭିଯାନ ଶୁଭାରମ୍ଭ ହୋଇଥିବା ବେଳେ ୧୭ରେ ବଲାଙ୍ଗିର ଏବଂ ୧୮ ତାରିଖରେ ନୂଆପଡ଼ା ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି।

୪ଟି ଜିଲ୍ଲାର ୨୦ଟି ବ୍ଲକର ୩୭ଟି ଗ୍ରାମପଞ୍ଚାୟତର ୩୨୯୮ ରାଜସ୍ୱ ଗ୍ରାମରେ ଦୁଃସ୍ଥ ଦାଦନ ରୋକିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ।ବିଭିନ୍ନ ଲୋକକଳା ମାଧ୍ୟମରେ ଦୁଃସ୍ଥ ଦାଦନ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

କଳାହାଣ୍ଡି ଜିଲ୍ଲାର ୫ଟି ବ୍ଲକର ୧୩୩ଟି ଗ୍ରାମପଞ୍ଚାୟତର ୧୩୫୮ଟି ରାଜସ୍ୱ ଗ୍ରାମରେ ସଚେତନତାମୂଳକ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ବରଗଡ଼ର ୪ଟି ବ୍ଲକର ୭୬ଟି ଗ୍ରାମପଞ୍ଚାୟତର ୪୫୨ ଗାଁରେ ଏହି କାର୍ଯ୍ୟକ୍ରମ କରାଯିବ।

ସେହିପରି ବଲାଙ୍ଗିରର ୬ଟି ବ୍ଲକର ୧୩୬ ପଞ୍ଚାୟତର ୮୨୩ ଗ୍ରାମରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ନୂଆପଡ଼ାର ୫ଟି ବ୍ଳକର ୧୩୧ ପଞ୍ଚାୟତର ୬୬୫ ଗାଁରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ।

ଦୁଃସ୍ଥ ଦାଦନ ରୋକିବା ପାଇଁ ଭୁବନେଶ୍ୱରସ୍ଥିତ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ତିନି ଦିନିଆ ତାଲିମ୍‌ ଶିବିର ଆୟୋଜିତ ହୋଇଥିଲା। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ଟି ଜିଲ୍ଲାର କଳାକାର ସଂଘ ଉପସଭାପତି, ବ୍ଲକ ଉପସଭାପତି ଏବଂ ବିଭିନ୍ନ ଲୋକକଳା ଦଳର ଗୁରୁମାନେ ଉପସ୍ଥିତ ଥିଲେ। ଦୁଃସ୍ଥ ଦାଦନମାନଙ୍କର ସମସ୍ୟା କିପରି ଦୂର ହୋଇପାରିବ ସେନେଇ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

ଦାଦନ ସମସ୍ୟାର ମୁକାବିଲା ପାଇଁ କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାର ୨୦ଟି ବ୍ଲକର ପ୍ରତ୍ୟେକ ଗ୍ରାମୀଣ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଜାନୁଆରି ୧୫ରେ ଏକ ବିଶେଷ ଘୋଷଣା କରିଥିଲେ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମିଳୁଥିବା ୧୦୦ ଦିନ ବଦଳରେ ୨୦୦ ଦିନକୁ ବୃଦ୍ଧି କରିଥିଲେ। ସେହିପରି ୧୦୦ ଦିନର କାମ ପାଇଁ ଶ୍ରମିକମାନଙ୍କୁ ଆଗରୁ ମଜୁରି ବାବଦରେ ୧୮୬ ଟଙ୍କା ଦିଆଯାଉଥିଲା। ଏହି ସ୍ୱତନ୍ତ୍ର ପ୍ୟାକେଜରେ ମଜୁରି ୨୮୬ ଟଙ୍କା ୩୦ ପଇସାକୁ ବୃଦ୍ଧି କରାଯାଇଛି।

 

 

ବିଗତ ଦିନରେ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର କରାଯାଇଥିଲା। ରାଜ୍ୟ ସରକାରଙ୍କ ପିଠା, କାଳିଆ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଲୋକ କଳା ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗ ସମ୍ପର୍କରେ ମଧ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହାସହ ମମତାଠୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରାଯାଇଥିଲା। ଏବେ ଦୁଃସ୍ଥ ଦାଦନ ରୋକିବା ପାଇଁ ଲୋକକଳାକୁ ମାଧ୍ୟମ କରିଛନ୍ତି ରାଜ୍ୟ ସରକାର।

ଲୋକକଳା ଏବଂ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସ୍ତରରେ ରାଜ୍ୟ ସ୍ତରୀୟ ରାଜ୍ୟ କଳା ସଂସ୍କୃତି ସଂଘ, ଜିଲ୍ଲା ସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ ସ୍ତରରେ ମଧ୍ୟ ସଂଘ ଗଠନ କରାଯାଇଛି। ସେହିପରି ସହରାଞ୍ଚଳମାନଙ୍କରେ ନଗର କଳା ସଂସ୍କୃତି ସଂଘ ଗଠନ କରାଯାଇଛି।

ଓଡ଼ିଶାରେ ମୋଟ ୪୭୧ ପ୍ରକାରର ଲୋକକଳା ରହିଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ କଳାକାର ରହିଛନ୍ତି। ୯୦୦ରୁ ଅଧିକ କଳାକାର ସଂଘ ରହିଛି। ମହିଳା କଳାକାରମାନେ ମଧ୍ୟ ସକ୍ରିୟ ଅଛନ୍ତି।

Comment