ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ କ’ଣ ହେଉଛି ତାହା ବୁଝିବା ମୁସ୍କିଲ୍‌। ଗୋଟିଏ ଚିଠିକୁ ନେଇ ଆଜି କଂଗ୍ରେସ ରାଜନୀତି ହଲ୍‌ଚଲ୍‌ ହୋଇ ଯାଇଛି। ଏହି ଚିଠିରେ ଉଲ୍ଲେଖ ଅଛି ଯେ ମିଡିଆ ସେଲ୍‌ ଅଧ୍ୟକ୍ଷ ପଦରୁ ସତ୍ୟପ୍ରକାଶ ନାୟକଙ୍କୁ ହଟାଇ ତାଙ୍କ ଜାଗାରେ ପଞ୍ଚାନନ କାନୁନଗୋଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ଏହାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗ୍ରହଣ କରୁ ନାହାନ୍ତି। ଆଗକୁ ବଡ଼ ପରିବର୍ତ୍ତନ ହେବ କହି ନିରଞ୍ଜନ ଖସି ଯାଇଛନ୍ତି।

ଏପଟେ ଖବର ଆସୁଛି ଯେ ସତ୍ୟ ପ୍ରକାଶ ନାୟକ କଂଗ୍ରେସ ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ସତ୍ୟପ୍ରକାଶ ଏବଂ ପଞ୍ଚାନନ କଂଗ୍ରେସରେ ଯୋଗ ଦେଇଥିଲେ। ସତ୍ୟପ୍ରକାଶଙ୍କୁ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ କରାଯାଇଥିଲା। ଏହାସହ ସେ ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ସେହିପରି ପଞ୍ଚାନନ ମଧ୍ୟ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା। ନିର୍ବାଚନ ପରେ ପିସିସିର ସବୁ କମିଟି ଭାଙ୍ଗି ଦେଇଥିଲା ଏଆଇସିସି। ଆଗାମୀ ଦିନରେ ନୂଆ କମିଟି ଗଠନ ହେବାକୁ ଯାଉଛି। କମିଟି ଗଠନ ହେବା ପୂର୍ବରୁ ତାଲିକା ଭାଇରାଲ ହେବାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

Comment