ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତ୍ମଘୋଷିତ ବାବା ସାରଥୀ ତାଙ୍କ ଭକ୍ତମାନଙ୍କ ଜରିଆରେ ଲୋକମାନଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି। ମଙ୍ଗଳବାର ଏକ ଅନାଥ ଆଶ୍ରମର ଅନ୍ତେବାସୀମାନଙ୍କୁ ଶୀତ ବସ୍ତ୍ର ବାଣ୍ଟିଛନ୍ତି ସାରଥିଙ୍କ ଭକ୍ତ ଗଣ। ଭକ୍ତମାନଙ୍କ କହିବା କଥା କି, ପ୍ରଭୁ ସାରଥିଙ୍କ ନିର୍ଦ୍ଦେଶ ସେମାନଙ୍କୁ ପଥ ପ୍ରଦର୍ଶନ କରାଉଛି।

ଆଜି ସାରଥିଙ୍କ ଭକ୍ତଗଣ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ କୋରୁଆଠାରେ ଥିବା କମଳାବେନ ମେହେଟା କନ୍ୟାଶ୍ରମରେ ପହଞ୍ଚି ୩୦ଜଣ ଅନ୍ତେବାସୀଙ୍କୁ କମ୍ବଳ ବିତରଣ କରିଛନ୍ତି। ଜଣେ ଭକ୍ତଙ୍କ କହିବା କଥା କି, ପ୍ରଭୁ ସାରଥୀ ତାଙ୍କର ଦିବ୍ୟ ପ୍ରବଚନରେ କହିଛନ୍ତି ଦିନର ୨୪ ଘଣ୍ଟା ମଧ୍ୟରୁ କିଛି ସମୟ ସମାଜ ଓ ଭଗବାନଙ୍କ ପାଇଁ ସମର୍ପିତ କଲେ ମଙ୍ଗଳ ହେବ ଓ ମାନବ ଜନ୍ମ ସାର୍ଥକ ହେବ। ତେଣୁ ସମାଜରେ ରହୁଥିବା ଏହି ଅବହେଳିତ ଶିଶୁମାନଙ୍କ ପାଇଁ ସେମାନେ ଏତେ ବାଟ ଆସିଛନ୍ତି।

ସ୍ଥାନୀୟ ଲୋକମାନଙ୍କ କହିବା କଥା ଏହି ସାରଥୀ ଭକ୍ତଗଣ ଏକ ଅଟୋରେ ଏହି ଅନାଥ ଆଶ୍ରମରେ ଆସି ପହଞ୍ଚି ଥିଲେ। ସେମାନେ ନିଜକୁ ସାରଥିଙ୍କ ଭକ୍ତ ବୋଲି ପରିଚୟ ଦେଇନଥିଲେ। ଯେତେବେଳେ ଆଶ୍ରମର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ବାଣ୍ଟିବା ଆରମ୍ଭ କରିଥିଲେ ସେତେବେଳେ ସେମାନେ ପକେଟରୁ ସାରଥି ଭକ୍ତମାନେ ବ୍ୟବହାର କରୁଥିବା ରାମାନନ୍ଦି ଗାମୁଛା ବେକରେ ପକାଇଥିଲେ।

ବିଭିନ୍ନ କେଳେଙ୍କାରୀରେ ଛନ୍ଦି ହୋଇ ଜେଲ ହାଜତରେ ୪ବର୍ଷ ରହି ଜାମିନରେ ଖଲାସ ହୋଇଛନ୍ତି ଆତ୍ମଘୋଷିତ ବାବା ସାରଥୀ। ବାବାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଲ୍‌ କରିଛି। ୨୦୧୫ ଅଗଷ୍ଟ ୮ ତାରିଖରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଦ୍ଵାରା ଗିରଫ ହୋଇ ଚୌଦ୍ଵାର ଜେଲ ହାଜତରେ ରହିଥିବା ସାରଥିଙ୍କୁ ଜୁଲାଇ ୨୦୧୯ରେ ଜାମିନ ମିଳିଛି।

ହେଲେ ତାଙ୍କୁ ଆଶ୍ରମ ଫେରିବା ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ। ସେ ବର୍ତ୍ତମାନ କେଉଁଠି ଆତ୍ମ ଗୋପନ କରିଛନ୍ତି ତାହା ସାଧାରଣରେ ଅଗୋଚର ରହିଛି।

Comment