ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜମହଲ ଛକରୁ ଏଜି ଛକ ରୋଡରେ ବାଇକ୍ ପାର୍କିଂକୁ ବେଆଇନ୍ କରିଛି କମିସନରେଟ୍ ପୋଲିସ।

ଏକ ନମ୍ବର ହାଟ ସାମ୍ନା ରୋଡରେ ଆପଣ ବାଇକ୍ ପାର୍କିଂ କରୁଛନ୍ତି କି? ତେବେ ଏବେଠୁ ସାବଧାନ୍ ହୋଇଯାଆନ୍ତୁ, କାରଣ ଏହି ରୋଡରେ ଏବେ ବାଇକ୍ ପାର୍କିଂ ଉପରେ ରୋକ୍ ଲଗାଇଛି କମିସନରେଟ୍ ପୋଲିସ। ଏଥିସହିତ ଆଇନର ଉଲ୍ଲଘଂନକାରୀଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ ହେବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ।ଗୁରୁବାର ଏକ ନମ୍ବର ହାଟ ସାମ୍ନା ରୋଡରେ ବାଇକ୍ ପାର୍କିଂ ହେବାକୁ ନେଇ ଟ୍ରାଫିକ୍ ଡିସିପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ଅବସରରେ ସେ କହିଥିଲେ,“ ରାଜମହଲରୁ ଏଜି ଛକ ରୋଡରେ ଏବେ ଆଉ ବାଇକ୍ ପାର୍କିଂ ହେବ ନାହିଁ। ଏହି ରୋଡର ସାଇଡରେ ଏବେ କେବଳ କାର ପାର୍କିଂ ହେବ। କାରଚାଳକମାନେ ସେଠାରେ କେବଳ ୪୫ ଡିଗ୍ରୀରେ ନିଜର ଗାଡ଼ି ପାର୍କିଂ କରିବେ।”

ଏଥିସହିତ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ରୋଡରୁ ଏବେ ବେଆଇନ୍ ଫଳ ଦୋକାନୀମାନଙ୍କୁ ଉଠାଯିବ। ଫଳରେ ସେଠାରେ ଆଉ ଟ୍ରାଫିକ୍ ସମସ୍ୟା ଦେଖାଯିବନାହିଁ। ବାଇକ୍ ପାର୍କିଂ ପାଇଁ ବିଏମସି ତରଫରୁ ଆଉ ତିନୋଟି ସ୍ଥାନ ବଛାଯାଇଛି। ସେହି ସ୍ଥାନରେ ଏବେ ବାଇକ୍ ପାର୍କିଂ କରାଯିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।ରାଜମହଲ ଛକରୁ ଏଜି ଛକ ରୋଡରେ ସବୁବେଳେ ଭିଡ଼କୁ ନେଇ ଅଭିଯୋଗ ହେଇଆସୁଥିଲା। ଉଠା ଫଳ ଦୋକାନୀମାନେ ବେଆଇନ୍ ଭାବେ ରୋଡ୍ ଉପରେ ଦୋକାନ ଖୋଲିବା ସହ ବେଆଇନ୍ ବାଇକ୍ ପାର୍କିଂ ହେତୁ ଟ୍ରାଫିକ୍ ସମସ୍ୟା ଦେଖାଯାଉଥିଲା। ତେଣୁ ଏହାକୁ ଦୂର କରିବାକୁ ଏଭଳି ଯୋଜନା କରାଯାଇଥିବା ସେ କହିଛନ୍ତି। ଏଥିସହିତ ଲୋକମାନେ ରୋଡ୍ ପାସ୍ କରିବା ପାଇଁ ଭୃତଳ ରାସ୍ତାକୁ ବ୍ୟବହାର କରନ୍ତୁ ଏବଂ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରନ୍ତୁ ନାହିଁ ବୋଲି ସେ କହିଥିଲେ।

ଅନ୍ୟପଟେ ବାପୁଜୀ ନଗରରେ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ପାର୍କିଂ ନିୟମ ବିଷୟରେ ଡିସିପି ସାଗରିକା ନାଥ ବୁଝାଇଥିଲେ। ସେ କହିଥିଲେ ଯେ ବାପୁଜୀ ନଗର ମାର୍କେଟ୍ ଅଞ୍ଚଳରେ ଏଣିକି ନୂଆ ଉପାୟରେ ପାର୍କିଂ ହେବ। ଗୋଟିଏ ଦିନ ରୋଡରେ ବାମପଟେ ପାର୍କିଂ ହେବା ସହ ଅନ୍ୟ ଗୋଟିଏ ଦିନ ରୋଡର ଡାହାଣ ପଟେ ପାର୍କିଂ ହେବ। ଏହାଦ୍ୱାର କୌଣସି ଦୋକାନୀ ପାର୍କିଂ ହେବାକୁ ନେଇ ଅଭିଯୋଗ କରିବେ ନାହିଁ। ଏହି ସ୍ଥାନରେ ଦୋକାନୀମାନେ ତାଙ୍କ ଦୋକାନ ଆଗରେ ପାର୍କିଂ ହେବାକୁ ନେଇ ଅଭିଯୋଗ କରୁଥିଲେ। ତେଣୁ ଏହାକୁ ଦୂର କରିବାକୁ ଏଭଳି ନୂଆ ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୋଲିସ।ନୂଆ ନିୟମ ଅନୁସାରେ ଲୋକମାନେ ପାର୍କିଂ କରିବା ସହ ନିୟମିତ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ଏପରିକି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଲେ ପୋଲିସଙ୍କୁ ସହଯୋଗ କରନ୍ତୁ ବୋଲି କହିଥିଲେ ଟ୍ରାଫିକ୍ ଡିସିପି ସାଗରିକା ନାଥ।

Comment